ମିସନ କ୍ଲିନ୍ କ୍ରିମିନାଲ: ୨୨୪୦ ବୋତଲ କଫ୍‌ସରିପ୍ ଜବତ, ୩ ଗିରଫ

ବଲାଙ୍ଗୀର: କ୍ଲିନ୍‌ କ୍ରିମିନାଲ ଅଭିଯାନରେ ସହରକୁ କଫ୍‌ସିରପ୍‌ମୁକ୍ତ କରିବାକୁ ପୁଲିସ ଅଣ୍ଟାଭିଡ଼ିଛି। କଫ୍‌ସିରପ୍‌ ଜବତ ମାମଲାରେ ପୂର୍ବରୁ ପାଖାପାଖି ୪୦ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଥିବା ବେଳେ ଏବେ ପୁଣି ଧରପଗଡ଼ରେ ଏକ ଗ୍ୟାଙ୍ଗର ତିନି ଜଣଙ୍କୁ ପୁଲିସ ଗିରଫ କରିଛି। କଳାହାଣ୍ଡି ସଦର ଥାନା ଡୁମାଲ ଗାଁର ଲାଲଧର ପୁଟେଲ (୨୪), କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ବିଶ୍ୱନାଥ ମୁଲିଆ (୨୯), ଜୟପୁର ଜିଲ୍ଲା ବଡ଼ଚନା ଥାନା ବନ୍ଦୋଲ(ଛତିଆ)ର ମହେଶ୍ୱର ମହାନ୍ତି (୨୬)ଙ୍କୁ କୋର୍ଟ ଚାଲାଣ କରିଛି।

୭ ପେଟିରେ ଥିବା ୨୨୪୦ ବୋତଲ କଫ୍‌ସିରପ୍‌, ୪ଟି ମୋବାଇଲ ଫୋନ୍‌, ୫ହଜାର ଟଙ୍କା ସେମାନଙ୍କ ପାଖରୁ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ପୁଲିସର ସୂଚନା ଅନୁଯାୟୀ, ଏକ ଘରୋଇ ବସ୍ ଗୋପୀନାଥରେ କଫ୍‌ସିପ୍ ନେଇ ତିନି ଜଣ ବଲାଙ୍ଗୀର ଆସୁଥିବା ପୁଲିସ ଖବର ପାଇଥିଲା। ରାତି ୪ଟାରେ ବଲାଙ୍ଗୀର-ଟିଟିଲାଗଡ଼ ରୋଡ଼ ୫୯ନଂ ଜାତୀୟ ରାଜପଥରେ ବସ୍‌ରୁ କଫ୍‌ସିରପ୍ ଓହ୍ଲାଇ ସହରକୁ ଆଣିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ମାଡ଼ିବସିଥିଲା ଟାଉନ ଥାନା ପୁଲିସ। ଚଢ଼ଉ ସମୟରେ ଟାଉନ ଥାନା ଏସ୍‌ଆଇ ଏନ୍‌.କେ. ଭୋଇ, ଏଏସ୍‌ଆଇ ଏମ୍‌. ପ୍ରଧାନ, ପି. ରଣା, କେ. ଭୋଇ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ପୁଲିସ ଏକ ସ୍ପେସାଲ ଟିମ୍‌ ଗଠନ କରି କଫ୍‌ସିରପ୍ ମାଫିଆଙ୍କ ଉପରେ ନଜର ରଖି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ସମ୍ବନ୍ଧିତ ଖବର