ରାଉରକେଲା: ପାନପୋଷ ଉପଖଣ୍ଡ ଅନ୍ତର୍ଗତ ରାଉରକେଲା, ରଘୁନାଥପାଲି ଓ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୨୦୧୯ ତୁଳନାରେ ୨୦୨୪ରେ ୨୩,୧୫୨ ଜଣ ଭୋଟ୍ର ବଢ଼ିଛନ୍ତି। ଏହି କ୍ରମରେ ରାଉରକେଲାରେ ନିର୍ବାଚନ ମଣ୍ଡଳୀରେ ଏଥର ୮,୮୨୩ ଜଣ ଅଧିକ ଭୋଟର ଥିବାବେଳେ ରଘୁନାଥପାଲିରେ ଅଧିକ ୪,୬୬୩ ଓ ବୀରମିତ୍ରପୁରରେ ୯,୬୬୬ ଜଣ ଅଧିକ ଭୋଟର ଅଛନ୍ତି। ଏହି ତିନି ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ମୋଟ୍ ୬,୦୭,୩୪୧ ଜଣ ଭୋଟର ଥିବାବେଳେ ଏଥର ସଂଖ୍ୟା ୬,୩୦,୪୯୩ରେ ପହଞ୍ଚିଛି।
ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶିତ ଚୂଡ଼ାନ୍ତ ଭୋଟର୍ ତାଲିକାରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୨,୦୦,୮୮୭ ଭୋଟର ତାଲିକାଭୁକ୍ତ ହୋଇଥିଲେ। ତେବେ ଏଥର ହୋଇଥିବା ସଂଶୋଧିତ କାର୍ଯ୍ୟକ୍ରମ ପରେ ଭୋଟ୍ ସଂଖ୍ୟା ୨,୦୯,୭୧୦ରେ ପହଞ୍ଚିଛି। ସେହିଭଳି ରଘୁନାଥପାଲିରେ ୨୦୧୯ରେ ୧,୭୪,୮୧୭ ଭୋଟର ଥିବାବେଳେ ଏଥର ୧,୭୯, ୪୮୦ ଭୋଟର ଏବଂ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ୨,୩୧,୬୩୭ ଭୋଟର୍ ଥିବାବେଳେ ଏଥର ୨,୪୧,୩୦୩ ଜଣ ଭୋଟ୍ ଅଛନ୍ତି। ୧୮-୧୯ଯୁବବର୍ଗରେ ତିନି ନିର୍ବାଚନ ମଣ୍ଡଳୀରେ ୧୨,୮୧୦ ଜଣ ମତଦାତା ଥିବା ଶନିବାର ପ୍ରକାଶିତ ଚୂଡ଼ାନ୍ତ ଭୋଟର୍ ତାଲିକାରୁ ଜଣାପଡ଼ିଛି। ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ତାଲିକା ପ୍ରକାଶ କରିଥିଲେ। ଏହିଅବସରରେ ଡେପୁଟି କଲେକ୍ଟର ଅର୍ପିତା ମହାନ୍ତି, ସହକାରୀ ଜିଲ୍ଲାପାଳ ଗୋପବନ୍ଧୁ ନାୟକ ଓ ବିକାଶ ଭୋଇ, ଏଡିଡବ୍ଲ୍ୟୁ ଭରତ ଗୁରୁ, କ୍ଷୁଦ୍ର ସଂଚୟ ଅଧିକାରୀ ପ୍ରକାଶ ଦାସଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ, ଯଥା-ବିଜେପି ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ବିଜେଡି ରାଉରକେଲା ନଗର ସଭାପତି ଗଗନ ପଣ୍ଡା, ବିଏସ୍ପି ରାଉରକେଲା ସଭାପତି ରଞ୍ଜନ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।