୩ହଜାର ୭୪୩ ଜଣ ପ୍ରବାସୀ ପାଇଛନ୍ତି ୨ହଜାର ଟଙ୍କା ଲେଖାଁଏ ସରକାରୀ ସହାୟତା
ସଙ୍ଗରୋଧ କେନ୍ଦ୍ରରୁ ଛାଡ଼ ପାଉଥିବା ପ୍ରବାସୀଙ୍କ ପାଇଁ ଜିଲ୍ଲାକୁ ଆସିଛି ୨କୋଟି ୨୭ଲକ୍ଷରୁ ଊର୍ଧ୍ବ ଅନୁଦାନ

Advertisment

ବାରିପଦା : ମୟୂରଭଞ୍ଜ ଜିଲ୍ଲାକୁ ଆଜିସୁଦ୍ଧା ବିଭିନ୍ନ ରାଜ୍ୟରୁ ୨୩ହଜାର ୭ଶହ ୩୪ ଜଣ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୨୩ହଜାର ୫ଶହ ୧୦ଜଣ ବ୍ଲକ୍ ଅଞ୍ଚଳରୁ ଥିବାବେଳେ ୨୨୪ଜଣ ଜିଲ୍ଲାର ଚାରି ସହରାଞ୍ଚଳରୁ ରହିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶ। ମୋଟ ପ୍ରବାସୀଙ୍କ ମଧ୍ୟରୁ ୧୬ହଜାର ୧୬୩ଜଣ ସେମାନଙ୍କର ସରକାରୀ ସଙ୍ଗରୋଧ ସମୟ ସମାପ୍ତ କରି ଘରକୁ ଫେରିସାରିଥିବା ଜଣାପଡ଼ିଛି। ୭ହଜାର ୫୭୧ଜଣ ପ୍ରବାସୀ ବର୍ତ୍ତମାନ ସମୟରେ ଜିଲ୍ଲାର ୫୦୩ଟି ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର (ଟିଏମ୍‌ସି)ରେ ରହୁଛନ୍ତି। ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ଆଜି ସୁଦ୍ଧା ମୋଟ ୮୩୭ଟି ଟିଏମ୍‌ସି ପ୍ରସ୍ତୁତ କରାଯାଇ ୩୫ହଜାର ୧୨୪ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି।

publive-image Livemint

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସରକାରୀ ସଙ୍ଗରୋଧ ସମୟ ସମାପ୍ତ କରୁଥିବା ସମସ୍ତ ପ୍ରବାସୀଙ୍କୁ ୨ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି କ୍ରମରେ ଜିଲ୍ଲାରେ ଆଜିସୁଦ୍ଧା ସଙ୍ଗରୋଧରୁ ଛାଡ଼ ପାଇଥିବା ୩ହଜାର ୭୪୩ ଜଣ ପ୍ରବାସୀଙ୍କୁ ମୋଟ ୭୪ଲକ୍ଷ ୮୬ହଜାର ଟଙ୍କା ପ୍ରଦାନ କରାଯାଇଛି। ଯଦିଓ ଜିଲ୍ଲାରେ ଆଜିସୁଦ୍ଧା ୧୬ହଜାର ୧୬୩ଜଣ ପ୍ରବାସୀ ସଙ୍ଗରୋଧ ସମୟ ସମାପ୍ତ କରିସାରିଛନ୍ତି। ତେବେ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଘୋଷଣା କରାଯାଇଥିବା ୨ହଜାର ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରବାସୀଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାକୁ ୨କୋଟି ୨୭ଲକ୍ଷ ୬୩ହଜାର ୭୧୨ ଟଙ୍କା ଆସିଛି। ୭୪ଲକ୍ଷ ୮୬ହଜାର ଟଙ୍କା ପ୍ରଦାନ ପରେ ଜିଲ୍ଲା ପାଣ୍ଠିରେ ୧କୋଟି ୫୨ଲକ୍ଷ ୭୭ହଜାର ୭୧୨ଟଙ୍କା ବଳକା ଥିବା ଜଣାପଡ଼ିଛି।

publive-image Deccan Herald

ଜିଲ୍ଲାକୁ ଫେରିବା ନିମନ୍ତେ ପ୍ରାୟ ୫୦ହଜାରରୁ ଊର୍ଧ୍ବ ପଞ୍ଜିକରଣ କରିଛନ୍ତି। ତେବେ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଥିବା ଜଣାପଡ଼ିଛି। ଜିଲ୍ଲାକୁ ଫେରୁଥିବା ସମସ୍ତ ପ୍ରବାସୀଙ୍କୁ ଗ୍ରାମାଞ୍ଚଳରେ ୧୪ଦିନ ସରକାରୀ ସଂଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ କରାଯାଇଛି। ସହରାଞ୍ଚଳରେ ମଧ୍ୟ ସରକାରୀ ସଂଗରୋଧ ସମୟ ସମାପ୍ତ ପରେ ଯଦି ଘରେ ହୋମ୍ କ୍ବାରାଣ୍ଟିନ୍ ନିମନ୍ତେ ସୁବିଧା ନଥିବ ତେବେ ସେମାନେ ଆଉ ୭ଦିନ ସରକାରୀ ସଂଗରୋଧ କେନ୍ଦ୍ରରେ ରହିପାରିବେ ବୋଲି ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି।