ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଏକାଦଶ ଶ୍ରେଣୀ(ପ୍ରଥମ ବର୍ଷ) ଛାତ୍ରଛାତ୍ରୀଙ୍କ ପାଠପଢ଼ା ସେପ୍ଟେମ୍ବର ୨୨ ତଥା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ନାମଲେଖା ପ୍ରକ୍ରିୟାରେ ସାଢ଼େ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଲେଣି। ବହୁ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଜାରି ରହିଛି। ତେଣୁ ଆଉ ବିଳମ୍ବ ନ କରି ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋଭିଡ୍ ସଂକ୍ରମଣ କମିବା ସହ ଦୁଇ ବର୍ଷ ପରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ବାଭାବିକ ସ୍ଥିତିକୁ ଫେରିଛି। ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଶତପ୍ରତିଶତ ସିଲାବସ୍ ଅନୁଯାୟୀ ଆରମ୍ଭ ହୋଇଥିବା ବେଳେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଶତପ୍ରତିଶତ ସିଲାବସ୍ ଅନୁଯାୟୀ ହେବ। କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ କ୍ଲାସରୁମ୍ ସମୟ ଧାର୍ଯ୍ୟ କରିବେ। ଛାତ୍ରଛାତ୍ରୀଙ୍କୁ ଟାଇମ୍ ଟେବୁଲ୍ ବଣ୍ଟାଯିବା ସହ କଲେଜର ନିୟମ ବିଷୟରେ ଅବଗତ କରିବେ। ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାସରୁମ୍ରେ ୭୫% ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବ। କଲେଜକୁ ପରିଚୟପତ୍ର ବାଧ୍ୟତାମୂଳକ ହେବ। ରୢାଗିଂ ରୋକିବା ଲାଗି ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ କରିଛି। ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅଣ୍ଟରଟେକିଂ ଦେଇଛନ୍ତି। ଯଦି କୌଣସି ଛାତ୍ରଛାତ୍ରୀ ରାଗିଂରେ ସାମିଲ ହେଉଥିବା ଦୃଷ୍ଟିକୁ ଆସେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କଲେଜଗୁଡ଼ିକୁ କୁହାଯାଇଛି।
ପାଠପଢ଼ାର ପ୍ରଥମ ଦିନ ଛାତ୍ରଛାତ୍ରୀଙ୍କ ଓରିଏ​ଣ୍ଟେସନ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ କ୍ୟାମ୍ପସର ନିୟମ କାନୁନ୍ ବିଷୟରେ ଅବଗତ କରାଯିବ।
୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପ୍ରଥମ, ଦ୍ବିତୀୟ ଓ ସ୍ପଟ୍ ନାମଲେଖା ଶେଷ ହୋଇଛି। ତିନିଟି ପର୍ଯ୍ୟାୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ୩ ଲକ୍ଷ ୭୪ ହଜାର ୮୨୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଚଳିତ ବର୍ଷ ଲାଗି ୨୦୬୫ କଲେଜର ୫ ଲକ୍ଷ ୭ ହଜାର ୮୨୨ ସିଟ୍ରେ ନାମଲେଖା ହେଉଛି। ଏବେ ସୁଦ୍ଧା କଳା ବିଭାଗର ୨ ଲକ୍ଷ ୭୭ ହଜାର ୨୧୮ ସିଟ୍ ମଧ୍ୟରୁ ୨ ଲକ୍ଷ ୩୮ ହଜାର ୪ଟି ସିଟ୍ ପୂରଣ ହୋଇଛି। ବିଜ୍ଞାନ ବିଭାଗରେ ୧ ଲକ୍ଷ ୬୧ ହଜାର ୭୭୨ ସିଟ୍ରୁ ୧ ଲକ୍ଷ ୪ ହଜାର ୧୯୨, ବାଣିଜ୍ୟରେ ୪୫ ହଜାର ୩୩୨ ସିଟ୍ରୁ ୨୨ ହଜାର ୪୬୦ ସିଟ୍ ପୂରଣ ହୋଇଛି। ସଂସ୍କୃତରେ ୧୩ହଜାର ୨୬୮ ସିଟ୍ରୁ ୫ ହଜାର ୯୪୬ ଓ ଧନ୍ଦାମୂଳକ ବିଭାଗରେ ୧୦ ହଜାର ୨୩୨ ସିଟ୍ରୁ ୪୨୨୭ ସିଟ୍ ପୂରଣ ହୋଇଥିବା ଜଣାପଡ଼ିଛି। ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ନ ଥିବାରୁ ସେମାନଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା କରାଯାଇଛି। ତାହା ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/collage.jpg)
