ବ୍ରହ୍ମପୁର/ଶେରଗଡ଼/ଧରାକୋଟ : ଗୁଜରାଟର ସୁରତରୁ ୨୨୮ ଶ୍ରମିକଙ୍କୁ ନେଇ ଆସୁଥିବା ୪ଟି ବସ୍ ଆଜି ମଧ୍ୟରାତ୍ରିରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛି। ରାତି ୧୦ଟା ୪୫ରେ ସମସ୍ତ ବସ୍ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଦୁର୍ଗାପ୍ରସାଦରେ ପହଞ୍ଚିବା ପରେ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ଆଲୋକ ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ୍ ଦିଆଯାଇଥିଲା। ସେଠାରୁ ବାହାରି ରାତି ୧୧ଟାରେ ବସ୍ ଭଞ୍ଜନଗରରେ ଲାଗିଥିଲା। ସେଠାରୁ ପୁଲିସ ଏସ୍କର୍ଟରେ ସମସ୍ତ ବସ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା ଏବଂ ରାତି ପ୍ରାୟ ୧୨ଟାରେ ୪ଟି ବସ୍ ଶେରଗଡ଼ ଓ ଧରାକୋଟରେ ପହଞ୍ଚିଥିବା ଜଣାପଡ଼ିଛି। ଶେରଗଡ଼ ଆଦର୍ଶ ବିଦ୍ୟାଳୟ ଓ ଧରାକୋଟ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କକ୍ଷରେ ସମସ୍ତଙ୍କୁ ରଖାଯାଇଛି।
ଆଜି ସନ୍ଧ୍ୟା ସୁଦ୍ଧା ୪ଟି ବସ୍ ଓଡ଼ିଶାର ସୋନପୁର ଜିଲ୍ଲା ଅତିକ୍ରମ କରିସାରିଥିଲା। ସେଠାରେ ପୁଲିସ ପକ୍ଷରୁ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଦିଆ ଯାଇଥିଲା। ଏହିସବୁ ବସ୍ରେ ଆସିଥିବା ୨୨୮ଜଣଙ୍କ ମଧ୍ୟରୁ ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ ଗୃହରେ ୧୧୪ଜଣ ଏବଂ ଧରାକୋଟ ବ୍ଲକ୍ କୁଶଗୁମା ଆଦର୍ଶ ବିଦ୍ୟାଳୟର ଛାତ୍ରୀନିବାସରେ ୧୧୪ଜଣ ରହିବେ ବୋଲି ସୂଚନା ମିଳିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି।
ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ୨୫ଟି କୋଠରିରେ ୧୧୪ଜଣଙ୍କୁ ରଖାଯିବ। ୬ ମହିଳାଙ୍କ ପାଇଁ ପୃଥକ୍ କୋଠରି ବ୍ୟବସ୍ଥା କରାଯାଇଛି। ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଦର୍ଶ ବିଦ୍ୟାଳୟକୁ ଗସ୍ତ କରି ପ୍ରସ୍ତୁତି ତଦାରଖ କରିଥିଲେ। ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ାଙ୍କ ସମେତ ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଫେରିବା ପରେ ସମସ୍ତଙ୍କ ସ୍କ୍ରିନିଂ ଟେଷ୍ଟ୍ ସହ ସଙ୍ଗରୋଧ ଗୃହରେ ପରିମଳ, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥାକୁ ଜିଲ୍ଲାପାଳ ତଦାରଖ କରିଥିଲେ। ସେହିପରି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ସଙ୍ଗରୋଧ ନିୟମ କଡ଼ାକଡ଼ି ପାଳନ ଉପରେ ଆଲୋଚନା କରିଛନ୍ତି। ସମସ୍ତେ ଯେପରି ୧୪ ଦିନ ମଧ୍ୟରେ ସମସ୍ତ ନିୟମ ମାନିବେ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ସୋମବାର ସନ୍ଧ୍ୟାରେ ଏହି ୪ଟି ବସ୍ରେ ୨୨୮ ଜଣ ପ୍ରବାସୀ ଓଡ଼ିଆ ସୁରତ ପ୍ରଶାସନର ଅନୁମତି ନେଇ ନିଜ ଖର୍ଚ୍ଚରେ ୪ଟି ବସ୍ ଭଡ଼ା କରି ଗଞ୍ଜାମ ଅଭିମୁଖେ ବାହାରିଥିଲେ। ଏ ନେଇ ସୁରତ ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ। ସେଥିରୁ ଆଜି ଶେରଗଡ଼ରେ ଯେଉଁ ୨ଟି (ଜିଜେ-୦୧-ୟୁ-୦୮୮୮, ଜିଜେ-୨୩ଟି-୯୩୨୧) ବସ୍ ପହଞ୍ଚିବ, ସେଥିରେ ଶେରଗଡ଼ ବ୍ଲକ୍ର ୪୩, ହିଞ୍ଜିଳିର ୭, ଭଞ୍ଜନଗରର ୧୧, ସାନଖେମୁଣ୍ଡିର ୧୦, ଆସିକାର ୧୮, ପୋଲସରାର ୨, ଧରାକୋଟର ୫୮, ସୋରଡ଼ାର ୯, ଜଗନ୍ନାଥପ୍ରସାଦର ୨୦, ବେଲଗୁଣ୍ଠାର ୩୩, ପୋଲସରାର ୨, କବିସୂର୍ଯ୍ୟନଗର ଓ ଦିଗପହଣ୍ଡି ବ୍ଲକ୍ରୁ ଜଣେ ଲେଖାଏଁ ଏଭଳି ୨୧୭ ଜଣ ଅଛନ୍ତି। ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃ୍ଷ୍ଟି ପୁଣି ସନ୍ଧ୍ୟାରେ ଆସି ପ୍ରସ୍ତୁତି ତଦାରଖ କରିଥିଲେ।
ସେହିପରି ଧରାକୋଟ ବ୍ଲକ୍ କୁଶଗୁମା ଆଦର୍ଶ ବିଦ୍ୟାଳୟରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରନିବାସରେ ସୁରତରୁ ଫେରୁଥିବା ଏହି ଶ୍ରମିକ ମାନେ ସଙ୍ଗରୋଧରେ ରହିବେ। ବିଦ୍ୟୁତ୍ ଓ ଜଳଯୋଗାଣ ବ୍ୟବସ୍ଥା ସହ ପୁଲିସ ପହରା ପାଇଁ ବାହାରେ ଅସ୍ଥାୟୀ ଟେଣ୍ଟ୍ ଲଗାଯାଇଛି। ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଏଠାରେ ୧୧୪ଜଣ ରହିବେ। ଆଜି ସକାଳେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଓ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରସ୍ତୁତି ତଦାରଖ କରିବା ସହ ବିଡିଓ, ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।