ଭୁବନେଶ୍ବର : ଗତ ୫ବର୍ଷ ଭିତରେ ରାଜ୍ୟରେ ୫୯ଟି ଆଇଟି କମ୍ପାନି ଖୋଲିଛି। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ଜମି, ବିଲ୍ଟ ଅପ୍ ସ୍ପେସ୍ ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇଛନ୍ତି। ଡେଲୋଏଟ୍ ସହିତ ଆଇଟି ଓ ଆଇଟିଇଏସ୍ ଇଏସ୍ଡିଏମ୍ କମ୍ପାନିମାନଙ୍କ ଦ୍ବାରା ସଫ୍ଟୱେୟାର ରପ୍ତାନି ମାଧ୍ୟମରେ ରାଜ୍ୟର ରାଜସ୍ବ ଅର୍ଜନ ବୃଦ୍ଧିରେ ସହାୟକ ହେଉଛନ୍ତି। ଏହି କମ୍ପାନିମାନଙ୍କରେ ୨୩,୬୫୬ଜଣ ଯୁବକ ଓ ଯୁବତୀ ନିଯୁକ୍ତି ପାଇଥିବା ସୂଚନା ଦେଇଛନ୍ତି ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା।
ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବେହେରା କହିଛନ୍ତି ଯେ ନିଯୁକ୍ତି ପାଇଥିବା ଯୁବକ, ଯୁବତୀଙ୍କ ମଧ୍ୟରେ ୮୦ ଭାଗ ଓଡ଼ିଶାର। ସେମାନଙ୍କ ସର୍ବନିମ୍ନ ଓ ସର୍ବୋଚ୍ଚ ବେତନ ହାର ସଂପର୍କିତ ତଥ୍ୟ ବିଭାଗ ନିକଟରେ ନାହିଁ। ବେଙ୍ଗାଲୁରୁ, ପୁନେ, ହାଇଦ୍ରାବାଦ, ଚେନ୍ନାଇ ଭଳି ଭୁବନେଶ୍ବରକୁ ଦେଶର ଅନ୍ୟତମ ଆଇଟି ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଭୁବନେଶ୍ବରଠାରେ ଇନ୍ଫୋସିଟି-ଏସ୍ଇଜେଡ୍, ଇନ୍ଫୋସିଟି-୨ ଆଇଟି ଏସ୍ଇଜେଡ୍(ଇନଫୋଭ୍ୟାଲି) ସ୍ଥାପନ କରିଛନ୍ତି। ଇନଫୋଭ୍ୟାଲିଠାରେ ଏକ ଗ୍ରିନ୍ ଫିଲ୍ଡ ଇଏମ୍ସି ପ୍ରତିଷ୍ଠା କରାଯାଉଛି। ପ୍ରମୁଖ ଆଇଟି ସଂସ୍ଥା ସେମାନଙ୍କର ପୁଞ୍ଜି ନିବେଶ ତଥା ୟୁନିଟ୍ ସ୍ଥାପନ ପାଇଁ ଆକୃଷ୍ଟ କରିବାକୁ ସ୍ବଳ୍ପ ମୂଲ୍ୟରେ ସହାବସ୍ଥାନ ଯୋଗାଇ ଦେବା ପାଇଁ ଏକାଧିକ ବିଲ୍ଡିଂକୁ ଆଇଟି ଟାୱାର ଭାବେ ଚିହ୍ନଟ କରାଯାଇଛି। ଏଥିରେ ଓକାକ୍ ଟାୱାର, ଫର୍ଚୁନ ଟାୱାର, ଇଡକୋ ଟାୱାର, ଟାୱାର-୨୦୦୦, ଓ-ହବ୍ ଟାୱାର, ଶକ୍ତି ଭବନ, ଆଇସିଓଏମ୍ସି ଟାୱାର, ବିଏସ୍ସିଏଲ ବିଲ୍ଡିଂ-ୟୁନିଟ୍-୨ ଓ ବିଏସ୍ସିଏଲ ବିଲ୍ଡିଂ-ସହିଦ ନଗର ରହିଛନ୍ତି। ଏହାବାଦ୍ ଆଇଟି କମ୍ପାନିଗୁଡ଼ିକୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଓଡ଼ିଶା ଆଇଟି ନୀତି-୨୦୨୨, ଓଡ଼ିଶା ଡାଟା ସେଣ୍ଟର ନୀତି-୨୦୨୨, ଓଡ଼ିଶା ଇଲେକଟ୍ରୋନିକ୍ସ ନୀତି-୨୦୨୧ ଓ ଓଡ଼ିଶା ବିପିଓ ନୀତି-୨୦୨୧ ପ୍ରଣୟନ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।