ସରକାରୀ ଯୋଜନାକୁ ଉପହାସ : ପଲିଥିନ୍‌ ତଳେ ଜୀବନ କାଟୁଛନ୍ତି ୨୩ ପରିବାର

ରାଜନୀତିର ପଶାପାଲିରେ ପେଷି ହେଉଛନ୍ତି ଗ୍ରାମବାସୀ

ଗୋପ : ରାଜ୍ୟର ତଥାକଥିତ ଉନ୍ନତ ଜିଲ୍ଲାରେ ପରିଗଣିତ ହେଉଥିବା ପୁରୀ ଜିଲ୍ଲାର ଗୋପ ବ୍ଲକ୍‌ରେ ଏବେ ଏକ ଏଭଳି ଗ୍ରାମ ଦେଖିବାକୁ ମିଳିଛି ଯାହା ବହୁ ଚର୍ଚ୍ଚିତ ନଗଡ଼ା ଗ୍ରାମର ଭ୍ରମ ସୃଷ୍ଟି କରିଛି। ଗୋପ ବ୍ଲକ୍‌ ଅଧୀନ ବନ୍ତଳିଗ୍ରାମ ପଞ୍ଚାୟତର କୁରୁଜଙ୍ଗ ଗ୍ରାମ ନିକଟରେ ଥିବା ଦଶମାଣିଆ ଗ୍ରାମ। ରାଜନୀତିର ପଶାପାଲିରେ ଏହି ୨୩ ପରିବାର ଏବେ ଆଶାର କିରଣକୁ ଖୋଜୁଛନ୍ତି। ପ୍ରଶାସକଙ୍କଠାରୁ ରାଜନେତା ପର୍ଯ୍ୟନ୍ତ ସବୁ ସମୟରେ ଗ୍ରାମବାସୀଙ୍କୁ କେବଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗ୍ରାମ ଆଜି ପର୍ଯ୍ୟନ୍ତ ସରକାରୀ ଅବହେଳାର ନମୁନା ହୋଇ ରହିଛି। ଏଠାରେ ସମସ୍ତ ପରିବାର ହରିଜନ ଅଟନ୍ତି। ସରକାର ବିକାଶର ଡିଣ୍ଡିମ୍ବ ପିଟୁଥିବା ବେଳେ ସରକାରୀ ଯୋଜନା କିଭଳି ଭାବେ ସାଧାରଣଲୋକଙ୍କ ପାଖରେ ଅପହଞ୍ଚ ତାହା ଏହି ଗ୍ରାମରୁ ସହଜରେ ଅନୁମେୟ କରିହେବ। ଏପରିକି ଗ୍ରାମବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ଗ୍ରାମରେ ରହୁଥିବା ସମୁଦାୟ ୨୩ ପରିବାର ଏବେ ପଲିଥିନ୍‌ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି।

ସୂଚନା ଅନୁଯାୟୀ, ଏହି ଗ୍ରାମରେ ରହୁଥିବା ସମୁଦାୟ ୨୩ ପରିବାର ମଧ୍ୟରୁ କାହାର ମଧ୍ୟ ଛାତ ଘରଟିଏ ନାହିଁ। ‘ଫନି’ରେ ସର୍ବସ୍ବ ଚାଲିଗଲା ପରେ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ପଲିଥିନ୍‌ ନଷ୍ଟ ହୋଇଯାଇଥିବା ବେଳେ ସେମାନେ ଏବେ ନିଜ ମଜୁରିରୁ କିଣି ନିଜର ଘରେ ପକାଇ ନିଜ ଜୀବନକୁ ବଞ୍ଚାଇ ରଖିଛନ୍ତି। ‘ଫନି’ରେ ୫ରୁ ୭ ପରିବାର ସରକାରୀ ସହାୟତା ବାବଦରେ ୯୫ହଜାର ଟଙ୍କା ପାଇଛନ୍ତି। ମାତ୍ର ସେମାନେ ଅଦ୍ୟାବଧି ତାହାକୁ ପାଇଛନ୍ତି କି ନାହିଁ ତାହା ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଗଲେ ଲୋକଲୋଚନକୁ ଆସିପାରିବ। ଏମାନଙ୍କ ବ୍ୟତିତ ଯେଉଁ ପରିବାର ରହିଗଲେ ସେମାନଙ୍କୁ ରାଜସ୍ବ ନିରୀକ୍ଷିକା କଟାକ୍ଷ କରି କହିଛନ୍ତି, ସେଗୁଡ଼ିକ ସବୁ ଗୁହାଳ ଘର ବୋଲି। ଉକ୍ତ ଘର ସବୁକୁ ବିଜୁଳି ସଂଯୋଗ କରାଯାଇଥିବା ବ‌େଳେ ରାଜସ୍ବ ନିରୀକ୍ଷିକା କିପରି ଏହା ଜାଣିପାରିଲେନି ବୋଲି ଗ୍ରାମର ପୁରୁଖା ଲୋକମାନେ ପ୍ରଶ୍ନ କରିଛନ୍ତି।

ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଲୋକମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି। କିନ୍ତୁ କିଭଳି ଭାବେ କାହାର ମଧ୍ୟ ପକ୍କାଘର ନାହିଁ ତାହା ତଦନ୍ତସାପେକ୍ଷ। ସରକାରଙ୍କ ତରଫରୁ କେବଳ ୧୮ଜଣ ପରିବାରକୁ ଖାଦ୍ୟ ଓ ଯୋଗାଣ ବିଭାଗ ଦ୍ବାରା ରାସନ୍ କାର୍ଡ ଯୋଗାଇ ଦିଆଯାଇଛି। ମାତ୍ର ଆହୁରି ୫ ପରିବାର ବଞ୍ଚିତ ରହିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ସୂଚନା ଦେଉଛନ୍ତି। ମାତ୍ର ତାହା ଏମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। କାରଣ ଏମାନଙ୍କ ଘରେ ଆଜି ସୁଦ୍ଧା କୌଣସି ଟେଲିଭିଜନ୍‌ର ସୁବିଧା ନାହିଁ। ଏବେ କାମଧନ୍ଦା ନଥିବାରୁ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍ଶ୍ବରେ ଥିବା କେନାଲ ରାସ୍ତାକୁ ସଂଯୋଗ କଂକ୍ରିଟ୍ ରାସ୍ତାଟି ଫାଟି ଆଁ କରିଛି। ଏହା ଦୁର୍ନୀତିର ବାସ୍ନାକୁ ଦ୍ବିଗୁଣିତ କରୁଛି। ଗ୍ରାମ ମଧ୍ୟରେ ରାସ୍ତା କହିଲେ କଚ୍ଚା ରାସ୍ତା। ବର୍ଷା ଦିନେ ଏହି ରାସ୍ତାରେ ଚାଲିବା କଷ୍ଟକର। ଏପରି ଦୁର୍ଦ୍ଦଶାରେ ଏହି ଗ୍ରାମର ଲୋକମାନେ କିଭଳି ଭାବେ ଚଳୁଥିବେ ତାହା ସହଜରେ ଅନୁମେୟ। ସାମାନ୍ୟ ପବନରେ ଏମାନେ ବାସହରା ହୋଇଯାଇଥାନ୍ତି। ଜୋର୍‌ରେ ପବନ ବହିଲେ ଏମାନଙ୍କ ରୋଷେଇ ବନ୍ଦ। ଏ ସମ୍ପର୍କରେ ଗୋପ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ମୁଁ ଏଭଳି ଗ୍ରାମ ବାବଦରେ ଜାଣିନାହିଁ। ଆସନ୍ତାକାଲି ନିଶ୍ଚିତ ଭାବେ ଏହି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

ସମ୍ବନ୍ଧିତ ଖବର