କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

୨୦୧୮ ପାଇଁ ପାଇବେ ୨୨୨ କୋଟି ଟଙ୍କାର ବୋନସ୍

ଭୁବନେଶ୍ବର: ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସଂପୃକ୍ତ ଥିବା ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପ୍ରୋତ୍ସାହନ ରାଶି ବାବଦରେ ବୋନସ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବାବଦରେ କର୍ମଚାରୀ ଓ ତୋଳାଳୀଙ୍କୁ ୨୨୨ କୋଟି ଟଙ୍କାର ବୋନସ୍ ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ବୋର୍ଡ଼ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟରେ ସାମୂହିକ ବିକାଶରେ କେନ୍ଦୁପତ୍ର ବ୍ୟବସାୟର ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଏଥିରେ ଆଦିବାସୀ ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକମାନେ କାମ କରିଥାନ୍ତି। ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ବର୍ଷକୁ ୧ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହେବାରୁ ବିଶେଷ ସହାୟକ ହୋଇପାରୁଛି। ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରାଯିବା ସହିତ କେନ୍ଦୁପତ୍ର ତୋଳାଳୀମାନଙ୍କୁ ଅଂଶୀଦାର ଭାବେ ଗ୍ରହଣ କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ୮ ଲକ୍ଷ ୫୨ ହଜାର କେନ୍ଦୁପତ୍ର ତୋଳାଳୀ, ୨୦ ହଜାର ୬୫୦ ଜଣ ବନ୍ଧେଇ ଶ୍ରମିକ ଓ ୧୭ ହଜାର ୮୬୦ ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ ଅଛନ୍ତି। କେନ୍ଦୁପତ୍ର ତୋଳାଳୀ, ଶ୍ରମିକ ଓ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ତୋଳାଳୀମାନଙ୍କ କେରି ସଂଗ୍ରହ ପୋଷାକ, ତୋଳାଳୀମାନଙ୍କୁ ଚପଲ ପ୍ରଦାନ, ଶ୍ରମିକମାନଙ୍କ ମଶାରୀ ଓ କମ୍ବଳ, ତୋଳାଳୀ ଓ କର୍ମଚାରୀଙ୍କ ଟୋପି, ତୋଳାଳୀ ଓ ଶ୍ରମିକମାନଙ୍କ ଝିଅମାନଙ୍କ ବିବାହ ସହାୟତା, ତୋଳାଳୀ ଓ କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ ଏବଂ ତୋଳାଳୀ, ଶ୍ରମିକ ଓ କର୍ମଚାରୀମାନଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦୁପତ୍ର ତୋଳାଳୀ, ଶ୍ରମିକ ଓ କର୍ମଚାରୀମାନଙ୍କ ପିଲାଙ୍କ ପାଇଁ ଶିକ୍ଷାବୃତ୍ତି ଭଳି କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯୋଗୁଁ ସେମାନଙ୍କ ସାମାଜିକ, ଅର୍ଥନୈତିକ ଅବସ୍ଥାର ଉନ୍ନତିରେ ସହାୟକ ହୋଇପାରିଛି। ବୋର୍ଡ଼ ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଅସିତ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଏବଂ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର