କାଶିଆ ଜଙ୍ଗଲରେ ୨୩ ହାତୀ

ସିଙ୍ଗଡ଼ା: ଦୁଇଦିନ ତଳେ ଏକ ୨୩ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ମଧ୍ୟକୁ ପ୍ରବେଶ କରିଛି। ଗତକାଲି ‌ହାତୀମାନେ ସିଙ୍ଗଡ଼ା ନିକଟ ହଳଦିଆ ଜଙ୍ଗଲରେ ରହିଥିବା ବେଳେ ଆଜି କାଶିଆ ଜଙ୍ଗଲରେ ଥିବା ଜଣାପଡ଼ିଛି।

ତେବେ ଗତକାଲି ରାତିରେ ହାତୀପଲ ସ୍ଥାନୀୟ ଏକ ଗ୍ରାମରେ ପଶି ଜଣେ ବ୍ୟକ୍ତିଙ୍କ ଘର ପାଚେରି ଓ ଗେଟ୍ ଭାଙ୍ଗିଦେଇଥିବା ଖବର ମିଳିଛି। ହାତୀପଲ ପାଇଁ କରଞ୍ଜିଆ ବନଖଣ୍ଡ ଅଧୀନ ଶୁକୃଳି, ରରୁଆଁ ଓ କରଞ୍ଜିଆ ବ୍ଲକ୍‌ର ବିଭିନ୍ନ ଗାଁ’ର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି। ସେମାନଙ୍କୁ କିପରି ଘଉଡ଼ାଇ ଦିଆଯିବ, ସେ ନେଇ ବନ ସୁରକ୍ଷା ସମିତି, ଗଜସାଥୀ ଓ ବନ କର୍ମଚାରୀମାନେ ଉଦ୍ୟମ ଚଳାଇଥିବା କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ କହିଛନ୍ତି। ସୂଚନାଥାଉକି, ଚଳିତ ବର୍ଷ ଫେବ୍ରୁଆରି ମାସରେ ଦରି ଗାଁ’ର ଗୌତମ ନାଏକ ଏବଂ ମେ ମାସରେ ସରୁଭାଡ଼ି ଗାଁ’ର ମାନିନୀ ନାଏକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ସଂପୃକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର