କାଞ୍ଜିପାଣି ଘାଟିରେ ବସ୍‌ ଓଲଟିଲା, ୨୩ ଆହତ

କେନ୍ଦୁଝର/ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି-ତେଲକୋଇ ରାସ୍ତାର କାଞ୍ଜିପାଣି ଘାଟିଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଭାରସମ୍ୟ ହରାଇ ଓଲଟି ପଡ଼ିବାରୁ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସାଇ ବାବା ନାମକ ଏକ ଘରୋଇ ବସ୍‌(ଓଡି ୧୧ ଏ ୧୨୩୨) ଟାଟାରୁ ଅନୁଗୁଳ ଯାଉଥିବା ବେଳେ ଗତକାଲି ରାତି ୨ଟା ବେଳେ କାଞ୍ଜିପାଣି ଘାଟିଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ରେ ୪୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣା ସମୟରେ ଅଧିକାଂଶ ଶୋଇପଡ଼ିଥିଲେ। ବସ୍‌ ଓଲଟିପଡ଼ିବାରୁ ୨୩ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ କାଞ୍ଜିପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଓ ତେଲକୋଇ ଡାକ୍ତରଖାନାକୁ ପଠାଇଥିଲେ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କାଞ୍ଜିପାଣି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର