+୨ରେ ୨୩୫୧ ସିଟ୍‌ ଫାଙ୍କା: କୁଆଡ଼େ ଗଲେ ମେଧାବୀ?

ବରଗଡ଼ : ଗତ ଶିକ୍ଷାବର୍ଷରେ ମାଟ୍ରିକ୍‌ରେ ହୋଇଥିବା ପାସ୍‌ହାରକୁ ଦେଖିଲେ, ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ୍‌ରେ ସିଟ୍‌ଟିଏ ମିଳିବା କଷ୍ଟସାଧ୍ୟ ହେବ ବୋଲି ଅନୁମାନ କରାଯାଉଥିଲା। ମାତ୍ର, ବରଗଡ଼ ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଜିଲ୍ଲ‌‌ାରେ ଥିବା କଲେଜଗୁଡ଼ିକରେ ୨,୩୫୧ ସିଟ୍‌ ଫାଙ୍କା ପଡ଼ିଛି। ଏତେସଂଖ୍ୟକ ସିଟ୍‌ ପାଙ୍କା ପଡ଼ିଥିବାବେଳେ କେହିକେହି ମେଧାବୀ ଛାତ୍ରଛାତ୍ରୀ ବାହାରେ ନାମଲେଖାଇ ପାରନ୍ତି ଏବଂ ସେଥିଯୋଗୁ ଏହିଭଳି ଫାଙ୍କା ପଡ଼ିଥିବା ଯୁକ୍ତି ଦର୍ଶାଉଛନ୍ତି। ଅନ୍ୟ କେତେଜଣ ଏତେସଂଖ୍ୟକ ଛାତ୍ରଛାତ୍ରୀ ଜିଲ୍ଲା ବାହାରେ ନାମ ଲେଖାଇବାକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି। ଏପରି ସ୍ଥିତିରେ ଏକ ଉଚ୍ଚଶିକ୍ଷାରେ ଏକ ଭିନ୍ନ ଚିତ୍ର ସାମ୍‌ନାକୁ ଆସିଛି।

ମାଟ୍ରିକ୍‌ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାସ୍‌ ହାର ୯୦.୭୮ ରହିଥିଲା। ମୋଟ୍ ୧୯, ୮୫୫ ଜଣ ଫର୍ମ ପୂରଣ କରିଥିବାବେଳେ ୧୭,୮୪୨ ଜଣ ପାସ୍‌ କରିଥିଲେ। ଏଥିରେ ୮୪୭୫ ଜଣ ଛାତ୍ର ଏବଂ ୯୩୬୭ ଜଣ ଛାତ୍ରୀ ରହିଛନ୍ତି। ୨୭୯ ଜଣ ଏ-୧, ୧୮୨୪ଜଣ ଏ-୨ରେ ଉତ୍ତୀର୍ଣ୍ଣ ହୋଇଥିଲେ। କେବଳ ବରଗଡ଼ ଜିଲ୍ଲା ନୁହଁ, ସାରା ରାଜ୍ୟରେ ପୂର୍ବ ତୁଳନାରେ ମାଟ୍ରିକ୍‌ ପରୀକ୍ଷାରେ ବହୁ ପିଲା ପାସ୍‌ କରିଥିଲେ। ତେଣୁ ସ୍ବାଭାବିକ ଭାବେ ଏଥର ଯୁକ୍ତ ୨ ନାମଲେଖା ବେଳେ ସିଟ୍‌ ଟିଏ ପାଇବା ପାଇଁ କାଠିକର ହେବ ବୋଲି ଆକଳନ ଥିଲା। ସବୁଠି ସିଟ୍‌ ପାଇଁ ଚର୍ଚ୍ଚା ଲାଗି ରହିଥିଲା। ମାଟ୍ରିକ୍‌ ପରୀକ୍ଷାର ଫଳାଫଳ ଦେଖି ଯୁକ୍ତ-୨ରେ ସିଟ୍‌ ମିଳିବା ମୁସ୍କିଲ ହେବ ବୋଲି ଆକଳନ ଥିଲା। ଆଶ୍ଚର୍ଯ୍ୟର କଥା, ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେଲାଣି। କିନ୍ତୁ, ଜିଲ୍ଲାର ଯୁକ୍ତ-୨ କଲେଜ୍‌ଗୁଡ଼ିକରେ ୨୩୫୧ଟି ସିଟ୍‌ ଫାଙ୍କା ପଡ଼ିଛି। ଏଥିରୁ କଳାରେ ସର୍ବାଧିକ ୧୩୪୬ଟି ସିଟ୍‌, ବିଜ୍ଞାନରେ ୭୧୨ ଏବଂ ବାଣିଜ୍ୟରେ ୨୯୩ଟି ସିଟ୍‌ ଖାଲି ପଡ଼ିଛି।

ପ୍ରଶ୍ନଉଠୁଛି, ଜିଲ୍ଲାର ଯେଉଁ ମେଧାବୀ ପିଲା ମାଟ୍ରିକ୍‌ ପାସ୍‌ କରିଥିଲେ, ସେମାନେ ତା’ହେଲେ ଗଲେ କୁଆଡ଼େ? ଏତେ ସଂଖ୍ୟକ ସିଟ୍‌ ଖାଲି ପଡ଼ିବା ପଛରେ କାରଣ କ’ଣ? ଏସବୁ ପ୍ରଶ୍ନ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ୍‌ ମାନଙ୍କୁ ବିଚଳିତ କରିଦେଇଛି। ଅନ୍ୟ ଏକ ଉଦ୍‌ବେଗର କାରଣ ହେଲା, ଗତବର୍ଷ ଠାରୁ ଏଥର ଖାଲି ପଡ଼ିଥିବା ସିଟ୍‌ ସଂଖ୍ୟା ବେଶି। ଗତ ଶିକ୍ଷାବର୍ଷରେ କନିଷ୍ଠ କଲେଜ୍‌‌ଗୁଡ଼ିକରେ ମୋଟ୍‌ ୨୦୬୦ଟି ସିଟ୍‌ ଖାଲି ପଡ଼ିଥିଲା। ଏଥିରୁ କଳାରେ ୮୧୮, ବିଜ୍ଞାନରେ ସର୍ବାଧିକ ୧୦୬୭ ଏବଂ ବାଣିଜ୍ୟରେ ୧୭୫ ସିଟ୍‌ ଫାଙ୍କା ଥିଲା। ଏହାର ପୂର୍ବ ଶିକ୍ଷାବର୍ଷରେ ଜିଲ୍ଲାର କନିଷ୍ଠ କଲେଜ୍‌ ଗୁଡ଼ିକରେ ନାମଲେଖା ପାଇଁ ମୋଟ୍‌ ୧୨,୫୫୨ଟି ସିଟ୍‌ ଉପଲବ୍ଧ ଥିଲା। ଏଥିରୁ କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ଯଥାକ୍ରମେ ୯୪୦୮, ୨୭୨୦ ଏବଂ ୭୦୪ ସିଟ୍‌ ରହିଥିଲା। ଏସବୁ ପାଠ୍ୟକ୍ରମରେ ଯଥାକ୍ରମେ ୯୫୨,୧,୪୦୪ ଏବଂ ୨୮୦ଟି ସିଟ୍‌ ଫାଙ୍କା ରହିଥିଲା। ଏହାପୂର୍ବରୁ ୨୦୧୮-୧୯ ଶିକ୍ଷାବର୍ଷରେ କନିଷ୍ଠ କଲେଜ ଗୁଡ଼ିକରେ ମୋଟ୍‌ ୧୩,୩୧୨ଟି ସିଟ୍‌ ଉପଲବ୍ଧ ଥିଲା। କିନ୍ତୁ, ନାମଲେଖା ହୋଇଥିଲା ମାତ୍ର, ୧୧,୧୨୬ଟି ସିଟ୍‌ରେ। ଅର୍ଥାତ୍‌, ୨,୧୮୬ଟି ସିଟ୍‌ ଖାଲି ରହିଥିଲା। ଗତ ୨୦୧୭-୧୮ ଶିକ୍ଷାବର୍ଷରେ ଖାଲି ସିଟ୍‌ ସ˚ଖ୍ୟା ୧,୬୯୧ ରହିଥିଲା।

ପରିସଂଖ୍ୟାନ ଅନୁସାରେ, ପ୍ରତିବର୍ଷ କଲେଜ୍‌ ଗୁଡ଼ିକରେ ଖାଲି ସିଟ୍‌ ସଂଖ୍ୟା ବଢ଼ି ଚାଲିଛି। ଆଶ୍ଚର୍ଯ୍ୟର କଥା ପିଲା ବିଜ୍ଞାନ ପଢ଼ିବାକୁ ଆଉ ଆଗ୍ରହ ଦେଖାଉ ନାହାନ୍ତି। କନିଷ୍ଠ ଏବ˚ ଡିଗ୍ରି କଲେଜରେ ବିଜ୍ଞାନ ପାଠ୍ୟକ୍ରମରେ ଫାଙ୍କା ସିଟ୍‌ ବୃଦ୍ଧି ପାଉଛି। ମାଟ୍ରିକ୍‌ କିମ୍ବା ଯୁକ୍ତ ୨ ପାଠ ପଢ଼ିବା ପରେ ପିଲା ଉଚ୍ଚଶିକ୍ଷା ବଦଳରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ଦେଖାଉଥିବାରୁ ସିଟ୍‌ ଫାଙ୍କା ପଡ଼ୁଥିବା ବୁଦ୍ଧିଜୀବୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର