ନୟାଗଡ଼: କରୋନା ମୃତ୍ୟୁ ଘୋଷଣା ପାଇଁ ୨୩ ଦିନ

ଭୁବନେଶ୍ୱର : କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହେବାକୁ ଲାଗୁଛି ୨୩ଦିନ। ରାଜ୍ୟରେ ଏଭଳି ଢଙ୍ଗରେ ସରକାର କରୋନା ପରିଚାଳନାରେ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି। ଏପରିକି ସରକାରଙ୍କ ପକ୍ଷରୁ କରୋନା ‌ମୃତ୍ୟୁ ନେଇ ହେଉଥିବା ଡେଥ୍‌ ଅଡିଟ୍ ୨୦ଦିନ ହୋଇ ସାରିଲାଣି। ହେଲେ ରାଜ୍ୟସ୍ତରରେ ଏହାକୁ ଘୋଷଣା କରାଯାଉ ନ ଥିଲା। ଗତ ୧୮ତାରିଖରେ ‘ସମ୍ବାଦ’ରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଘୋଷଣା କରାଯାଇଛି। ଘୋଷଣାରେ ମଧ୍ୟ ନୟାଗଡ଼ ବଦଳରେ ଗଞ୍ଜାମ ଲେଖାଯାଇଥିଲା, ହେଲେ ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ଏହାକୁ ସଂଶୋଧିତ କରି ନୟାଗଡ଼ ବୋଲି ପରବର୍ତୀ ସମୟରେ ଉଲ୍ଲେଖ କରାଯାଇଛି।

ନୟାଗଡ଼ ଅଞ୍ଚଳର ୪୦ ବର୍ଷର ‌ଜଣେ ବ୍ୟକ୍ତି ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲରେ ଗତ ମାସ ୨୪ ତାରିଖରେ ପଜିଟିଭ୍ ହୋଇ ଭର୍ତି ହୋଇଥିଲେ। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବା ସହିତ ଚଳିତ ମାସ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସଂପୃକ୍ତ ବ୍ୟକ୍ତିଜଣକ କରୋନା କିମ୍ବା ଅନ୍ୟ କୌଣସି ରୋଗରେ ପ୍ରାଣ ହରାଇଛନ୍ତି, ତାହା ଯାଞ୍ଚ କରିବା ପାଇଁ ଚଳିତ ମାସ ୨ ତାରିଖ ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର ଓ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କ ଏହାର ଡେଥ୍‌ ଅଡିଟ୍‌ ହୋଇଥିଲା। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଟାଇପ-୨ ମଧୁମେହରେ ପୀଡ଼ିତ ଥିଲେ। ତେବେ ସେ କୌଣସି ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାନ୍ତି କି ବାହାରକୁ ଯାତ୍ରା କରି ନ ଥିଲେ। ଏହାସତ୍ତ୍ବେ ତାଙ୍କର ମୃତ୍ୟୁ ହେବାକୁ ଅଡିଟ୍‌ରେ କରୋନା ଯୋଗୁଁ ନିମୋନିଆ ସହିତ ଏଆରଡିଏସ୍‌ ଓ ସେପ୍‌ଟିକ ସକ୍ ପାଇଁ ହୋଇଥିବା ଦର୍ଶାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହି ମୃତ୍ୟୁ ଘୋଷଣା ହୋଇ ନଥିଲା। ବିଭାଗୀୟ ୱେବ୍‌ସାଇଟ୍‌ରେ ନୟାଗଡ଼ ତାଲିକାରେ ଗୋଟିଏ କରୋନା ମୃତ୍ୟୁକୁ ଯୋଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର