ଭୁବନେଶ୍ବର: କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନ୍ଏଲ୍ୟୁ) ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ଏନ୍ଏସ୍ଏସ୍ ବ୍ୟୁରୋ ଖୋଲିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨୫୦୦ ଓ ଏନ୍ଏଲ୍ୟୁ ପାଇଁ ୩୦୦ ସ୍ବେଚ୍ଛାସେବୀ ପଦ ପାଇଁ ଅନୁମତି ମିଳିଛି। ତେବେ ଖୋଲିବା ପୂର୍ବରୁ କେତେକ ଆବଶ୍ୟକତା ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ଯେପରିକି କ୍ୟାମ୍ପସରେ ସ୍ବତନ୍ତ୍ର ଅଫିସ୍ ରୁମ୍, ୫୦ ବର୍ଷ ବୟସରୁ କମ୍ ପ୍ରଫେସରଙ୍କୁ ପୋଗ୍ରାମ କୋର୍ଡିନେଟର ଦାୟିତ୍ବ, ୩ଟି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କୁହାଯାଇଛି। ଏନ୍ଏଲ୍ୟୁ ଲାଗି ପ୍ରତି ୟୁନିଟ୍ରେ ୫୦ ଜଣ ଛାତ୍ର ନ ହେଲେ ଛାତ୍ରୀ ରହିବେ। ବିଶ୍ବବିଦ୍ୟାଳୟକୁ ୩୦୦ ସ୍ବେଚ୍ଛାସେବୀ ଦିଆଯାଇଥିବାରୁ ୬ଟି ଏନ୍ଏସ୍ଏସ୍ ୟୁନିଟ୍ ଗଠନ ହେବ। ପ୍ରତି ୟୁନିଟ୍ ପାଇଁ ଜଣେ ଲେଖାଏଁ ମୋଟ ୬ ଜଣ ପ୍ରୋଗ୍ରାମ ଅଫିସର ରହିବେ। ଏହି ସବୁ ଔପଚାରିକତା ପୂରଣ କରିବା ପରେ ତାହାର ଏକ ରିପୋର୍ଟ ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦେଶାଳୟରେ ଦାଖଲ କରିବାକୁ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି।
ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟଳୟରୁ ଏନ୍ଏସ୍ଏସ୍ ସିଟ୍ ହ୍ରାସ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ତଥା ଏନ୍ଏସ୍ଏସ୍ ଦାୟିତ୍ବରେ ଥିବା ରମେଶ ଚନ୍ଦ୍ର ବେହେରା ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କହିଛନ୍ତି ଯେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ୨୨୦୦ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ରହିଛନ୍ତି। ୨୦୨୦ ସେପ୍ଟେମ୍ବରରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ତେଣୁ ଉକ୍ତ ଏନ୍ଏସ୍ଏସ୍ ସିଟ୍କୁ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଟ୍ରାନ୍ସଫର କରାଯାଉ। ଏହି ଟ୍ରାନ୍ସଫର ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ୧୨,୧୦୦ ସ୍ବେଚ୍ଛାସେବୀ ରହିବେ।
ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟକୁ ଅନୁମୋଦିତ ହୋଇଥିବା ଏନ୍ଏସ୍ଏସ୍ ସିଟ୍ ମଧ୍ୟରୁ ୬୦୦କୁ ଅନ୍ୟ ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀ ବେହେରା ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବିଶ୍ବବିଦ୍ୟାଳୟକୁ ୧୦ ହଜାର ୨୫୦ ସ୍ବେଚ୍ଛାସେବୀ ଦିଆଯାଇଥିଲା। ତେବେ ୮୮୫୦ ସିଟ୍କୁ ବିଶ୍ବବିଦ୍ୟାଳୟ ଅଧୀନ ବିଭିନ୍ନ କଲେଜକୁ ଆବଣ୍ଟନ ହୋଇଛି। ଆହୁରି ୧୪୦୦ ସ୍ବେଚ୍ଛାସେବୀ ସିଟ୍ ଆବଣ୍ଟନ ହୋଇ ନାହିଁ। ସେଥିମଧ୍ୟରୁ ୬୦୦କୁ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟକୁ ଦେବାକୁ କୁହାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/sambalpur-university66.jpg)