ପଞ୍ଚାୟତ ନିର୍ବାଚନ: ସରିଲା ନାମାଙ୍କନ ପତ୍ର ଦାଖଲ, ପଡ଼ିଆକୁ ଓହ୍ଲାଇଲେ ୨ ଲକ୍ଷ ୨୯ ହଜାର ୬୨ ଜଣ ପ୍ରାର୍ଥୀ

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ୩୦ ଜିଲ୍ଲାରେ ମୋଟ୍‌ ୨ ଲକ୍ଷ ୨୯ ହଜାର ୬୨ ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି। ୱାର୍ଡମେମ୍ବର ପାଇଁ ସର୍ବାଧିକ ୧ଲକ୍ଷ ୬୨ ହଜାର ୨୯୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସରପଞ୍ଚ ପାଇଁ ୩୪ ହଜାର ୬୧୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ‌ବେଳେ ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।  ସେହିପରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ହଜାର ୯୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ଏହି ସୂଚନା ଦେଇଛନ୍ତି। ନାମାଙ୍କନ ଶେଷ ହୋଇଥିଲେ ବି ଏଥର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ସମୟ ଆସିଛି। ଅବଧି ଶେଷ ହେବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଆସନ୍ତା ଫେବ୍ରୁଆରି ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରିକ୍ରିୟା ଆରମ୍ଭ ହୋଇଯାଇଥିଲା। ଆଜି ଏହି ପ୍ରକ୍ରିୟାର ଶେଷ ଦିନ ଥିଲା। ଅନ୍ତିମ ଦିନରେ ୬୬ ହଜାର ୩୯୪ ଜଣ ପ୍ରାର୍ଥୀ ୱାର୍ଡମେମ୍ବର ପାଇଁ ନାମାଙ୍କନ କରିଥିଲେ। ସରପଞ୍ଚ ପାଇଁ ୧୪ ହଜାର ୧୭୫, ସମିତି ସଭ୍ୟ ପାଇଁ ୧୨ ହଜାର ୫୪୬ ଓ ଜିଲ୍ଲା ପରିଷଦ ପାଇଁ ୨୨୬୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ସୂଚନାଯୋଗ୍ୟ, ଫେବ୍ରୁଆରି ୧୬ରୁ ୨୪ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଜାନୁଆରି ୧୩ରେ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିବେ। ଜାନୁଆରି ୧୭ରୁ ୨୧ ମଧ୍ୟରେ ମନୋନୟନ ପତ୍ର ଦାଖଲ କରାଯିବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ। ପ୍ରଥମ ଥର ପାଇଁ ଏଥର ବ୍ଲକ ସଦର ମହକୁମାରେ ଭୋଟ୍‌ ଗଣତି ହେବ। ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍‌ ଗଣତି ସହ ଫଳାଫଳ ଘୋଷଣା ହେବ। ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ମତଦା‌ତା ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବେ।

ସମ୍ବନ୍ଧିତ ଖବର