ଟାଟା ଖଣିରୁ ହଟିବେ ୨୨୧ କର୍ମଚାରୀ

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ନିକଟରେ ଆବେଦନ, ୱାର୍କର୍ସ ୟୁନିଅନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା

କାଳିଆପାଣି : ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ଏବେ ନିୟୋଜିତ ଥିବା ୨୨୧ ଜଣ କୁଶଳୀ ଓ ଅଭିଜ୍ଞ କର୍ମଚାରୀ ଛଟେଇ ହେ‌ବେ। ଏଥିପାଇଁ କମ୍ପାନି ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟକୁ କ୍ୟୁଏ ଫର୍ମରେ ବିଧିବଦ୍ଧ ଆବେଦନ କରାଯାଇଛି। ଟାଟାଷ୍ଟିଲ ଫେରୋ ଆଲଏଜ୍ ଏଣ୍ଡ୍‌ ମିନେରାଲ୍ ଡିଭିଜନ ପରିଚାଳନାଧୀନ ଉକ୍ତ ଖଣିର ପ୍ରତିନିଧି ଖଣିମୁଖ୍ୟ ରାଜେଶ ପଟେଲ ଗତ ୨୮ ତାରିଖ ଏ ସଂକ୍ରାନ୍ତରେ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି। ଏହା ଜଣାପଡ଼ିବା ପରେ ୱାର୍କର୍ସ ୟୁନିୟନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଯାଜପୁର ଜିଲ୍ଲାର କଲରଙ୍ଗିଅତ୍ତାରେ ଏହି ଖଣି ରହିଛି। ଖଣି କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ, ଆସନ୍ତା ଉତ୍କଳ ଦିବସ(ଏପ୍ରିଲ୍ ପହିଲା)ରୁ ୨୨୧ ଜଣ କର୍ମଚାରୀଙ୍କୁ ଅପସାରଣ କରାଯିବ। ଏଥିପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। ସରକାରୀ ମଞ୍ଜୁରୀ ପରେ ସଂପୃକ୍ତ କର୍ମଚାରୀ ବିଭାଗ(୨୫-ଓ) ର ଉପବିଭାଗ(୮) ଆଧାରରେ କ୍ଷତିପୂରଣ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଟାଟାଷ୍ଟିଲ ସୁକିନ୍ଦ‌ା ‌କ୍ରୋମାଇଟ୍‌ ଖଣି ପ୍ରଶାସନିକ ଭବନ(ଡିଏମ୍‌ ଅଫିସ)ରେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କମ୍ପାନିର ଏତାଦୃଶ ପଦକ୍ଷେପକୁ ଟାଟାଷ୍ଟିଲ ସୁକିନ୍ଦା ୱାର୍କର୍ସ ଯୁନିଅନ୍ ଦୃଢ଼ ବିରୋଧ କରିଛି। ଟାଟାଷ୍ଟିଲ କମ୍ପାନି ରାଜ୍ୟ, ଦେଶ ତଥା ବିଶ୍ବରେ ବେଶ୍‌ ସକ୍ରିୟ ଥିବା ବେଳେ କିଛି ହାତଗଣତି କର୍ମଚାରୀଙ୍କୁ ଛଟେଇ କରାଯିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ୱାର୍କର୍ସ ୟୁନିଅନ୍ ସାଧାରଣ ସଂପାଦକ ସୁମନ୍ତ କୁମାର ମହାନ୍ତି(ଜିତୁ) କହିଛନ୍ତି। ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଉକ୍ତ କ୍ୟାପ୍ଟିଭ ଖଣିର ଲିଜ୍‌ ଅବଧି ୨୦୩୦ ମସିହା ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏଥିପାଇଁ ୨୦୧୫ ମସିହାରୁ ପାଖାପାଖି ବର୍ଷକ ପର୍ଯ୍ୟନ୍ତ ଖଣିରେ ଖନନ ଓ ଉତ୍ପାଦନକୁ ସଂକୁଚିତ କରାଯାଇଥିଲା। ହେଲେ ପରେ କ୍ୟାପ୍ଟିଭ୍‌ ନିଷ୍ପତ୍ତିକୁ ଏଡ଼ାଇଦେଇ ୨୦୨୦ ମାର୍ଚ ୩୧ ପର୍ଯ୍ୟନ୍ତ ପୂର୍ବବତ୍ ଉତ୍ପାଦନ ଓ କ୍ରୋମାଇଟ୍‌ ରପ୍ତାନୀ ପାଇଁ ସରକାରଙ୍କ ପାଖେ ପ୍ରସ୍ତାବ ରଖିଥିଲେ। ଯାହାକି ଆଜି କର୍ମଚାରୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ରାଜ୍ୟ ଖଣି ବିଭାଗ ପକ୍ଷରୁ ଚଳିତ ଆର୍ଥିକବର୍ଷ ଆହ୍ବାନ କରାଯାଇଥିବା ନିଲାମ ପ୍ରକ୍ରିୟାରେ ଟାଟା କମ୍ପାନି ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ୨ଟି ଖଣି ହାତେଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଉକ୍ତ ଖଣିରେ ଏହି କର୍ମଚାରୀମାନଙ୍କୁ ଥଇଥାନ ନକରି ଛଟେଇ ନିଷ୍ପତ୍ତି ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

କମ୍ପାନିର ଏ ପ୍ରକାର ବିଜ୍ଞପ୍ତି ସଂପର୍କରେ ଟାଟାଷ୍ଟିଲ(ଏଫ୍‌ଏଏମ୍‌ଡି) ପ୍ରଶାସନ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀଙ୍କୁ ପଚାରିବାରେ ସେ ଏହାକୁ ସ୍ବୀକାର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଖଣିକୁ ସାଧାରଣ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖାଯିବା ନିଷ୍ପତ୍ତି ଆଧାରରେ କମ୍ପାନି ପକ୍ଷରୁ ବନ୍ଦ୍ ପ୍ରକ୍ରିୟା ଜାରିରହିଛି। ଏଣୁ ଉକ୍ତ ଖଣିରୁ କର୍ମଚାରୀ ଅପସାରଣ ଏକ ବୈଧାନିକ ସର୍ତ୍ତାବଳୀ ହୋଇଥିବାରୁ କମ୍ପାନି ଏଭଳି ନିଷ୍ପତ୍ତି ‌ନେବାକୁ ବାଧ୍ୟ ହୋଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର