କରୋନାରୁ ସୁସ୍ଥ ହେଉଛି ଓଡ଼ିଶା: ୩ ଦିନରେ ୨୨୨ ଜଣ ଆକ୍ରାନ୍ତ, ୨୩୮ ସୁସ୍ଥ

ବିଗତ ତିନି ଦିନରେ ଗଂଜାମରୁ ସର୍ବାଧିକ ୫୪ ଜଣ ସୁସ୍ଥ

ଭୁବନେଶ୍ୱର: କୋଭିଡ-୧୯ ବିରୋଧରେ ଓଡ଼ିଶା ସଫଳତାର ସହିତ ମୁକାବିଲା କରୁଛି । ଦିନକୁ ଦିନ ଓଡ଼ିଶାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସୁବ୍ୟବସ୍ଥା ସହ ପ୍ରଶାସନିକ ସହଯୋଗ ଯୋଗୁଁ ଏଭଳି ହୋଇପାରିଛି । ସେହିଭଳି ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀମାନେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଦୃଷ୍ଟିଗୋଚର ହେଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିଗତ ତିନି ଦିନରେ କରୋନା ପଜିଟିଭ ବ୍ୟକ୍ତିଙ୍କ ତୁଳନାରେ ସୁସ୍ଥ ହୋଇଛନ୍ତି ଅଧିକ ଆକ୍ରାନ୍ତ ।

ତଥ୍ୟ ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୨୯ଟି ଜଲ୍ଲାରୁ ମୋଟ ୧୬୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ରାଜ୍ୟରେ ଆଜି ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସ ୨୬ ତାରିଖରେ ୭୯ ଜଣ କରୋନା ଭାଇରସ ଆକ୍ରାନ୍ତ ହୋଇଥିଲେ । ଅର୍ଥାତ କ୍ରମାଗତ ୩ ଦିନରେ ରାଜ୍ୟରେ ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷେ କରୋନା ଭାଇରସରେ ରାଜ୍ୟରେ ଆଜି ଯାଏଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୮୭ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ରାଜ୍ୟରେ କରୋନାରୁ ୫୩.୪୩ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୫ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଗତକାଲି ୭୯ ଓ ୨୬ ତାରିଖରେ ୮୪ ଜଣ କରୋନା ଭାଇରସ ବିପକ୍ଷରେ ବିଜୟୀ ହୋଇଥିଲେ । ଅର୍ଥାତ କ୍ରମାଗତ ତିନି ଦିନରେ ରାଜ୍ୟରେ ୨୩୮ ଜଣ ସୁସ୍ଥ ହୋଇଛନ୍ତି ।

ଏହି ତିନି ଦିନ ମଧ୍ୟରେ ଗଂଜାମ ଜିଲ୍ଲାରୁ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ୪୮ ଜଣ, ବାଲେଶ୍ୱର ଜିଲ୍ଲାରେ ୨୮ ଜଣ, କଟକରେ ୨୦ ଜଣ, ଭଦ୍ରକରେ ୩୪ ଜଣ, କେନ୍ଦ୍ରାପଡ଼ାରେ ୮ ଜଣ, ଖୋର୍ଦ୍ଧାରେ ୭ ଜଣ, ପୁରୀରେ ୧୯ ଜଣ, ନୟାଗଡ଼ରେ ୫ ଜଣ, ବଲାଙ୍ଗୀର ଓ କେନ୍ଦୁଝରରେ ୪ ଜଣ, କନ୍ଧମାଳ ଓ ମୟୂରଭଂଜରେ ୨-୨ ଜଣ, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ରେ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର