ଭୁବନେଶ୍ବର : ରାଜ୍ୟରେ ୨୨ ହଜାର ଅଭିଭାବକ ଛେଉଣ୍ଡଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରୁ ଏକ ହଜାର ଉଭୟ ଅଭିଭାବକଙ୍କୁ ହରାଇଛନ୍ତି। ଏଥିପାଇଁ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୩ଶହ କୋଟି ଟଙ୍କା ଖର୍ଚ କରିବା ନେଇ ଆକଳନ କରାଯାଇଛି। କୋଭିଡ ଟଳି ନାହିଁ। ଦ୍ବିତୀୟ ଲହର ଭଳି ତୃତୀୟ ଲହର ଆସିଯାଇଛି। ମୃତ୍ୟୁ ସଂଖ୍ୟା ପୂର୍ବଭଳି ନାହିଁ ସତ କିନ୍ତୁ ସ୍ଥିତି ତଥାପି ଜଟିଳ। କୋଭିଡ ପରର ଜଟିଳତା ଏବଂ ଆର୍ଥିକ ଦୁରବସ୍ଥା ଯୋଗୁଁ ସମେତ ବିଭିନ୍ନ କାରଣରୁ ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକଙ୍କ ମୃତ୍ୟୁ ହୋଇଛି। ଏଥିଯୋଗୁଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନେକ ପିଲା ଅଭିଭାବକ ହରାଉଛନ୍ତି। ସେମାନଙ୍କ ସ୍ବାର୍ଥ ପାଇଁ ସରକାରଙ୍କ ପକ୍ଷରୁ ଆଉ ଥରେ ଆଶୀର୍ବାଦ ଯୋଜନା ଆରମ୍ଭ ପାଇଁ ଦାବି ଆରମ୍ଭ ହେଲାଣି।
ବାଲସ୍ବରାଜ ପୋର୍ଟାଲ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ମହାମାରୀ ଯୋଗୁଁ ଦେଶରେ ୧ ଲକ୍ଷ ୪୭ ହଜାର ୪୯୨ ଜଣ ଶିଶୁ ଅଭିଭାବକଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧୦ ହଜାର ୯୪ ଉଭୟ ଅଭିଭାବକ, ୧ ଲକ୍ଷ ୩୬ ହଜାର ୯୧୦ ଜଣେ ଅଭିଭାବକ ଏବଂ ୪୮୮ ଜଣଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅଭିଭାବକ ଛେଉଣ୍ଡ ପିଲାଙ୍କ ମଧ୍ୟରେ ଓଡ଼ିଶାର ସର୍ବାଧିକ ପିଲା ଅଛନ୍ତି। ରାଜ୍ୟର ୨୪ ହଜାର ୪୦୫ ଅଭିଭାବକ ଛେଉଣ୍ଡ ହୋଇଛନ୍ତି। ଏଥିରୁ ୧୫୦୩ ଉଭୟ ଅଭିଭାବକ, ୨୨ ହଜାର ୮୯୯ ଜଣେ ଅଭିଭାବକ ଏବଂ ୩ ଜଣଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଛି। ବାଲସ୍ବରାଜ ପୋର୍ଟାଲରେ ଯେଉଁ ତଥ୍ୟ ରହିଛି, ଆଶୀର୍ବାଦ ଯୋଜନାରେ ଆବେଦନ କରିଥିବା ପିଲାଙ୍କ ସଂଖ୍ୟା ଆହୁରି ଅଧିକ। ୨୦୨୦ ମସିହା ଏପ୍ରିଲ ୧ ତାରିଖରୁ ୨୦୨୧ ମସିହା ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଯେଉଁ ପିଲାମାନେ ଉଭୟ କୋଭିଡ ଏବଂ ଅଣକୋଭିଡ ଯୋଗୁଁ ଉଭୟ ଅଭିଭାବକ କିମ୍ବା ଉପାର୍ଜନକ୍ଷମ ଜଣେ ଅଭିଭାବକ ହରାଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦେଶ ହୋଇଛନ୍ତି।
କିଛି ଦିନ ପୂର୍ବରୁ ଏସଂକ୍ରାନ୍ତରେ ଆଉ ଏକ ଚିଠି ମଧ୍ୟ ଜାରି ହୋଇଥିଲା। ତେଣୁ ଆବେଦକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥି ଯୋଜନାରେ ପିଲାଙ୍କୁ ୨୫ଶହ କିମ୍ବା ୧୫୦୦ ସହିତ ଶିକ୍ଷା ଅଧିକାର ଆଇନ, ବିଜୁ ସ୍ବାସ୍ଥ୍ୟ କାର୍ଡ, ମୋ କୁ଼ଡିଆ, ଖାଦ୍ୟ ସୁରକ୍ଷା ଏବଂ ବିଧବା ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ କହିଛି। ନିର୍ଦିଷ୍ଟ କେତେ ଜଣଙ୍କୁ ଲିଙ୍କ କରାଯାଇପାରିଛି ସେ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ।
ଦ୍ବିତୀୟ ଲହରରେ କୋଭିଡ ଜନିତ ଚିକିତ୍ସା ଖର୍ଚ ଏତେ ଅଧିକ ଥିଲା ଯେ ଅନେକ ମଧ୍ୟବିତ୍ତ ପରିବାରକୁ ମଧ୍ୟ ଗରିବ କରି ଦେଇଥିଲା। ଏଥିସହିତ ଅଚାନକ ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇବା ମଧ୍ୟ ପରିବାର ପାଇଁ କଷ୍ଟକର ଥିଲା, ତେଣୁ କାହାକୁ ବାଦ ଦିଆନଯାଇ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଚେଷ୍ଟା କରାଯାଉଥିବା ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି। ଏଥିସହିତ ଏହି ଯୋଜନାରେ ସାମିଲ ଶିଶୁଙ୍କ ସ୍ଥିତି ଜଣାଇବା ପାଇଁ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଗଠିତ ଶିଶୁ ସୁରକ୍ଷା କମିଟି, ଅଙ୍ଗନବାଡି କର୍ମୀ ଏବଂ ସରପଞ୍ଚମାନଙ୍କୁ ନିର୍ଦେଶ ହୋଇଛି। ସେମାନଙ୍କ ସମ୍ପତିର ସୁରକ୍ଷା ପାଇଁ ରାଜସ୍ବ ବିଭାଗ ଏବଂ ପୁଲିସକୁ ଚିଠି ଲେଖାଯାଇଥିବା ବିଭାଗ କହିଛି। ସେପ୍ଟେମ୍ବର ୧୫ ତାରିଖ ପରେ ଅଭିଭାବକ ହରାଇଥିବା ପିଲାଙ୍କୁ ସିଡବ୍ଲୁସିରେ ହାଜର ପରେ ଆବଶ୍ୟକ ସ୍ଥଳରେ ଶିଶୁ ଗୃହରେ ରଖାଯାଉଛି। କିନ୍ତୁ ସମସ୍ତଙ୍କୁ ନୁହେଁ। କିନ୍ତୁ ସେମାନେ ୧୫୦୦ ଏବଂ ୨୫୦୦ ମାସିକ ଭତ୍ତା ଲାଭରୁ ବଞ୍ଚିତ ହେଉଛନ୍ତି। ଏହି ଶିଶୁମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସଂଜୀବନୀ ବ୍ୟବସ୍ଥା କରାନଗଲେ ସେମାନଙ୍କ ଅବସ୍ଥା ଶୋଚନୀୟ ହେବା ସ୍ପଷ୍ଟ ଅଟେ।
ସମ୍ପର୍କ ହେଲ୍ପ ଲାଇନ, ଲାଭ ନେଇଛନ୍ତି ୨ ହଜାର
କୋଭିଡ ଏବଂ ମହାମାରୀ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଶିଶୁ। ସେମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ୟୁନିସେଫ ପକ୍ଷରୁ ଅଗଷ୍ଟ ମାସରେ ନିଃଶୁଳ୍କ ସହାୟତା ନମ୍ବର ୧୮୦୦୪୧୯୧୮୧୩ ଜାରି ହୋଇଥିଲା। ଏଥି ଅନ୍ତର୍ଗତରେ କୋଭିଡ ପ୍ରଭାବିତ ଶିଶୁମାନଙ୍କୁ ସାମାଜିକ-ମନସ୍ତାତ୍ବିକ ସହାୟତା, ଅଭିଭାବକ କିମ୍ବା ପାଳନକର୍ତ୍ତା ହରାଇଥିବା ପିଲାଙ୍କୁ ଆଶ୍ରୟ, ଦେଖାଶୁଣା, ସୁରକ୍ଷା ସମ୍ବନ୍ଧୀୟ ପରାମର୍ଶ, ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଶିଶୁ ସୁରକ୍ଷା ସେବା ସହ ସଂଯୋଗ କରିବା, ଆଶୀର୍ବାଦ ଏବଂ ବିଜୁ ସୁରକ୍ଷା ଯୋଜନା ବିଷୟରେ ସୂଚନା ଦିଆଯାଉଛି। ଏଥି ଅନ୍ତର୍ଗତରେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କେହି ଏହି ନମ୍ବରରେ ଫୋନ କରିପାରିବେ। ଆବଶ୍ୟକସ୍ଥଳରେ ପିଲାଙ୍କୁ ଡିସିପିଓଙ୍କ ସହିତ ଯୋଗାଯୋଗ କରାଯାଉଥିବା ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ କହିଛି। ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ମାତ୍ର ୨ ହଜାର ଏହାର ଲାଭ ନେଇଛନ୍ତି।