ଭୁବନେଶ୍ବର: ରାଜ୍ୟରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍ସକୁ ନେଇ ସାଂଘାତିକ ଚିତ୍ର ସାମାନାକୁ ଆସିଛି। ୨୨୭ଟି ଆମ୍ବୁଲାନ୍ସ ହଠାତ୍ ଅଚଳ ହୋଇଯିବା କାରଣରୁ ରୋଗୀ ସେବାରୁ ବାଦ୍ ପଡ଼ିଛନ୍ତି। ଅଚଳ ହୋଇଥିବା ଏସବୁ ଆମ୍ବୁଲାନ୍ସ ଆସନ୍ତା କିଛିଦିନ ଭିତରେ ପୁଣି ଥରେ ରୋଗୀ ସେବାରେ ସାମିଲ ହେବା ଆଶଙ୍କା କମ୍। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବାକୁ ଯଥେଷ୍ଟ ବିଳମ୍ବ ହେଉଛି। ଆଗକୁ ଏହି ସ୍ଥିତି ଲାଗି ରହିଲେ ରାଜ୍ୟରେ ରୋଗୀ ସେବା ଏକପ୍ରକାର ଠପ୍ ହୋଇଯିବ। ରାଜ୍ୟରେ ଏବେ ୮୬୦ଟି ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛି। ତହିଁରୁ ୪୨୦ଟି ଆମ୍ବୁଲାନ୍ସର ଅବଧି ଗତବର୍ଷ ଡିସେମ୍ବର ମାସରୁ ଶେଷ ହୋଇଯାଇଛି। ଏହା ବଦଳରେ ନୂଆ ଆମ୍ବୁଲାନ୍ସ କିଣାଯିବା କଥା। ମାତ୍ର ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା ନୂଆ ଆମ୍ବୁଲାନ୍ସ କିଣିବା ନିଷ୍ପତ୍ତି ହୋଇପାରୁନାହିଁ। ମାସ ମାସ ଧରି ତର୍ଜମା ପ୍ରକ୍ରିୟା ଜାରି ରହିଥିବାରୁ ଆମ୍ବୁଲାନ୍ସ କିଣା ବିଳମ୍ବ ହେଉଛି। ଅନ୍ୟପଟରେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ୫ଲକ୍ଷରୁ ଅଧିକ କିମି ଚାଲିବା ଓ ୫ବର୍ଷ ଅବଧି ପୂରଣ ହୋଇଥିବାରୁ ଏସବୁ ଆମ୍ବୁଲାନ୍ସ ଆଉ ରୋଗୀ ସେବା ପ୍ରଦାନ ଅବସ୍ଥାରେ ନାହାନ୍ତି। କେଉଁଥିରୁ ପାଣି ଗଳୁଛି ତ ଆଉ କେଉଁଟି ଅଧା ବାଟରେ ବନ୍ଦ ହୋଇଯାଉଛି। ଯେତେ ମରାମତି କଲେ ବି ଗାଡ଼ି ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେଉନାହିଁ। ଧୀରେ ଧୀରେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ରୋଗୀ ସେବାରୁ ବାଦ୍ ପଡ଼ୁଛନ୍ତି। ଆଜି ସୁଦ୍ଧା ସମୁଦାୟ ଗାଡ଼ିରୁ ୨୬% ୧୦୮ ଆମ୍ବୁଲାନ୍ସ ଅଫ୍ ରୋଡ୍ ହୋଇଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ କେନ୍ଦୁଝରରେ ସର୍ବାଧିକ ୧୭, ଖୋର୍ଦ୍ଧା ୧୬, ଗଞ୍ଜାମ, ୧୫, ଯାଜପୁର ୧୩, ବାଲେଶ୍ବର ୧୨, ବଲାଙ୍ଗୀର-ପୁରୀ ୧୧ ଲେଖାଏଁ, ମୟୂରଭଞ୍ଜ-ରାୟଗଡ଼ା-ସୁନ୍ଦରଗଡ଼ରେ ୧୦ ଲେଖାଏଁ
ଓ ଅନ୍ୟ ଜିଲ୍ଲାରେ ମଧ୍ୟ ଗାଡ଼ି ରୋଗୀ ସେବାରୁ ବାଦ୍ ପଡ଼ିଛନ୍ତି। ୨ଶହରୁ ଅଧିକ ଗାଡ଼ି ଖରାପ ହୋଇଯାଇଥିବାରୁ ରୋଗୀଙ୍କୁ ତ୍ବରିତ ସେବା ପ୍ରଦାନ କରିବା ଅସମ୍ଭବ ହୋଇପଡ଼ିଛି। ଚୁକ୍ତି ଅନୁସାରେ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା ଏମ୍ରି ଗ୍ରିନ୍ ସଂସ୍ଥା ମାନବ ସମ୍ବଳ ଓ ମରାମତି କାମ କରିବ। ପୁରୁଣା ଆମ୍ବୁଲାନ୍ସର ମରାମତି ପାଇଁ ମାସକୁ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ମରାମତିର କିଛିଦିନ ପରେ ଆମ୍ବୁଲାନ୍ସ ପୁଣି ଖରାପ ହୋଇଯାଉଛି।
ଅପରପକ୍ଷରେ ଆସନ୍ତା ଜାନୁଆରି ମାସରେ ରାଜ୍ୟରେ ଆହୁରି ୧୧୨ଟି ଆମ୍ବୁଲାନ୍ସ ବଦଳିବା ପାଇଁ ଯୋଗ୍ୟ ହୋଇଯିବ। ଏସବୁ ଗାଡ଼ି ୫ବର୍ଷରୁ ଅଧିକ ସମୟ ଚାଲିଥିବାରୁ ଏହାର ବଦଳରେ ନୂଆ ଗାଡ଼ି ଆସିବ। ତେଣୁ ଗତବର୍ଷରୁ ଥିବା ୪୨୦ ଓ ଆସନ୍ତା ଜାନୁଆରି ମାସରେ ହେବାକୁ ଥିବା ୧୧୨କୁ ମିଶାଇ ସମୁଦାୟ ୫୩୨ଟି ୧୦୮ ଆମ୍ବୁଲାନ୍ସ ଏବେ ବଦଳାଯିବ। ମାତ୍ର ସରକାରୀ ସ୍ତରରେ ଯେଉଁଭଳି କଚ୍ଛପ ଗତିରେ ନିଷ୍ପତ୍ତି ନିଆଯାଉଛି ଏଥିରେ ଖୁବଶୀଘ୍ର ନୂଆ ଆମ୍ବୁଲାନ୍ସ ଆସିବା ଆଶଙ୍କା କମ୍। ଏ ସଂପର୍କରେ ଜାତୀୟ ସ୍ବାସ୍ଥ୍ୟ ମିସନ୍, ଓଡ଼ିଶାର ପିଟିସି ସେଲ୍ର ମୁଖ୍ୟ ପି. ଦାସଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/108-ambulance-2025-09-07-01-32-18.jpg)