କାର୍ଯ୍ୟବନ୍ଦ ଆନ୍ଦୋଳନ ମହଙ୍ଗା ପଡ଼ିଲା: ୨୨୩ ଜିଆର୍‌ଏସ୍‌ ବହିଷ୍କୃତ

ସୁନ୍ଦରଗଡ଼: ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବିରେ ଆନ୍ଦୋଳନ ଚଳାଇଥିବା ସୁନ୍ଦରଗଡ଼ ଜିଲ୍ଲାର ୨୨୩ ଗ୍ରାମ ‌ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ଜିଆର୍‌ଏସ୍‌ ରାଜ୍ୟ ସଂଘ ଆହ୍ବାନକ୍ରମେ ସମଗ୍ର ରାଜ୍ୟରେ ଚାଲିଥିବା ଆନ୍ଦୋଳନରେ ସୁନ୍ଦରଗଡ଼ ଜିଲ୍ଲାର ୨୨୩ ଜଣ ଜିଆର୍‌ଏସ୍‌ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ। ଡି‌ସେମ୍ବର ୨୧ରେ ପଞ୍ଚାୟତିରାଜ ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଡିସେମ୍ବର ୨୭ ସୁଦ୍ଧା ସନ୍ତୋଷଜନକ ଉତ୍ତର ରଖିବା ସହ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଆଦେଶର ଅବମାନନା ହେଲେ କାର୍ଯ୍ୟରୁ ବହିଷ୍କୃତ କରାଯିବ ବୋଲି ତାଗିଦ୍‌ କରାଯାଇଥିଲା। ଡିସେମ୍ବର ୨୮ରେ ମନରେଗାର ସ୍ଥାନୀୟ ପ୍ରକଳ୍ପ ଅଧିକାରୀ ତଥା ବିଡିଓ ମଧ୍ୟ କାରଣଦର୍ଶାଅ ନୋଟିସ ଜାରି କରିଥିଲେ। କିନ୍ତୁ ଜିଆର୍‌ଏସ୍‌ମାନେ ଆନ୍ଦୋଳନରୁ ହଟି ନ ଥିଲେ। ଆଜି ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାର ୨୨୩ ଜଣ ଗ୍ରାମ ‌ରୋଜଗାର ସେବକଙ୍କୁ ବହିଷ୍କାର କରାଯାଇଛି। ସୁନ୍ଦରଗଡ଼ ସଦର ବ୍ଲକର ୫ ଜଣ ଜିଆର୍‌ଏସ୍‌ କାର୍ଯ୍ୟରେ ଯୋଗ ଦେଇଥିବାରୁ ସେମାନେ ପ୍ରଶାସନର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଛନ୍ତି। ତେବେ, ସମଗ୍ର ରାଜ୍ୟରେ ଦୀର୍ଘ ୫୪ ଧରି ଏହି ଆନ୍ଦୋଳନ ଚାଲିଥିବା ବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାର ଜିଆର୍‌ଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରତିକ୍ରିୟା ସ୍ୟଷ୍ଟି ହୋଇଛି। ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ ଦାଶ ଏହାର ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର