ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାୟାବିସ୍ତାର କରିବାରେ ଲାଗିଛି ଓମିକ୍ରନ | ଆଜି ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ଆଉ ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି | ଆଉ ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି |ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ଏହି ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୫୦ ପ୍ରତିଶତ ବିଦେଶୀ ଫେରନ୍ତା ଅଛନ୍ତି | ସୂଚନା ଥାଉ କି ଆଜି ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

Advertisment

ଏହି ଆକ୍ରାନ୍ତଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୬୭ ଜଣ ଥିବାବେଳେ ସଂଗରୋଧରୁ ୨୪୯ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୧୭୫ ଜଣ ଥିବାର ଜଣାପଡିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭୭, କଟକରୁ ୪୫ ଜଣ ଥିବାବେଳେ ସୁନ୍ଦରଗଡରୁ ୩୮ ଓ ଷ୍ଟେଟ ପୁଲରୁ ୪୦ ଜଣ ରହିଛନ୍ତି |

ବଡ କଥା ଯେ ଲଗାତାର ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜର ପକାଇଲେ ଆଜି ୩୦୧ ଜଣ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧, ଡିସେମ୍ବର ୨୮ରେ ୧୫୬ ଓ ଡିସେମ୍ବର ୨୭ରେ ୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |