କୋଭିଡ ବର୍ଷରେ ୨୨୫୦ ସାଇବର ଅପରାଧ

ଠକେଇ ଟଙ୍କାରେ ଅପରାଧୀ କିଣୁଛନ୍ତି ସୁନାଗହଣା, ଆଇଫୋନ୍

କଟକ : ୨୦୨୦ କୋଭିଡ ସ୍ଥିତିର ପ୍ରଚୁର ଫାଇଦା ଉଠାଇଛନ୍ତି ସାଇବର‌୍‌ ଅପରାଧୀ। ଗଲା ପାଖାପାଖି ବର୍ଷକ ଭିତରେ ରାଜ୍ୟରେ ପ୍ରାୟ ୨୨ ଶହ ୫୦ ଅପରାଧ ଘଟାଇଛନ୍ତି। ୨୦୧୯ରେ ଏହି ସଂଖ୍ୟା ୧୪୮୫ ଥିବାବେଳେ ବର୍ଷକ ଭିତରେ ଦେଢ ଗୁଣ ବଢି ଯାଇଛି। ୨୦୨୧ରେ ଜାନୁଆରି ୧ରୁ ଫେବ୍ରୁଆରି ୪ ତାରିଖ, ମାତ୍ର ୩୫ ଦିନ ଭିତରେ ବି ଦୁର୍ବୃତ୍ତ ୨୮୦ ଅପରାଧ ଘଟାଇ ସାରିଲେଣି। ରାଜ୍ୟରେ ଏଭଳି ସ୍ଥିତି ଏବେ କ୍ରାଇମବ୍ରାଞ୍ଚର ଚିନ୍ତା ବଢାଇଛି।

ଅନଲାଇନ୍‌ରେ ଟଙ୍କା ଠକେଇ ପରେ ତୁରନ୍ତ ସାଇବର‌୍‌ ସେଲ୍‌ରେ ଏତଲା ହେଉ ନଥିବାରୁ ଟଙ୍କା ଫେରସ୍ତ ପାଇବା ମୁଖ୍ୟ ସମସ୍ୟା ପାଲଟିଛି। ଏଭଳି ବିଳମ୍ବ ଅପରାଧୀଙ୍କୁ ଲୁଟିଥିବା ଟଙ୍କାରେ ଅନଲାଇନ୍‌ ସପି˚ େଵବସାଇଟରୁ ମୂଲ୍ୟବାନ ସାମଗ୍ରୀ କିଣିନେବା ସହଜ ହେଉଛି। ତେଣୁ ଇ-ମେଲ୍‌ ମାଧ୍ୟମରେ ଗ୍ରାହକ ଏତଲା ଦେବା ନେଇ କ୍ରାଇମବ୍ରାଞ୍ଚ ପଦକ୍ଷେପ ଆରମ୍ଭ କରିଛି। ତୁରନ୍ତ ଅଭିଯୋଗ ଆଧାରରେ ସାଇବର‌୍‌ ଅପରାଧୀ ଲୁଟିଥିବା ଟଙ୍କାର ସମସ୍ତ କାରବାର ବନ୍ଦ କରିବାରେ କ୍ରାଇମବ୍ରାଞ୍ଚ ସକ୍ଷମ ହୋଇପାରିବ ବୋଲି ସୂଚନା ଦିଆଯାଇଛି।

ଏବେ ସାଧାରଣତଃ ସାଇବର‌୍‌ ଅପରାଧୀ ଫ୍ଲିପକାର୍ଟ, ଆମାଜନ ଭଳି ଅନଲାଇନ୍‌ ସପି˚ େଵବସାଇଟ୍‌ରେ ଦାମି ମୋବାଇଲ୍‌ ଓ ଘଣ୍ଟା ଭଳି ସାମଗ୍ରୀ କିଣିନେଉଛନ୍ତି। ଫୋନ ପେ, ପେଟେମ୍‌ କିମ୍ବା ଗୁଗୁଲ ପେ ମାଧ୍ୟମରେ ଟଙ୍କା ପ୍ରଥମେ ଵାଲେଟ୍‌କୁ ନେଉଛନ୍ତି। ସେଥିରୁ ସୁନା କିଣିନେଉଥିବା ଭଳି ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏବେ ଅଭିଯୋଗ ପାଇଁ ଇ-ମେଲ୍‌ ଆଇଡି କାର୍ଯ୍ୟକ୍ଷମ ହୋଇଥିବା ବେଳେ କମିସନରେଟ୍‌ ପୁଲିସ ଶୈଳୀରେ ଖୁବ୍‌ଶୀଘ୍ର ୨୪ ଘଣ୍ଟିଆ ଫୋନ୍‌ ସେବା କ୍ରାଇମବ୍ରାଞ୍ଚ ଆରମ୍ଭ କରିବାକୁ ଯାଉଛି। ଯେକୌଣସି ମୂହୁର୍ତ୍ତରେ ଠକେଇର ଶିକାର ହୋଇଥିବା ଗ୍ରାହକ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇପାରିବେ।

ମିଳିଥିବା ତଥ୍ୟ ମୁତାବକ ୨୦୧୮ରେ ଗ୍ରାହକଙ୍କ ମାତ୍ର ଅଢେ଼ଇ ଲକ୍ଷ ଟଙ୍କା ସାଇବର‌୍‌ ଅପରାଧୀଙ୍କ ମୁହଁରୁ ଫେରସ୍ତ ହୋଇଥିଲା। ୨୦୧୯ରେ ୫ ଲକ୍ଷ ଟଙ୍କା, ୨୦୨୦ରେ ୭ ଲକ୍ଷ ଟଙ୍କା ଫେରସ୍ତ ହୋଇଥିବା ବେଳେ ୨୦୨୧ରେ ମାତ୍ର ୩୫ ଦିନ ଭିତରେ ଫେରସ୍ତ ଟଙ୍କା ୩ ଲକ୍ଷ ଟପିବାକୁ ବସିଲାଣି। ମୋଟ ୧୭ ଲକ୍ଷ ୫୦ ହଜାର ଟଙ୍କା ପାଖାପାଖି ଠକେଇ ରାଶି ୪ ବର୍ଷ ଭିତରେ କ୍ରାଇମବ୍ରାଞ୍ଚ ଫେରସ୍ତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର