ଭୁବନେଶ୍ବର : ରାଜ୍ୟର ୭ଟି ଧର୍ମାନୁଷ୍ଠାନର ୨୨୧୭ ଏକମର ୫୭୭ ଡିସିମଲ ଜମି ଜବରଦଖଲରେ ରହିଛି। ମହାଲେଖାକାରଙ୍କ ଦ୍ବାରା ନିୟୋଜିତ ସମୀକ୍ଷକଙ୍କ ବିବରଣୀରୁ ଏହା ଜଣାପଡ଼ିଛି। ଜମିରୁ ଜବରଦଖଲ ହଟାଇବା ଲାଗି ଦେବୋତ୍ତର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା ୧୦୦୪୭/ଏଲ୍ ୨୦୧୯ ଅନୁଯାୟୀ ୬୧ଟି ଓ ବିଜ୍ଞପ୍ତି ସଂଖ୍ୟା ୧୩୬୮୮/ଏଲ୍ ଅନୁଯାୟୀ ୧୫୦ଟିକୁ ମିଶାଇ ସମୁଦାୟ ୨୧୧ଟି ଧର୍ମାନୁଷ୍ଠାନର ହିସାବ ତଥା ଭୂ-ସଂପତ୍ତିର ସମୀକ୍ଷା କରିବା ପାଇଁ ମହାଲେଖାକାରଙ୍କୁ ଦିଆଯାଇଥିବା ବେଳେ ତହିଁରୁ ୧୫ଟି ଧର୍ମାନୁଷ୍ଠାନର ଅଡିଟ୍ ହୋଇପାରିଛି। ରାଜ୍ୟର ସବୁ ଦେବାଦେବୀଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ତାଲିକା ସଂପୃକ୍ତ ଅନୁଷ୍ଠାନ ଗୁଡ଼ିକର ପରିଚାଳନା ଦାୟିତ୍ବରେ ଥିବା ନ୍ୟାସୀମାନଙ୍କ ଦ୍ବାରା ଦେବୋତ୍ତର କାର୍ଯ୍ୟାଳୟରେ ଦାଖଲ ହୋଇ ନ ପାରିବାରୁ ତାହାର ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ପାରୁନାହିଁ। ଏ ପର୍ଯ୍ୟନ୍ତ ଅବିଭକ୍ତ କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ଧର୍ମାନୁଷ୍ଠାନମାନଙ୍କର ପରିଚାଳକମାନଙ୍କଠାରୁ ଭୂ-ସଂପତ୍ତିର ତାଲିକା ମିଳିଛି। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ, ୧୯୫୧ର ୨୫ ଧାରା ଅନୁଯାୟୀ ରାଜ୍ୟର ବିଭିନ୍ନ ଦେବାଦେବୀଙ୍କ ଭୂସଂପତ୍ତିର ବେଆଇନ ବିକ୍ରୟ ଜବରଦଖଲ ମୁକ୍ତ କରିବା ପାଇଁ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆୟୁକ୍ତଙ୍କ ଇଜଲାସରେ ମକଦ୍ଦମା ରୁଜୁ କରାଯାଇଛି। ମୋଟ ୮୭୩ ଏକର ୫୮୦ ଡିସିମିଲ ସଂପତ୍ତି ପକ୍ଷେ ୨୨୨୧ଟି ମକଦ୍ଦମା ରୁଜୁ ହୋଇଛି। ତହିଁରୁ ୪୯୭ଟି ମକଦ୍ଦମାର ଫଇସଲା କରାଯାଇ ୧୯୭ ଏକର ୧୫୦ ଡିସିମିଲ ଭୂ-ସଂପତ୍ତିକୁ ସଂପୃକ୍ତ ଅନୁଷ୍ଠାନର ପରିଚାଳନା ଦାୟିତ୍ବରେ ଥିବା ନ୍ୟାସୀମାନଙ୍କୁ ହସ୍ତାନ୍ତର କରିବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶନାମା ଦିଆଯାଇଛି। ସବୁ ମନ୍ଦିର ସଂପତ୍ତି ଠାବ ଓ ତାହାର ସୁରକ୍ଷା ପାଇଁ ସରକାରଙ୍କ ଦ୍ବାରା ଦେବୋତ୍ତର ଆଇନର ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।