ବନ୍ଦ ପାଇଁ ସୁରକ୍ଷା ବ୍ୟବସ୍ଥାରେ ୨୨୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : ତୈଳ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସାରା ଦେଶରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତର ବ୍ୟବସ୍ଥା କରାଯାଇଛି। ପାଖାପାଖି ୨୨୫ ପ୍ଲାଟୁନ ଫୋର୍ସ ସାରା ରାଜ୍ୟରେ ମୁତୟନ ହେବେ। ଅତିରିକ୍ତ ପୁଲିସ ଫୋର୍ସ ମଧ୍ୟ ଯୋଗାଇ ଦିଆଯାଇଛି। ଏଥିପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ରେଞ୍ଜ ଆଇଜି, ଡିଆଇଜି ଓ ଜିଲ୍ଲା ଏସ୍‌ପିମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟକୁ ବିକ୍ଷୋଭକାରୀମାନେ ଟାର୍ଗେଟ କରିବାର ଆଶଙ୍କା ଥିବାରୁ ସେଠାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାକୁ କୁହାଯାଇଛି। ସରକାରୀ ସମ୍ପତ୍ତି ଯେଭଳି ନଷ୍ଟ ନ ହୁଏ ଏବଂ ସାଧାରଣ ଲୋକ ବନ୍ଦ ପାଳନ ବେଳେ ଯେମିତି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ଏଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏସ୍‌ପି ଓ କମିସନରେଟ ପୁଲିସର ଦୁଇ ଡିସିପିଙ୍କୁ କୁହାଯାଇଛି। ରାଜ୍ୟରେ ଥିବା ସମସ୍ତ ପୁଲିସ ବଳକୁ ଏହି ବନ୍ଦ ବେଳେ ନିଯୋଜନ କରାଯିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ବନ୍ଦ ବେଳେ ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀଙ୍କୁ ସହଯୋଗ କରିବାକୁ ପୁଲିସ ଡିଜି ଅନୁରୋଧ କରିଛନ୍ତି। ବନ୍ଦକୁ ସଂପୂର୍ଣ ଭାବେ ଶାନ୍ତିପୂର୍ଣ ଭାବେ ପାଳନ କରିବାକୁ ଆଶା ରଖାଯାଇଛି ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।

ସେହିପରି କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ବନ୍ଦବେଳେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଧାନସଭା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇଛି। ଏହା ଛଡ଼ା ବିଧାନସଭା, ସଚିବାଳୟ, ରେଳଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ୍‌, ମାଷ୍ଟରକ୍ୟାଣ୍ଟିନ୍‌, ରାମମନ୍ଦିର, ଚନ୍ଦ୍ରଶେଖରପୁର ଓ ଜାତୀୟ ରାଜପଥରେ ପୁଲିସ ଫୋର୍ସ ନିୟୋଜିତ ହେବେ। ସହରର ବିଭିନ୍ନ ସମ୍ବେଦନଶୀଳ ଛକରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ଯେଉଁଠି କଂଗ୍ରେସ କର୍ମୀମାନେ ଏକାଠି ହେବେ ସେଠାରେ ଷ୍ଟ୍ରାଇକିଂ ଫୋର୍ସ ସେମାନଙ୍କ ପିଛା କରିବ। ଗୁଇନ୍ଦା ବିଭାଗ ସହିତ ଏନେଇ ଆଲୋଚନା ମଧ୍ୟ କରାଯିବ। ବନ୍ଦ ବେଳେ ପାଖାପାଖି ୫୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ୩୦୦ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଦୁଇ ସହରରେ ଦୁଇ ଡିସିପିଙ୍କ ନେତୃତ୍ୱରେ ପୁଲିସ ବାହିନୀ ଗତିଶୀଳ ହେବ। ସ୍ଥାନୀୟ ଥାନା ପୁଲିସ, ଇନ୍ସପେକ୍ଟର, ଓ ଜୋନାଲ ଏସିପିମାନେ ମଧ୍ୟ ପାଟ୍ରୋଲିଂ ବ୍ୟବସ୍ଥାକୁ ମଜବୁତ କରିବେ। ବନ୍ଦବେଳେ ବସ୍‌ଯାତ୍ରୀ, ଟ୍ରେନ୍‌ ଯାତ୍ରୀ, ସାଧାରଣ ଲୋକ ଯେମିତି ହଇରାଣ ହରକତ ନ ହୁଅନ୍ତି ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୁଲିସ କମିସନର ଶ୍ରୀ ମହାନ୍ତି ଡିସିପି ଦ୍ୱୟଙ୍କ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର