ସମ୍ବଲପୁରରେ ୨୨୫ ଶଯ୍ୟା ବିଶିଷ୍ଟ ସଂପ୍ରସାରିତ କୋଭିଡ୍ ହସ୍‌ପିଟାଲ୍ କାର୍ଯ୍ୟକ୍ଷମ

ସପ୍ତାହେ ମଧ୍ୟରେ ଚାଲୁ ହେବ ଅନ୍ୟ ଦୁଇ ଡାକ୍ତରଖାନା

ସମ୍ବଲପୁର : ୫୦ ଆଇସିୟୁ ଯୁକ୍ତ ୨୨୫ ଶଯ୍ୟା ବିଶିଷ୍ଟ ସଂପ୍ରସାରିତ ଭିମସାର୍‌ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ୨୦ ଆଇସିୟୁ ଓ ୧୦୦ ସାଧାରଣ ଶଯ୍ୟା ଥିବା ଏହି ଡାକ୍ତରଖାନାର ସଂପ୍ରସାରଣ ପାଇଁ ଦୁଇ ସପ୍ତାହ ତଳେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହାପରେ ଅତିରିକ୍ତ ୩୦ଟି ଆଇସିୟୁ ବ୍ୟବସ୍ଥା, ଭେଣ୍ଟିଲେଟର୍‌ ସଂଯୋଗ, ଅତିରିକ୍ତ ଶଯ୍ୟା, ସବୁ ଶଯ୍ୟା ପାଇଁ ଅକ୍ସିଜେନ୍ ବ୍ୟବସ୍ଥା, ଅତିରିକ୍ତ ଶୌଚାଳୟ, ଅତିରିକ୍ତ ବିଦ୍ୟୁତ୍‌ ଉପକରଣ ଓ ୱେରିଂ ଆଦି ଯୁଦ୍ଧକାଳୀନ ଭିତ୍ତିରେ କରା ଯାଇଥିଲା। କାମ ସରିବା ପରେ ୧୭୫ଟି ସାଧାରଣ ଶଯ୍ୟା ଓ ପରିବର୍ଦ୍ଧିତ ଆଇସିୟୁ ବ୍ଲକ୍‌କୁ ରୋଗୀଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି।

ବୁଧବାର ଭିମସାର୍‌ରେ ମୋଟ ୧୮୭ ଜଣ ରୋଗୀ ଥିବାରୁ ଉଭୟ ସାଧାରଣ ଓ ଆଇସିୟୁକୁ ମିଶାଇ ମୋଟ ୩୮ଟି ଶଯ୍ୟା ଖାଲି ରହିଛି। ୧୮୭ ଜଣଙ୍କ ମଧ୍ୟରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଛତିଶଗଡ଼ର ରୋଗୀ ମଧ୍ୟ ରହିଛନ୍ତି। ତେଣୁ ବର୍ତ୍ତମାନ ପାଇଁ ସ୍ଥିତି ନିୟନ୍ତ୍ରଣରେ ଅଛି। ଆସନ୍ତା ଗୋଟିଏ ସପ୍ତାହ ଭିତରେ ଭିମ୍‌ସାର୍‌ ନୂଆ ମେଡିସିନ୍‌ କୋଠାରେ ହେବାକୁ ଥିବା ଦ୍ବିତୀୟ କୋଭିଡ୍ ହସ୍‌ପିଟାଲ୍ କାର୍ଯ୍ୟକ୍ଷମ ହେବ। ସେହି ସମୟ ଭିତରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଗୋଟିଏ ଅଂଶରେ କଟକର ଅଶ୍ବିନୀ ହସ୍‌ପିଟାଲ୍ ସହଯୋଗରେ ହେବାକୁ ଥିବା ପିପିପି ମୋଡ୍‌ କୋଭିଡ୍‌ ଡାକ୍ତରଖାନା ମଧ୍ୟ କାର୍ଯ୍ୟକାରୀ ହୋଇ ଯାଇଥିବ। ଏହାଦ୍ବାରା ତିନି ସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ପ୍ରାୟ ୭୦୦ରେ ପହଞ୍ଚିବ। ଫଳରେ ଜିଲ୍ଲାବାସୀଙ୍କ ପାଇଁ ଆଇସିୟୁ ଓ ଶଯ୍ୟାର ଅଭାବ ରହିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କହାଯାଇଛି। ଆବଶ୍ୟକ ସ୍ଥଳେ ଅନ୍ୟ ଜିଲ୍ଲାର ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେଇ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଭିମସାର୍‌ କୋଭିଡ୍‌ ହସ୍‌ପିଟାଲ୍‌ର ସଂପ୍ରସାରିତ ଶଯ୍ୟା ଗୁଡ଼ିକରେ ରୋଗୀ ଭର୍ତ୍ତି ଆରମ୍ଭ ହୋଇଥିବା ବେଳେ ଅଳ୍ପ କେତୋଟି ଆଇସିୟୁରେ କିଛିଟା ବୈଷୟିକ କାର୍ଯ୍ୟ ବାକି ରହିଛି ବୋଲି ଭିମସାର୍‌ ନିର୍ଦ୍ଦେଶକ ଡା. ଲଳିତ ‌ମେହେର କହିଛନ୍ତି। ଦ୍ବିତୀୟ ହସ୍‌ପିଟାଲ୍ ପାଇଁ ବି ଜୋରସୋର୍‌ରେ କାମ ଚାଲିଥିବା ସେ ସୂଚନା ଦେଇଛନ୍ତି। ବୁର୍ଲାରେ କୋଭିଡ୍‌ ପ୍ରଯତ୍ନ କେନ୍ଦ୍ର (ସିସିସି) କାର୍ଯ୍ୟକ୍ଷମ ହେବା ପରେ ବର୍ତ୍ତମାନ ଭିମସାର୍‌କୁ ଆସୁଥିବା ରୋଗୀଙ୍କ ସ୍କ୍ରିନିଂ କରାଯାଇ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ନଥିବା ସଂକ୍ରମିତଙ୍କୁ  ସେଠାକୁ (ସିସିସି)କୁ ପଠାଯାଉଛି ବୋଲି ଅଧୀକ୍ଷକ ଡା. ଲାଲ୍‌ମୋହନ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର