ରାଉରକେଲା: ହକିର ଜନ୍ମ କେଉଁ ଦେଶରେ ତାକୁ ନେଇ ବିବାଦ ହୋଇପାରେ, କିନ୍ତୁ ଏ ଖେଳକୁ ଯେ ଇଂରେଜମାନେ ଭାରତକୁ ଆଣିଥିଲେ, ସେଥିରେ କୌଣସି ବିବାଦ ନାହିଁ। ଇଂରେଜ ସେନା ବାହିନୀରେ ଏହି ଖେଳର ମଞ୍ଜି ପଡ଼ିଥିଲା। ଏଣୁ ତାହା ଭାରତର କ୍ୟାଣ୍ଟନମେଣ୍ଟଗୁଡ଼ିକରେ ମଧ୍ୟ ହକି ଖେଳ ଆରମ୍ଭ ହୋଇଥିଲା। ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ସହର ସମେତ ମୁମ୍ବାଇ ଓ କୋଲକାତା ଆଦିରେ ହକି ଆରମ୍ଭ ହୋଇ କ୍ରମେ ସମଗ୍ର ଦେଶରେ ଲୋକପ୍ରିୟତା ହାସଲ କରିଥିଲା। ଅନ୍ତର୍ଜାତୀୟ ସ୍ତରରେ ଭାରତ ୧୯୮୦ ପର୍ଯ୍ୟନ୍ତ ଏକ ଶୀର୍ଷ ହକିଦେଶ ଭାବେ ପରିଗଣିତ ହେଉଥିଲା। କିନ୍ତୁ ତାପରେ, ବିଶେଷକରି ସିଂଥେଟିକ ପଡ଼ିଆର ଯୁଗ ଆରମ୍ଭ ହେବା ପରେ ଭାରତୀୟ ହକି ପ୍ରଦର୍ଶନରେ କ୍ରମାଗତ ଭାବେ ଅବକ୍ଷୟ ଘଟିବା ଆରମ୍ଭ ହେଲା। ଆଜି ସ୍ଥିତି ଏପରି ହୋଇ ଗଲାଈି ଯେ ଅଲିମ୍ପିକ ହକିରେ ଏକଦା ଆଧିପତ୍ୟ ବିସ୍ତାର କରିଥିବା ଭାରତକୁ କ୍ବାଲିଫାଇଂ ମ୍ୟାଚ୍‌ ଖେଳିବାକୁ ପଡୁଥିଲା। ୨୦୦୮ରେ ଭାରତ କ୍ବାଲିଫାଇଂ ମ୍ୟାଚ୍‌ରେ ପରାଜୟ ବରଣ କରିଥିବାରୁ ବେଜିଂ ଅଲିମ୍ପିକରୁ ବଞ୍ଚିତ ହୋଇଥିଲା। କ୍ରିକେଟର ବଢ଼ି ଚାଲିଥିବାର ଲୋକପ୍ରିୟତା ଓ ଭାରତୀୟ ହକିର ମାନରେ ହ୍ରାସ ସାଙ୍ଗକୁ ଦେଶବାସୀଙ୍କର ଏହି ଖେଳ ପ୍ରତି ଉତ୍ସାହ ଓ ଆଗ୍ରହ ମଧ୍ୟ ହ୍ରାସ ପାଇବା ଆରମ୍ଭ ହେଲା।

Advertisment

କିନ୍ତୁ ଏଇ ପ୍ରକାର ପରିସ୍ଥିତିରେ ମଧ୍ୟ ଗୋଟିଏ ଅଞ୍ଚଳରେ ହକି ପ୍ରତି ଉତ୍ସାହ ଓ ଭଲ ପାଇବା ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। କାରଣ ସେ ଅଞ୍ଚଳରେ ହକି ହେଉଛି ସାଂସ୍କୃତିକ ଓ ସାମାଜିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେ ଅଞ୍ଚଳ ହେଉଛି ଆଦିବାସୀ ଅଧ୍ୟୁଷିତ ଛୋଟନାଗପୁର ଅଞ୍ଚଳ ଓ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା। ଖଣି ଖାଦାନରେ ଭରପୂର ସୁନ୍ଦରଗଡ଼ ଜିଲ୍ଲା ହକିପ୍ରତିଭାର ମଧ୍ୟ ଏକ ବଡ଼ ଖଣି। ୧୯୭୨ରେ ମହାନ ହକି ଖେଳାଳୀ ଧ୍ୟାନଚନ୍ଦ ରାଉରକେଲା ଆସିଥିଲେ। ସେ ସମୟରେ ସେ ସ୍ଥାନୀୟ ଆଦିବାସୀମାନଙ୍କର ହକିପ୍ରେମକୁ ଦେଖି ବିସ୍ମିତ ହୋଇଥିଲେ।

ସୁନ୍ଦରଗଡ଼ର ଆଦିବାସୀମାନଙ୍କ ମଧ୍ୟରେ ହକିକୁ ଲୋକପ୍ରିୟ କରାଇବାର ସମ୍ପୂର୍ଣ୍ଣ ଶ୍ରେୟ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର। ବିଂଶ ଶତାବ୍ଦୀର ଆରମ୍ଭରେ ମିଶନାରୀମାନେ ଏହି ବଣଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଆସିଥିଲେ। ୧୯୦୮ରେ ରାଜଗାଙ୍ଗପୁର ନିକଟସ୍ଥ କେସରାମାଲରେ ସେମାନେ ଜିଲ୍ଲାର ପ୍ରଥମ ଚର୍ଚ୍ଚ ଓ ସ୍କୁଲ ସ୍ଥାପନ କରିଥିଲେ। ପରେ ରାଉରକେଲା ନିକଟସ୍ଥ ହମିରପୁରରେ ଦ୍ବିତୀୟ ଚର୍ଚ୍ଚ କରିଥିଲେ। ମିଶନାରୀ ସ୍କୁଲରେ ପଢ଼ୁଥିବା ଆଦିବାସୀ ଛାତ୍ରମାନଙ୍କୁ ହକି ତାଲିମ ଦିଆ ଯାଇଥିଲା। ସେହି ପିଲାମାନେ ଛୁଟି ସମୟରେ ନିଜ ନିଜ ଗାଁକୁ ଯିବାବେଳେ ସେମାନଙ୍କୁ ଦେଖି ଅନ୍ୟମାନେ ମଧ୍ୟ ହକି ପ୍ରତି ଆକୃଷ୍ଟ ହେଲେ। ଧୀରେ ଧୀରେ ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ହକିର ପ୍ରସାର ହୋଇଥିଲା। ଗ୍ରାମୀଣ ଅଞ୍ଚଳରେ ହକିର ଗ୍ରହଣୀୟତା ଓ ଲୋକପ୍ରିୟତା ବଢ଼ିବାର ଅନ୍ୟ ଏକ କାରଣ ହେଲା- ସହଜ, ସରଳ ଓ ଶସ୍ତାରେ ହକିଷ୍ଟିକ୍‌ ମିଳିବା। ଜଙ୍ଗଲରେ ଥିବା ପ୍ରଚୁର ବାଉଁଶ ଓ କେନ୍ଦୁଗଛ କାଠରୁ ହକିଷ୍ଟିକ ତିଆର କରାଯାଉଥିଲା। ଅଳ୍ପ ସମୟ ମଧ୍ୟରେ ଏହି ଖେଳ ଖ୍ରୀଷ୍ଟିଆନ ଆଦିବାସୀମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ଗାଁ ଗାଁରେ ହକି ହକିଖେଳ ଓ ଟୁର୍ଣାମେଣ୍ଟର ପରମ୍ପରା ଆରମ୍ଭ ହେଲା। ଗୋଟିଏ ଗାଁ ଅନ୍ୟ ଗାଁକୁ ଭୋଜି ପାଇଁ ନିମନ୍ତ୍ରଣ କରୁଥିଲା ଓ ସେହି ଅବସରରେ ଉଭୟଙ୍କ ମଧ୍ୟରେ ହକି ମ୍ୟାଚ୍‌ ଅନୁଷ୍ଠିତ ହେଉଥିଲା। ସେତେବେଳେ ମ୍ୟାଚ୍‌ର କିଛି ନିର୍ଦ୍ଦିଷ୍ଟ ସମୟ ନ ଥିଲା। ଘଣ୍ଟାଏ ବା ଦୁଇଘଣ୍ଟା ଓ ତାଠାରୁ ବି ଅଧିକ ସମୟ ମ୍ୟାଚ୍‌ ଚାଲୁଥିଲା। ମ୍ୟାଚ୍‌ ପରେ ବିଜୟୀ ଦଳକୁ ମା ମରିୟମଙ୍କ ମୂର୍ତ୍ତି ପୁରସ୍କାର ସ୍ୱରୂପ ଦିଆ ଯାଉଥିଲା। ପରେ ପରେ ଖାସି (ଛେଳି), ମୁର୍ଗା( କୁକୁଡ଼ା) ଓ ବଣ୍ଡା (ଘୁଷୁରୀ)କୁ ପୁରୁସ୍କାର ଭାବେ ରଖି ପ୍ରତିଯୋଗିତା ହେଲା। ବିଜୟୀ ଦଳ ପୁରସ୍କାର ଭାବେ ପାଇଥିବା ଖାସି ବା କୁକୁଡ଼ାକୁ ଭୋଜିକରି ଆନନ୍ଦରେ ଖାଉଥିଲେ। ସେ ଖାସି କୁକୁଡ଼ା ଟୁର୍ଣାମେଣ୍ଟ ଏବେ ମଧ୍ୟ ଅନେକ ଗାଁରେ ଚାଲିଛି। ଗ୍ରାମୀଣ ଅଞ୍ଚଳରେ ହେଉଥିବା ଏସବୁ ଟୁର୍ଣାମେଣ୍ଟଗୁଡ଼ିକରେ ଆଖପାଖର ୪୦-୫୦ରୁ ଆରମ୍ଭ ହୋଇ ଶହ ଶହ ଦଳ ଅଂଶ ଗ୍ରହଣ କରନ୍ତି। ଉଲ୍ଲେଖନୀୟ କଥା ହେଉଛି, ଏହି ଗ୍ରାମୀଣ ହକି ପ୍ରତିଯୋଗିତାଗୁଡ଼ିକରେ ହକିର ସାଧାରଣ ନିୟମ ପାଳନ କରାଯିବା ସହ ସଂପୃକ୍ତ ଗାଁଗୁଡ଼ିକର ଆଉ କିଛି ସ୍ବତନ୍ତ୍ର ନିୟମ ମଧ୍ୟ ଲାଗୁ କରାଯାଏ।

ଶିଳ୍ପାୟନର ପ୍ରଭାବ ଆଦିବାସୀଙ୍କ ଜୀବନଯାତ୍ରାକୁ ଯେମିତି ପ୍ରଭାବିତ କରିଛି, ତାର ପ୍ରଭାବ ସ୍ଥାନୀୟ ହକି ଉପରେ ମଧ୍ୟ ପଢ଼ିଛି। ବର୍ତ୍ତମାନ ଗାଁଗୁଡ଼ିକରେ ମଧ୍ୟ ହାତ ତିଆରି ବାଉଁଶ ଓ କେନ୍ଦୁଗଛ କାଠର ହକିଷ୍ଟିକ ପ୍ରାୟତଃ ଦେଖା ଯାଉନାହିଁ। ଗ୍ରାମୀଣ ପ୍ରତିଯୋଗିତାରେ ତାକୁ ଅନୁମତି ଦିଆ ଯାଉନାହିଁ। ସମସ୍ତେ ଆଧୁନିକ ହକିଷ୍ଟିକ ବ୍ୟବହାର କରୁଛନ୍ତି। ଅନେକ ସ୍ଥାନରେ ଗୋଲକିପରମାନେ ପ୍ୟାଡ୍‌ ଓ ହେଲମେଟ୍‌ ମଧ୍ୟ ବ୍ୟବହାର କରିବା ଆରମ୍ଭ କଲେଣି।
ସୁନ୍ଦରଗଡ଼ର ଆଦିବାସୀ ଗ୍ରାମୀଣ ଅଞ୍ଚଳରେ ହକି ଲୋକଙ୍କ ଜୀବନର ଅଙ୍ଗ ହୋଇ ଯାଇଥିବାରୁ ଏ ଅଞ୍ଚଳରେ ହକି ଖେଳାଳୀଙ୍କ ଅଭାବ ନାହିଁ। ଏଠାରୁ ନିରନ୍ତର ଭାବେ ହକି ଖେଳାଳୀ ବାହାରୁଛନ୍ତି। ଏମାନଙ୍କୁ ବିଧିବଦ୍ଧ ପ୍ରଶିକ୍ଷଣ ଯୋଗାଇ ଦେଇ ଭଲ ଖେଳାଳୀରେ ପରିଣତ କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଏ ଦିଗରେ ଧ୍ୟାନ ଦେବା ପରଠାରୁ ଆଜି ତାର ସୁଫଳ ମିଳୁଛି। ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ଅଛି ତ ତାହା କେବଳ ହକି ପାଇଁ ସମ୍ଭବ ହୋଇଛି। ଏହି ଖେଳ ଓଡ଼ିଶାକୁ ଏହାର ସର୍ବଶ୍ରେଷ୍ଠ କ୍ରୀଡ଼ାବିତ୍‌ ଦେଇଛି। ଅଲିମ୍ପିକ ଖେଳ ହେଉ କି ବିଶ୍ୱକପ ବା ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା, ଏବେ ସମସ୍ତ ଜାଣନ୍ତି ଯେ ଭାରତୀୟ ହକିଦଳରେ ନିଶ୍ଚିତ ଭାବେ ଜଣେ ବା ଜଣେ ଓଡ଼ିଆ ଖେଳାଳୀ ଥିବ। ଅନ୍ୟ କୌଣସି ଖେଳରେ ଆମେ ଏତେ ଆତ୍ମବିଶ୍ବାସ ଦେଖାଇ ପାରିନାହିଁ ଏଯାଏ।

ଓଡ଼ିଶାବାସୀ, ବିଶେଷ କରି ସୁନ୍ଦରଗଡ଼ବାସୀଙ୍କ ପାଇଁ ଗର୍ବର କଥା ଯେ ଧ୍ୟାନ ଚନ୍ଦ, ବଲବୀର ସିଂହ, କେ ଡି ସିଂହ ବାବୁ, ଉଧମ ସିଂହ, ଅଜିତପାଳ ସିଂହ ଓ ଧନରାଜ ପିଲେଇଙ୍କ ଭଳି ମହାନ ଭାରତୀୟ ହକି ଖେଳାଳୀଙ୍କ ସୂଚୀରେ ସୁନ୍ଦରଗଡ଼ର ଦିଲୀପ ତିର୍କୀ ମଧ୍ୟ ଅଛନ୍ତି। ସେ ଭାରତର ଏକମାତ୍ର ହକି ଖେଳାଳୀ, ଯିଏ ଦେଶ ପକ୍ଷରୁ ୪୦୦ରୁ ଉର୍ଦ୍ଧ୍ବ ମ୍ୟାଚ୍‌ (୪୧୨) ଖେଳିଛନ୍ତି। ଆଉ ଏବେ ସେ ଦେଶରେ ହକି ପରିଚାଳନା କରୁଥିବା ସଂଗଠନ ହକି ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ବିଂଶ ଶତାବ୍ଦୀର ଆରମ୍ଭରେ ସୁନ୍ଦରଗଡ଼ ମାଟିରେ ପୋତା ଯାଇଥିବା ହକିର ମଞ୍ଜିଟି ଆଜି ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇ ଯାଇଛି। ଏହାର ଏହି ବିଶାଳତା ଯେମିତି ଭବିତଷ୍ୟରେ ମଧ୍ୟ ଅକ୍ଷୁଣ୍ଣ ରହିବ, ସେଥିପ୍ରତି ଯତ୍ନବାନ ରହିବା ଆବଶ୍ୟକ।