ଦିନକରେ ୨୩ ହଜାର ବରିଷ୍ଠ ନାଗରିକ ନେଲେ ଟିକା

ରାଜ୍ୟରେ ୭ ଲକ୍ଷ ଟିକା ଷ୍ଟକ୍ ଅଛି, ମିଥ୍ୟା କୋ-ମର୍ବିଡ୍‌ ସାର୍ଟିଫିକେଟ୍‌ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ୧ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକ ଟିକାକରଣ ଅଭିଯାନ ଜାରି ରହିଛି। ଆଜି ୬୦ ବର୍ଷରୁ ଅଧିକ ବୟସର ୨୩,୭୯୨ ଜଣ ଏବଂ ଜଟିଳ ରୋଗ ବା କୋ-ମର୍ବିଡ୍‌ ଥିବା ୪୫ ବର୍ଷରୁ ଅଧିକ ବୟସର ୧୦୪୨ ଜଣ ଲୋକ ଟିକା ନେଇଛନ୍ତି। ଏହାକୁ ମିଶାଇ ତିନି ଦିନରେ ୬୦ ବର୍ଷରୁ ଅଧିକ ବୟସର ମୋଟ୍‌ ୫୬,୦୩୩ ଜଣ ଓ ୪୫ ବର୍ଷରୁ ଅଧିକ ବୟସର ୨୧୧୬ ଜଣ ଟିକା ନେଇସାରିଲେଣି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ମୋଟ୍‌ ୨୮,୨୬୦ ଜଣ ଟିକା ନେଇଛନ୍ତି। ତାହା ମଧ୍ୟରୁ ୫୨୮ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ଟିକା ନେଇଥିଲା ବେଳେ ୨୧୦୪ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ୭୮୬ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ଟିକା ନେଇଛନ୍ତି।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ତିଆରି ହୋଇଛି, ତାହାର ପରୀକ୍ଷଣ କରାଯାଉଛି। ପ୍ରଥମ ଡୋଜ୍‌ ପରେ କେତେ ଓ ଦ୍ବିତୀୟ ଡୋଜ୍ ପରେ କେତେ ବଢ଼ିଛି, ତାହାର ନୀରିକ୍ଷଣ କରାଯାଉଛି। ବୁର୍ଲା, ଆର୍‌ଏମ୍‌ଆର୍‌ସି ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏହାର ସର୍ଭେ ଚାଲିଛି। ଏହା କରିବା ଦ୍ବାରା ଟିକା ମାନବ ଶରୀରରେ କେତେ କାମ କରୁଛି, ତାହା ଜଣାପଡ଼ିବ। ଏବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି। ମୋଟ ୭ ଲକ୍ଷ ଟିକା ଏବେ ରାଜ୍ୟରେ ଷ୍ଟକ୍ ଅଛି। ବଫର୍‌ ଷ୍ଟକ୍ ନ କରିବା ପାଇଁ କେନ୍ଦ୍ର କହିଛି। ଷ୍ଟକ୍ ସରିବା ପୂର୍ବରୁ କେନ୍ଦ୍ର ଯୋଗାଇ ଦେବ। କରୋନା ଟିକା ଦାନ ପାଇଁ ଭିତ୍ତିଭୂମି ଓ ମାନବ ସମ୍ବଳ ଥିବା ଘରୋଇ ଡାକ୍ତରଖାନା କେବଳ ଟିକାଦାନ ପ୍ରକ୍ରିୟାରେ ସାମିଲ ହୋଇପାରିବେ।

ଜଟିଳ ରୋଗ ବା କୋ-ମର୍ବିଡ୍‌ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକ ଟିକା ନେବା ପାଇଁ ଡାକ୍ତରୀ ପ୍ରମାଣପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି। ଜଣେ ପଞ୍ଜୀକୃତ ଡାକ୍ତର ହିଁ ଏହି ପ୍ରମାଣପତ୍ର ଦେ‌େବ। ଯଦି ଭୁଲ୍‌ ପ୍ରମାଣପତ୍ର ଦିଆଯାଇଥିବ, ତେବେ ସଂପୃକ୍ତ ବ୍ୟକ୍ତି ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି। ତେଣୁ ଏହି ପ୍ରମାଣପତ୍ର ଦେଲା ବେଳେ ଭଲ ଭାବେ ଯାଞ୍ଚ୍ କରିବାକୁ ଡାକ୍ତରମାନଙ୍କୁ କୁହାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଚିଠି ଜିଲ୍ଲାପାଳ, ମହାନଗର ନିଗମ କମିସନର୍‌ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଦିଆଯାଇଛି।

ସମ୍ବନ୍ଧିତ ଖବର