୫ ବର୍ଷରେ ୨୩ ବାଲ୍ୟବିବାହ, ଉପାନ୍ତ ବ୍ଲକରେ ଅଧିକ

ରାଉରକେଲା: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଦ୍ବାରା ପ୍ରକାଶିତ ୨୦୨୧ ଅପରାଧ ରିପୋର୍ଟରୁ ବାଲ୍ୟବିବାହର ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଓଡ଼ିଶାରେ ବାଲ୍ୟବିବାହ କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। ୨୦୧୧ରୁ ଆଜି ପର୍ଯ୍ୟନ୍ତ, ଅର୍ଥାତ୍‌ ପ୍ରାୟ ୧୧ ବର୍ଷ ଭିତରେ ରାଜ୍ୟରେ ୧୬୪ ବାଲ୍ୟବିବାହ ମାମଲା ରୁଜୁ ହୋଇଛି। ରାଜ୍ୟ ହାରଠାରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ ବହୁ ଆଗରେ ରହିଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ରେ କେବଳ ଗତ ୫ ବର୍ଷରେ ୨୩ ବାଲ୍ୟବିବାହ ହୋଇଛି, ବା ଏତିକି ମାମଲା ରୁଜୁ ହୋଇଛି। କିନ୍ତୁ ବାସ୍ତବିକ ବିବାହ ଏହାଠାରୁ ବହୁତ ଅଧିକ। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ଜିଲ୍ଲାର ଅଭ୍ୟନ୍ତର ବ୍ଲକ୍‌ ଅପେକ୍ଷା ରାଉରକେଲା ସହରକୁ ଲାଗିଥିବା ଓ ଅପେକ୍ଷାକୃତ ଶିକ୍ଷିତ ଓ ସ୍ବଚ୍ଛଳ ଲୋକ ବାସ କରୁଥିବା କୁଆରମୁଣ୍ଡା ଓ ବିଶ୍ରା ବ୍ଲକରେ ଏହା ସର୍ବାଧିକ। କିନ୍ତୁ ଅସଲ କଥା ହେଉଛି, ଏଠାରେ ହେଉଥିବା ବାଲ୍ୟ ବିବାହର ରିପୋର୍ଟ ହେଉଛି, ବିଭିନ୍ନ ବ୍ୟକ୍ତି ଓ ସଂଗଠନ ଏ ଖବର ଦେଉଛନ୍ତି।

ଯଦି ସହରକୁ ଲାଗିଥିବା ଦୁଇଟି ବ୍ଳକରେ ଏମିତି ସ୍ଥିତି, ତେବେ ଉପାନ୍ତ ବ୍ଲକ କୋଇଡା, ଗୁରୁଣ୍ଡିଆ, ହେମଗିରି ଆଦି ବ୍ଲକରେ କେମିତି ବାଲ୍ୟବିବାହ ଚାଲିଥିବ ଏଥିରୁ ସହଜେ ଅନୁମାନ କରାଯାଇପାରେ। ଏଥିପ୍ରତି ଯେମିତି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସମନ୍ବିତ ଶିଶୁ ବିକାଶ ସଂସ୍ଥା ଓ ଶିଶୁ ମଙ୍ଗଳ ସମିତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ସମନ୍ବିତ ଶିଶୁ ବିକାଶ ସଂସ୍ଥା ବାଲ୍ୟବିବାହ ରୋକିବାକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ସେମିତି କୌଣସି ସଚେତନତା କାର୍ଯ୍ୟକ୍ରମ କରୁନାହିଁ। ଗ୍ରାମାଞ୍ଚଳରେ ପୁଲିସରେ ଅଭିଯୋଗ ନ ହେବା ଓ ସଚେତନତା ଅଭାବରୁ ସୁନ୍ଦରଗଡ଼ ବାଲ୍ୟବିବାହ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ି ଚାଲିଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଅନ୍ୟପଟେ ଅଭିଯୋଗ ହେଲେ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ମାମଲା ରୁଜୁ କରି କାମ ସାରି ଦେଉଛନ୍ତି।

ଆଶ୍ଚର୍ଯ୍ୟ କଥା ଗତ ୫ ବର୍ଷ ମଧ୍ୟରେ ୨୩ଟି ବାଲ୍ୟବିବାହ ହୋଇଥିଲେ ହେଁ ମାତ୍ର ୨ ଜଣକୁ ପୁଲିସ ଗିରଫ କରିଛି। ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌। ସରକାରୀ ତଥ୍ୟ ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୦୧୭-୧୮ରେ ୪ ବାଲ୍ୟବିବାହ ହୋଇଥିବାବେଳେ ୨୦୧୮-୧୯ରେ ୬, ୨୦୧୯-୨୦ରେ ୫, ୨୦୨୦-୨୧ରେ ୩ ଓ ୨୦୨୧-୨୨ରେ ୫ ବାଲ୍ୟବିବାହ ହୋଇଛି। କେବଳ କୁଆରମୁଣ୍ଡା ବ୍ଲକରେ  ୧୧ ଓ ବିଶ୍ରା ବ୍ଲକରେ ୮ ବାଲ୍ୟବିବାହ ହୋଇଛି। ୨୦୧୭-୧୮ରେ ବିଶ୍ରା ବ୍ଲକରେ ଗୋଟିଏ, ନୂଆଗାଁ ବ୍ଲକରେ ୨ଟି, କୁଆରମୁଣ୍ଡା ବ୍ଲକରେ ୨ଟି ଓ ବଣାଇ ବ୍ଲକରେ ଗୋଟିଏ ବାଲ୍ୟବିବାହ ହୋଇଛି। ୨୦୧୮-୧୯ରେ ବଣାଇ, ଲହୁଣିପଡା, ବିଶ୍ରା ଓ ଲାଠିକଟା ଗୋଟିଏ ଲେଖାଏଁ ବାଲ୍ୟବିବାହ ହୋଇଛି।

୨୦୧୯-୨୦ କୁଆରମୁଣ୍ଡା ବ୍ଲକରେ ୨ଟି, ବୀରମିତ୍ରପୁର, ଲହୁଣିପଡା ଓ ବିଶ୍ରାରେ ଗୋଟିଏ ଲେଖାଏଁ ବାଲ୍ୟ ବିବାହ ହୋଇଛି। ୨୦୨୦-୨୧ରେ ବିଶ୍ରାରେ ଦୁଇଟି ଓ କୁଆରମୁଣ୍ଡାରେ ଗୋଟିଏ ବାଲ୍ୟବିବାହ ହୋଇଛି। ୨୦୨୧-୨୨ରେ କୁଆରମୁଣ୍ଡାରେ ୨ଟି , ଲହୁଣିପଡା, ବିଶ୍ରା ଓ ଲାଠିକଟା ବ୍ଲକରେ ଗୋଟିଏ ଲେଖାଏଁ ବାଲ୍ୟବିବାହ ହୋଇଛି। ଏ ପ୍ରସଙ୍ଗରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି, ‘‘ସୁନ୍ଦରଗଡ଼ ଏକ ଆଦିବାସୀ ବହୁଳ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟର ସୀମାକୁ ଲାଗିଛି। ବାଲ୍ୟବିବାହ ନିରୋଧ ଆଇନ ସମ୍ପର୍କରେ ଏମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ସେମିତି ଏ ଦିଗରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଯେତିକି ଧ୍ୟାନ ଦେବା କଥା ତାହା ହେଉନି। ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ବାଲ୍ୟବିବାହକୁ କିପରି ରୋକାଯାଇପାରିବ ଏଥିପ୍ରତି ସିଡିପିଓମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।’’

ସମ୍ବନ୍ଧିତ ଖବର