ବର୍ଷକ ମଧ୍ୟରେ ୨୨୬ ଗର୍ଭବତୀ ମହିଳା ଏଚ୍‌ଆଇଭି ଚିହ୍ନଟ

ଭୁବନେଶ୍ୱର : ଗତ ୧ବର୍ଷରେ ରାଜ୍ୟରେ ୨୨୬ଜଣ ଗର୍ଭବତୀ ମହିଳା ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଥିବା ୪୩ଜଣ ମହିଳାଙ୍କୁ ମିଶାଇ ୨୦୧୬/୧୭ରେ ରାଜ୍ୟରେ ମୋଟ ୨୬୯ଜଣ ଗର୍ଭବତୀ ମହିଳା ଏଚ୍‌ଆଇଭି ପଜିଟିଭ ଥିବା ଜଣାପଡ଼ିଛି।

ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଏନ୍‌ସି ବା ଆଣ୍ଟେ ନାଟାଲ କେୟାର କ୍ଷେତ୍ରରେ ଓଡ଼ିଶାରେ ଯଥେଷ୍ଟ ଉନ୍ନତି ହୋଇଛି। ଗତବର୍ଷ ରାଜ୍ୟରେ ଏହା ୪୨ପ୍ରତିଶତ ଥିବା ବେଳେ ୨୦୧୬/୧୭ରେ ଏହା ବୃଦ୍ଧି ପାଇ ୭୯ପ୍ରତିଶତରେ ପହଞ୍ଚିଛି। ସେହପରି ଚଳିତବର୍ଷ ପ୍ରଥମ ୩ ମାସରେ ଏହାର ୮୬ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ଏଏନ୍‌ସି ଚିହ୍ନଟ ପ୍ରକ୍ରିୟାକୁ ଶତ ପ୍ରତିଶତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ରାଜ୍ୟରେ ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି ଓ ପ୍ରସବ କେନ୍ଦ୍ରରେ ଏଚ୍‌ଆଇଭିର ଚିହ୍ନଟ କରାଯାଉଛି। ଏହା ସତ୍ୱେ ମଧ୍ୟ ଅନେକ ମହିଳା ଏଥିରୁ ଖସି ଯାଉଛନ୍ତି। ତେଣୁ ଏଏନ୍‌ସିକୁ ଶତ ପ୍ରତିଶତରେ ପରିଣତ କରିବା ପାଇଁ ପିଏଚ୍‌ସି(ନୂତନ) ଓ ଉପଖଣ୍ଡ ଚିକିତ୍ସାଳୟରେ ଏଚ୍‌ଆଇଭି ସ୍କ୍ରିନିଂ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁ ପିଏଚ୍‌ସି(ନୂତନ)ରେ ରେଫ୍ରିଜିରେଟର ରହିଛି ସେଠାରେ ଏଚ୍‌ଆଇଭିର ସ୍କ୍ରିନିଂ କରାଯିବ। ୨୦୨୦ ମସିହା ସୁଦ୍ଧା ମା’ଠାରୁ ଶିଶୁକୁ ଏଚ୍‌ଆଇଭି ବ୍ୟାପିବାରୁ ରୋକିବା କ୍ଷେତ୍ରରେ ଏହା ସହାୟକ ହୋଇପାରିବ। ତେଣୁ ଯେଉଁ ଗର୍ଭବତୀ ମହିଳାମାନେ ଏଚ୍‌ଆଇଭି ଚିହ୍ନଟ ହେବେ ସେମାନଙ୍କୁ ଏଆରଟି କେନ୍ଦ୍ର ସହ ଯୋଡ଼ିବା ଓ ଜୀବନବ୍ୟାପୀ ଔଷଧ ସେବନ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଗର୍ଭଧାରଣର ପ୍ରଥମ ୩ମାସ ମଧ୍ୟରେ ଏଚ୍‌ଆଇଭିର ପରୀକ୍ଷା କରିବା ଉପରେ ସମିତି ପକ୍ଷରୁ ଜୋର ଦିଆଯାଉଛି।

ଓସାକ୍ସ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ୟୁନିସେଫର ମିଳିତ ଉଦ୍ୟମରେ ରାଜ୍ୟରେ ପିପିଟିସିଟି ବା ପ୍ରିଭେନସନ୍‌ ଫ୍ରମ୍‌ ପ୍ୟାରେଣ୍ଟସ୍‌ ଟୁ ଚାଇଲ୍‌ଡ ଟ୍ରାନସମିସନ୍‌ ଉପରେ ଦୁଇ ଦିନିଆ ସମୀକ୍ଷା ହୋଇଥିଲା। ଏଥିରେ ମିଳିତ ଜାତିସଂଘ ପକ୍ଷରୁ ୨୦୨୦ ମସିହା ସୁଦ୍ଧା ଦିଆଯାଇଥିବା ୯୦-୯୦-୯୦ ଓ ଏଚ୍‌ସିଟିଏସ୍‌ ଗାଇଡଲାଇନ ସଂପର୍କରେ ଆଲୋଚନା କରାଯାଇଥିଲା। ଏହା ଦୁଇ ଦିନିଆ କର୍ମଶାଳାକୁ ଓସାକ୍ସର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଡା.ସଂଜୟ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦେଶାଳୟର ଯୁଗ୍ମ ନିର୍ଦେଶିକା ଡା.ବନଲତା ଦେବୀ, ଜାତୀୟ ସ୍ୱାସ୍ଥ୍ୟ ମିସନର ଅଧିକାରୀ ଦୀନବନ୍ଧୁ ସାହୁ, ୟୁନିସେଫର ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜେଶ ରାଜ ମଲ, ଓସାକ୍ସର ଯୁଗ୍ମ ନିର୍ଦେଶକ ସୁଶାନ୍ତ ସ୍ୱାଇଁ, ରାଜ୍ୟ ପିପିଟିସିଟିର ପରାମର୍ଶଦାତା ତୃପ୍ତି ମିଶ୍ର ଓ ସହ ନିର୍ଦେଶିକା ମାୟାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସହକାରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ, ଉପ-ପ୍ରବନ୍ଧକ ଓ କାଉନସେଲର ଯୋଗ ଦେଇଥିଲେ। ସୂର୍ଯ୍ୟ ଦାଶ କର୍ମଶାଳାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର