ବାମରା: ବାମରା ଅଞ୍ଚଳର ରେଳ ସମସ୍ୟା ନେଇ ରବିବାର ଜିଲ୍ଲା ପ୍ରଶାସନର ପ୍ରୟାସ କ୍ରମେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବାମରା ବ୍ଲକ୍ ଅଫିସ୍ ସଭାଗୃହରେ କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏସ୍ଡିପିଓ ରାଜ କିଶୋର ମିଶ୍ର, ତହସିଲଦାର ଅନିଲ କୁଲୁ, ବିଡିଓ ପୁଷ୍ପକ ପ୍ରଧାନ, ଗୋବିନ୍ଦପୁର ଥାନା ଅଧିକାରୀ ବିଧୁ ଭୂଷଣ ମିଶ୍ର, ରେଲୱେ ପକ୍ଷରୁ ଝାରସୁଗୁଡ଼ା ସିନିୟର ସେକ୍ସନ ଇଞ୍ଜିନିୟର ପ୍ରେମ ସାଗର ହାତୀ ଓ ଜେଇ ନବୀନ କୁମାର ସମେତ ରେଳ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ। ତହସିଲଦାର ଶ୍ରୀ କୁଲୁଙ୍କ ସଂଯୋଜନାରେ ଆୟୋଜିତ ତ୍ରିପାକ୍ଷିକ ଆଲୋଚନାରେ ସ୍ଥାନୀୟ ପ୍ରଶାସନ ଏହାକୁ ଜନ ସାଧାରଣଙ୍କ ନ୍ୟାଯ୍ୟ ଦାବି ଅଟେ ବୋଲି ହୃଦୟଙ୍ଗମ କରି ରେଳ ପ୍ରତିନିଧିଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ କରିଥିଲେ।
ରେଳ ପ୍ରତିନିଧି ପକ୍ଷରୁ ଉଚ୍ଛେଦ କରାଯାଇଥିବା ସମସ୍ତ ଟ୍ରେନ ପରିବର୍ତ୍ତେ ରେଲୱେ କେବଳ ୪ଟି ଟ୍ରେନ ଯଥା ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି, ହାଓଡ଼ା--ଅହମଦାବାଦ, ପୁରୀ-ଋଷିକେଶ ୟୋଗ ନଗରୀ ଉତ୍କଳ ଏକ୍ସପ୍ରେସ ଏବଂ ଦୁର୍ଗ--ଦାନାପୁର ସାଉଥ ବିହାର ଏକ୍ସପ୍ରେସ ଟ୍ରେନ ଗୁଡିକ ପୁନଃ ରହଣି କରାଯାଇଛି ବୋଲି ସୂଚନା ଦେବା କ୍ଷଣି ଉପସ୍ଥିତ ଗ୍ରାମବାସୀ ଓ କମିଟିର ସଦସ୍ୟମାନେ ପାଟିତୁଣ୍ଡ କରି ଉଦ୍ବେଗ ପ୍ରକାଶ କରିଥିଲେ। ଆଲୋଚନା ସମୟରେ ଗ୍ରାମବାସୀମାନେ ବିଭିନ୍ନ ପ୍ରସଙ୍ଗ, ଅଭାବ ଅସୁବିଧାକୁ ନେଇ ପ୍ରଶ୍ନ ପଚାରିଥିଲେ ହେଁ ରେଳବାଇ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ସଭାରେ ପାର୍ସଲ ବୁକିଙ୍ଗ, ଟ୍ରେନ ରହଣି, ଅଣ୍ଡରପାସ ବ୍ୟବସ୍ଥା, ଚିଲି ଟ୍ରେଡିଂ, ଆନ୍ଦୋଳନ ସମୟରେ ଆର୍ପିଏଫର ଅମାନବୀୟ କାର୍ଯ୍ୟକଳାପ ସମେତ ଚକ୍ରଧରପୁର ଡିଭିଜନର ଅପାରଗ ମନୋବୃତ୍ତି ବିଷୟରେ ଆଲୋଚନା କରି କଟୁ ସମାଲୋଚନା କରାଯାଇଥିଲା।
ରେଲୱେ ପକ୍ଷରୁ ୪ଟି ଟ୍ରେନ ପରୀକ୍ଷା ମୂଳକ ଭାବରେ ୬ମାସ ପାଇଁ ଦେଇ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଥିବା ବେଳେ କମିଟି ଓ ଗ୍ରାମବାସୀମାନେ ବିନା ସର୍ତ୍ତରେ କରୋନା ପୂର୍ବରୁ ଚାଲୁଥିବା ସମସ୍ତ ଟ୍ରେନର ଷ୍ଟପେଜ ଦେବା ଜିଦରେ ଅଟଳ ରହିଥିଲେ। ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ତ୍ରିପାକ୍ଷିକ ସଭାରେ କୌଣସି ନିଷ୍କର୍ଷ ନ ବାହାରିବାରୁ ଆସନ୍ତା ୨୨ ତାରିଖ ବୁଧବାର ବାମରାଠାରେ ରେଳରୋକ ଆନ୍ଦୋଳନ କରିବାକୁ ସର୍ବସମ୍ମତି କ୍ରମେ ଚରମ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ରେଲୱେ ପକ୍ଷରୁ ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରାଯିବ ବୋଲି ଉପସ୍ଥିତ ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇଥିବା ସୂଚନା ରହିଛି। ଏଥର ରେଳରୋକ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରତିଦିନ ଗାଁ ଗାଁରେ ମିଟିଂ ଚାଲିଥିବା ସୂଚନା ରହିଛି। ଏହି ସଭାରେ ରେଳ କ୍ରିୟାନୁଷ୍ଠାନ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ଷୀରୋଦ ସା, ପ୍ରଶାନ୍ତ ଶତପଥି, ସନ୍ଦୀପ ଖଣ୍ଡେଲୱାଲ, ବିଷ୍ଣୁ ଅଗ୍ରୱାଲ, ଶିବ ଶଙ୍କର ପଣ୍ଡା, ବିଷ୍ଣୁଦେବ ଶର୍ମା, ରାଜୀବ ଚୌଧୁରୀ, ରାଜେଶ ସିଂ, ଶିବ ଶଙ୍କର ପାଲ, ଡିଲେଶ୍ୱର ସାହୁ, ଅମରନାଥ ଚୌଧୁରୀ, ବିନୟ ଅଗ୍ରୱାଲ, ଏମ୍ଡି କଲୁଆ ଖାନ, ମହାବୀର ଅଗ୍ରୱାଲ, ସନ୍ତୋଷ ପାଣ୍ଡେ, ପ୍ରୟାଗ ଚୌଧୁରୀ, ମନୋଜ ରାଜ, ଦୈତାରୀ ପଣ୍ଡା, ଦୀପକ ଖଣ୍ଡେଲୱାଲ, ଦିନେଶ ଅଗ୍ରୱାଲ ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
ସୂଚନା ଥାଉ କି, ଗତ ୨୦୧୯ ମସିହା କରୋନା ପରଠାରୁ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ବାମରା ରେଳ ଷ୍ଟେସନରୁ ପ୍ରାୟ ୧୦ଟି ଏକ୍ସପ୍ରେସ ଟ୍ରେନର ରହଣିକୁ ସମ୍ପୂର୍ଣ ଉଚ୍ଛେଦ କରି ଦିଆଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ରେଳ ରହଣି ପାଇଁ ବହୁବାର ପତ୍ର ରେଳ ବିଭାଗକୁ ପତ୍ର ପଠାଯାଇଥିଲେ ମଧ୍ୟ ରେଳବାଇ ଷ୍ଟପେଜ ନ ଦେବାରୁ ପୂର୍ବରୁ ୨ଥର ରେଳରୋକ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନ ପରେ ପ୍ରଥମେ ୩ ଟି ଏବଂ ପରେ ଗୋଟିଏ ଟ୍ରେନର ରହଣି ପରୀକ୍ଷା ମୂଳକ ଭାବରେ ରହଣି ହୋଇଥିଲା, ପରେ ସେ ସବୁକୁ ଉଠାଇ ନିଆଗଲା। ଏହି ପ୍ରକ୍ରିୟା ଥରେ କିମ୍ବା ୨ ଥର ନୁହେଁ ବାରମ୍ବାର ଜାଣିଶୁଣି ରେଲୱେ କର୍ତ୍ତୃପକ୍ଷ ଏହିଭଳି କରି ଆସୁଛି।