ଓଡ଼ିଶାରେ ୧୦ ବର୍ଷରେ ୨୨୫ ମାମଲାର ତଦନ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ : ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗତ ୧୦ ବର୍ଷ (୨୦୧୩ରୁ ୨୦୨୨) ମଧ୍ୟ‌ରେ କ୍ରାଇମ୍‌ବ୍ରାଞ୍ଚ ପୁଲିସ ଷ୍ଟେସନ ସମୁଦାୟ ୨୨୫ଟି ମାମଲାର ତଦନ୍ତ କରିଛି। ଏହି ମାମଲାଗୁଡ଼ିକରେ ୨୬୧ ଜଣ ଅଭିଯୁକ୍ତ ଗିରଫ ହୋଇଥିଲା ବେଳେ ୮୮ ଗୋଟି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଏହି ୧୦ ବର୍ଷ ମଧ୍ୟରେ ୧୧ଗୋଟି ମାମଲା କୋର୍ଟରେ ଫଇସଲା ହୋଇଛି। ସେଥିମଧ୍ୟରୁ ୧୦ ଗୋଟି ମାମଲା ଦୋଷସିଦ୍ଧ ହୋଇଅଛି। ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ  ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।

ବିଧାୟକ ଗଣେଶ ରାମ୍‌ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନରେ ସୋମବାର ଶ୍ରୀ ବେହେରା କହିଛନ୍ତି, ଭୁବନେଶ୍ବରସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଠାରେ ପଲିଗ୍ରାଫ୍‌ ଟେଷ୍ଟ କରିବା ନିମନ୍ତେ ସୁବିଧା ରହିଛି। ମାତ୍ର ରାଜ୍ୟରେ ନାର୍କୋ ଆନାଲିସସ୍‌ ଟେଷ୍ଟ କରିବା ନିମନ୍ତେ କୌଣସି ସୁବିଧା ନାହିଁ। ଏଥି ନିମନ୍ତେ ମାନ୍ୟବର ଅଦାଲତଙ୍କ ଅନୁମତି କ୍ରମେ ଅନ୍ୟାନ୍ୟ ରାଜ୍ୟ କିମ୍ବା କେନ୍ଦ୍ରୀୟ ବିଜ୍ଞାନାଗାର ଠାରେ ଏହି ନାର୍କେ ଆନାଲିସସ୍‌ ଟେଷ୍ଟ କରାଯାଇଥାଏ।

Photo: Twitter

ସୂଚନାଯୋଗ୍ୟ, ଆଜି ଗୃହରେ ମୟୂରଭଂଜ ଜିଲ୍ଲା ଯଶୀପୁର ବିଧାୟକ ଗଣେଶ ରାମ୍‌ ସିଂ ଖୁଣ୍ଟିଆ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଗତ ୧୦ ବର୍ଷ ଭିତରେ କ୍ରାଇମ୍‌ବ୍ରାଞ୍ଚ କେଉଁ କେଉଁ ଘଟଣାର ତଦନ୍ତ କରିଛି। କେତେ ପରିମାଣରେ ସଠିକ୍‌ ଦୋଷୀ ଧରିବା, ପ୍ରମାଣ ଯୋଗାଣ କରି କୋର୍ଟରେ ଉପଯୁକ୍ତ ପ୍ରମାଣ ଦାଖଲ କରି କେଶ୍‌ର ଦୋଷୀ ‌ଦଣ୍ଡିତ ହେବା ଭଳି କେତୋଟି ଗୁରୁତ୍ବପୂର୍ଣ୍ଣ କେଶ୍‌ର ସଫଳତା ପାଇଛି। ଓଡ଼ିଶାରେ ନାର୍କୋ ଟେଷ୍ଟ ପଲିଗ୍ରାଫ୍‌ ଟେଷ୍ଟର ସୁବିଧା ଅଛି କି? ଯଦି ହଁ ତେବେ ଏଭଳି ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଅନ୍ୟ ରାଜ୍ୟ ଉପରେ ନିର୍ଭର କରେ କାହିଁକି? ଜଣେ ମାନସିକ ରୋଗୀର ନାର୍କୋ ପଲିଗ୍ରାଫ୍‌ ଟେଷ୍ଟ ଓ ଧାରା ୧୬୦ରେ ବୟାନ ରେକର୍ଡ କରାଯିବାର ନିୟମ ଅଛି କି?

ସମ୍ବନ୍ଧିତ ଖବର