ଓଡ଼ିଶାର ପ୍ରଗତିରେ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

୨୩ ତମ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶାର ପ୍ରଗତିରେ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ଏମଏସଏମଇ ଶିଳ୍ପୋଦ୍ୟୋଗୀମାନେ ସୃଷ୍ଟି କରିଥିବା ବ୍ୟାପକ ନିଯୁକ୍ତି ସୁଯୋଗ ଅନେକଙ୍କୁ ରୋଜଗାର ଦେଇଛି। ଶିଳ୍ପୋଦ୍ୟୋଗୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଗୋଟିଏ ସ୍ଥାନରେ ଉଭୟ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତିଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୧ ଏ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି। ଆଜି ୱେଲ୍‌କମ୍‌ ହୋଟେଲ ପରିସରରେ ସିଆଇଆଇ(କନ୍‌ଫେଡେରେସନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି) ଆୟୋଜିତ ୨୩ ତମ ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା’କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କୋଭିଡ୍‌ ଭଳି ପ୍ରତିକୂଳ ସମୟରେ ମଧ୍ୟ ସାରା ଦେଶରେ ଓଡ଼ିଶା ପ୍ରଶଂସିତ ହୋଇଛି। ପୂର୍ବରୁ ମେକ୍‌ଇନ୍ ଓଡ଼ିଶା ଓ ଷ୍ଟାର୍ଟ ଅପ ଓଡ଼ିଶା ଭଳି ଅନେକ ସରକାରୀ ଉଦ୍ୟମ ଶିଳ୍ପୋଦ୍ୟୋଗୀମାନଙ୍କ ସହଯୋଗରେ ସଫଳ ହୋଇଛି।

ସମ୍ମାନିତ ଅତିଥି ଭାବେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ଶିଳ୍ପ ‌କ୍ଷେତ୍ରରେ ସରକାରଙ୍କ ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦେଇଥିଲେ। ‘ଲେସ୍‌ ଗଭର୍ଣ୍ଣମେଣ୍ଟ, ମୋର୍‌ ଗଭର୍ଣ୍ଣାନ୍ସ’ ନ୍ୟାୟରେ କିଭଳି ସରକାର କାମ କରୁଛନ୍ତି, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର‌ରେ ବଜେଟ୍‌ କିଭଳି ବହୁଗୁଣିତ ହୋଇଛି ସେ ନେଇ ସୂଚନା ଦେଇଥିଲେ। ଇପିକଲ୍‌ ଅଧ୍ୟକ୍ଷ ତଥା ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଯୋଗଦେଇ ଶିଳ୍ପର ଉନ୍ନତି ପାଇଁ ୪ଟି ମନ୍ତ୍ର ସମ୍ବନ୍ଧରେ ଆଲୋଚନା କରିଥିଲେ। ସମ୍ବଳ, ଭିତ୍ତିଭୂମି, ଯୋଜନା ଓ ଯୋଗାଯୋଗରେ ଉନ୍ନତି କରାଗଲେ ଶିଳ୍ପକ୍ଷେତ୍ରରେ ଆହୁରି ଉନ୍ନତି ହେବ‌ ବାଲି କହିଥିଲେ। ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ବେଦାନ୍ତ ସିଇଓ ରାହୁଲ ଶର୍ମା ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ସିଇଓ ଦିଲୀପ ଓମେନ୍‌ ଭିଡିଓ କନ୍‌ଫ‌ରେନ୍ସ ଜରିଆରେ ଭାଗ ନେଇଥିଲେ। ସିଆଇଆଇ ଓଡ଼ିଶା କାଉନ୍‌ସିଲ୍‌ ଅଧ୍ୟକ୍ଷ ମନୀଷ ଖରବନ୍ଦା ସ୍ବାଗତ ଭାଷଣ ଦେଇଥିଲେ। ଅଶୋକ ବଳ ଓ ରଣଜିତ ରଥ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ବଲପୁର ଆଇଆଇଏମ୍‌ ଆସୋସିଏଟ୍‌ ପ୍ରଫେସର ରାମକୃଷ୍ଣ ପାଢ଼ୀଙ୍କ ପ୍ରସ୍ତୁତ କରିଥିବା ଇମର୍ଜିଂ ସେକ୍ଟର୍ସ ଅଫ୍‌ ଓଡ଼ିଶା ଶୀର୍ଷକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ସିଆଇଆଇ ପୂର୍ବତନ ଅଧ୍ୟକ୍ଷ ଏମ୍‌କେ ଗୁପ୍ତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର