ଓଡ଼ିଶାର ପଜିଟିଭ୍‌ ହାର ୨୩ ପ୍ରତିଶତ

ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୨୦% ବଢ଼ିଲା

ଦିନକରେ ୯୮୮୯ ପଜିଟିଭ୍, ୧୬ ମୃତ
ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୧ହଜାରକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୨୩ ପ୍ରତିଶତ ରହିଛି। ଅର୍ଥାତ୍ ପରୀକ୍ଷା ହେଉଥିବା ପ୍ରତି ୧୦୦ କୋଭିଡ୍‌ ନମୁନାରୁ ୨୩ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କିଛିଦିନ ଧରି ରାଜ୍ୟରେ ଦ୍ରୁତ ସଂକ୍ରମଣ ପାଇଁ ଟିପିଆର୍‌ରେ ଏଭଳି ଯଥେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଦେଶର ସମୁଦାୟ ୨୪ଟି ରାଜ୍ୟରେ ଟିପିଆର୍‌ ୧୫ ପ୍ରତିଶତରୁ ଅଧିକ ରହିଛି। ଓଡ଼ିଶା ସମେତ ଆନ୍ଧ୍ର ଓ ସିକିମ୍‌ରେ ମଧ୍ୟ ଟିପିଆର୍‌ ୨୩ ପ୍ରତିଶତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ସର୍ବାଧିକ ଟିପିଆର୍‌ ଗୋଆରେ ୪୮ପ୍ରତିଶତ ରହିଛି। କେବଳ ମଣିପୁର ଓ ଅରୁଣାଚଳ ପ୍ରଦେଶରେ ଟିପିଆର୍ ୧୫ ପ୍ରତିଶତ ରେକର୍ଡ କରାଯାଇଛି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ କହିଛନ୍ତି ଯେ ପ୍ରଥମ ସଂକ୍ରମଣ ସମୟରେ ରାଜ୍ୟରେ ଏଭଳି ଉଚ୍ଚ ଟିପିଆର୍‌ ଦେଖିବାକୁ ମିଳି ନ ଥିଲା। ଦ୍ବିତୀୟ ଲହରରେ ଟିପିଆର ୨୩ ପ୍ରତିଶତକୁ ଛୁଇଁବା ନିଶ୍ଚିତ ଭାବେ ଚିନ୍ତାର ବିଷୟ।

ରାଜ୍ୟର ସହରାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ସମ୍ଭବତଃ ଆରମ୍ଭ ହୋଇଯାଇଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ କମ୍ ରହିଛି। ଯଦି କେନ୍ଦ୍ର ସରକାର ନମୁନା ପରୀକ୍ଷା ଉପରେ ଏହି ଟିପିଆର୍‌କୁ ହିସାବ କରିଛନ୍ତି, ତାହାଲେ ରାଜ୍ୟରେ ଏହି ସଂଖ୍ୟା ଅଧିକ ହୋଇପାରେ। ଓଡ଼ିଶାରେ ଅଧିକ ମାତ୍ରାରେ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ହେଉଥିବାରୁ ଅଧିକ ନେଗେଟିଭ୍ ଆସିବା ସ୍ବାଭାବିକ। ସେହିପରି ଯଦି ଲୋକଙ୍କୁ ବିଚାରକୁ ନେଇ ଟିପିଆର୍‌ ୨୩ପ୍ରତିଶତ ବୋଲି କୁହାଯାଉଛି, ତାହାଲେ ଗୋଷ୍ଠୀ ସଂକ୍ରମଣ ଏକପ୍ରକାର ଆରମ୍ଭ ହୋଇଯାଇଛି ବୋଲି ଡା. ମହାପାତ୍ର କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କେତେବେଳେ କମୁଛି ତ ଆଉ କେତେବେଳେ ବଢ଼ୁଛି। ଗୋଟିଏ ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୮୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟର ୨୩ଟି ଜିଲ୍ଲା ରେଡ୍‌-ଜୋନ୍‌ରେ ସାମିଲ ହୋଇଛି। ଓଡ଼ିଶାର ମାନଚିତ୍ର ଏବେ ସଂପୂର୍ଣ୍ଣ ନାଲି ହୋଇଗଲାଣି। କେବଳ ମାଲକାନଗିରିକୁ ବାଦ୍ ଦେଲେ, ବଳକା ୬ ଜିଲ୍ଲା ମଧ୍ୟ ରେଡ୍‌-ଜୋନ୍‌ରେ ସାମିଲ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮,୧୦୧ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ମାତ୍ର ୩୪ ପ୍ରତିଶତ ଆରଟି-ପିସିଆର୍‌ ନମୁନା ରହିଛି। ଏହା ସତ୍ତ୍ବେ ରାଜ୍ୟର ଟିପିଆର୍‌ ୨୦ ପ୍ରତିଶତ ଉପରେ ରହିଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଗୋଟିଏ ଦିନରେ ୧୬ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଧା ୪, କଳାହାଣ୍ଡି ଓ ଗଜପତିରେ ୩ଜଣ ଲେଖାଏଁ, ସୁନ୍ଦରଗଡ଼, ରାୟଗଡ଼ାରେ ୨ଜଣ ଲେଖାଏଁ, ସମ୍ବଲପୁର ଓ ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ଚଳିତ ମାସ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୧ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏ ପର୍ଯ୍ୟନ୍ତ ଖୋର୍ଧ‌ାରେ ସର୍ବାଧିକ ୩୭୪ଜଣ ପ୍ରାଣ ହରାଇଥିବା ବେଳେ ସୁନ୍ଦରଗଡ଼ରେ ୨ଶହ, କଟକ ୧୪୭ ଓ ପୁରୀରେ ୧୨୮ଜଣଙ୍କ ମୁଣ୍ଡ ନେଇଛି କରୋନା।

ରାଜ୍ୟର ସର୍ବାଧିକ ସଂକ୍ରମଣର ବୋଝ କ୍ରମାଗତ ଭାବେ ଖୋର୍ଧା ଜିଲ୍ଲା ମୁଣ୍ଡାଇ ଚାଲିଛି। ପୁଣିଥରେ ଖୋର୍ଧା ଜିଲ୍ଲାରୁ ୧୩୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୭,୩୩୪କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ ୧୧୩୭, କଟକ ୭୯୦, ବରଗଡ଼ ୪୮୩, ସମ୍ବଲପୁର ୪୭୦, ଅନୁଗୁଳ ୪୪୩, ପୁରୀ ୪୩୬, କଳାହାଣ୍ଡି ୪୧୪, ନବରଙ୍ଗପୁର ୪୧୪ ଓ ଷ୍ଟେଟ୍‌ ପୁଲରୁ ୪ଲକ୍ଷ ୮୯ହଜାର ୬୪୧କୁ ବୃଦ୍ଧି ପାଇଛି। ରାଜ୍ୟ‌ରେ ଆଜି ୬୧୭୬ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୧୬ହଜାର ୪୦୩ରେ ପହଞ୍ଚିଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ୭୧,୦୮୧ରେ ପହଞ୍ଚିଛି, ଯାହାକି ସମୁଦାୟ ସଂକ୍ରମିତଙ୍କ ସାଢ଼େ ୧୪ ପ୍ରତିଶତ। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୨ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର