ଧର୍ମ ନାଁରେ ବିଭାଜନ ଚାଲିଛି: ଡି.ରାଜା

ସିପିଆଇର ୨୩ତମ ରାଜ୍ୟ ସମ୍ମିଳନୀ

ପୁରୀ : ଦେଶ ଏବେ ଆହ୍ବାନମୂଳକ ପରିସ୍ଥିତି ଦେଇ ଗତିକରୁଛି। ଧର୍ମ ନାଁରେ ବିଭାଜନ କରାଯାଉଛି। ‌ଜାତୀୟ ସମ୍ପତ୍ତିକୁ ଘରୋଇ କମ୍ପାନି ହାତରେ ଟେକି ଦିଆଯାଉଛି। ଆନ୍ଦୋଳନକାରୀଙ୍କୁ ଦମନ କରାଯାଉଛି। ଧର୍ମ ନିରପେକ୍ଷ ରାଷ୍ଟ୍ରର ସଂଜ୍ଞା ବଦଳାଇ ସାରିଲେଣି। ତେଣୁ ଆମ ସମ୍ବିଧାନ ଓ ଦେଶର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସମସ୍ତ ଆଞ୍ଚଳିକ ଓ ଗଣତାନ୍ତ୍ରିକ ଦଳ ସମେତ ବାମପନ୍ଥୀ ଦଳକୁ ଏକାଠି ହେବାକୁ ପଡ଼ିବ। ସ୍ଥାନୀୟ ପୌରସଦନରେ ଆୟୋଜିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୨୩ତମ ରାଜ୍ୟ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସିପିଆଇର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡି. ରାଜା ଏହା କହିଛନ୍ତି।

ଡି.ରାଜା କହିଛନ୍ତି, ଜାତି ଓ ସଂପ୍ରଦାୟ ନାମରେ ଗରିବଙ୍କ ଏକତାକୁ ଭାଙ୍ଗିଦିଆଯାଉଛି। ଭାରତ ଜନମଙ୍ଗଳ ରାଷ୍ଟ୍ର ଭାବେ ଅଭିହିତ ହେଉଥିଲେ ମଧ୍ୟ ବିଜେପି ସରକାରଙ୍କ
ଶାସନ କାଳରେ ଏହାକୁ ପରିବର୍ତ୍ତନ କରିଦିଆଯାଇଛି। ଧନୀ ଆହୁରି ଧନୀ ହୋଇ ବିଶ୍ବ ଧନୀ ତାଲିକାରେ ନାଁ ଲେଖୁଛି, ଏଣେ ଭୋକିଲା ସୂଚୀରେ ନାଁ ବଢ଼ୁଛି। ନିକଟରେ ଚାଷୀମାନେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରି ଥରହର କରି ଆନ୍ଦୋଳନର ଶକ୍ତି ଦେଖାଇ ସାରିଛନ୍ତି। ଶ୍ରୀଲଙ୍କାରେ ଜନମତର ଶକ୍ତି ଲୋକେ ଦେଖି ସାରିଛନ୍ତି। ତେଣୁ ବୃହତ୍ତର ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ସେ ସିପିଆଇ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ୩ ଦିନିଆ ଏହି ସମ୍ମିଳନୀରେ ସିପିଆଇର ଜାତୀୟ ସମ୍ପାଦକ ପଲ୍ଲବ ସେନଗୁପ୍ତ ଯୋଗଦେଇ କହିଛନ୍ତି, କମ୍ୟୁନିଷ୍ଟ ପାର୍ଟି ସବୁଠୁ ବଡ଼ ଗଣତାନ୍ତ୍ରିକ ଦଳ। କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଗଣଙ୍କର ନୁହେଁ, ବରଂ କର୍ପୋରେଟ୍‌ ମାଲିକମାନଙ୍କର ସେବାରେ ଲାଗିଛନ୍ତି।

ଧର୍ମ ନିରପେକ୍ଷ ରାଷ୍ଟ୍ରର ସଂଜ୍ଞା ବଦଳାଇ ସାରିଲେଣି
ଦେଶରେ ଭୋକିଲାଙ୍କ ସଂଖ୍ୟା ବଢ଼ୁଛି

ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ କହିଛନ୍ତି , ଚୁଡ଼ା, ମୁଢ଼ି ଓ ତେଲରେ ଜିଏସ୍‌ଟି ଆଦାୟ କରି ତୃଣମୂଳ ସ୍ତରର ଲୋକଙ୍କୁ ଲୁଟ୍‌ କରାଯାଉଛି। ଦରବୃଦ୍ଧି ଯୋଗୁ ମଣିଷ ଆଉଟୁପାଉଟୁ ହେଉଛି। ତେଣୁ ଏହାକୁ ବିରୋଧ କରିବା ପାଇଁ ବୃହତ୍‌ ଆନ୍ଦୋଳନ କରାଯିବ। ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା କହିଛନ୍ତି, ଚାଷୀର ଭାଗ୍ୟ ମିଲ୍‌ମାଲିକ ସହ ବନ୍ଧା ହୋଇଛି। ରପ୍ତାନି କମୁଛି, ଆମଦାନୀ ବଢ଼ିବାରେ ଲାଗିଛି। ଅର୍ଥନୀତି ଭୁଶୁଡ଼ିବାରେ ଲାଗିଛି। ସାଂପ୍ରଦାୟିକ ଫାସିବାଦ ନାଁରେ ଦେଶ ପ୍ରତି ବିପଦ ସୃଷ୍ଟି କରାଯାଉଛି। ସିପିଆଇ(ଏମ୍‌)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ କହିଛନ୍ତି , ଦେଶରେ ଜନତାଙ୍କ ମଧ୍ୟରେ ଏକତା ଭାଙ୍ଗିବାକୁ ଉଦ୍ୟମ ହେଉଛି। ‌ବିଶ୍ବ ରାଜନୀତି ଦକ୍ଷିଣପନ୍ଥୀ ମୋଡ଼ ନେଉଛି। ସିପିଆଇ (ଏମ୍‌ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛନ୍ତି।

ଅଭ୍ୟର୍ଥନା ସମିତିର ସଭାପତି ପ୍ରଦୀପ୍ତ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବ‌େଳେ ସହସମ୍ପାଦକ ପ୍ରଶାନ୍ତ ମିଶ୍ର ଶୋକ ପ୍ରସ୍ତାବ ଆଗତ କରିଥିଲେ। ଅଶୋକ ଦାଶ, ପ୍ରକାଶ ପାତ୍ର, ଜନ୍ମୟୀ ସାହାଣୀ, ଦେବେନ୍ଦ୍ର ସାହୁ, ସଂଘମିତ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ଶତାଧିକ ପ୍ରତିନିଧି ପଟୁଆରରେ ସହର ପରିକ୍ରମା କରିଥିଲେ। ପୌର ସଦନ ନିକଟରେ ପହଞ୍ଚିବା ପରେ ବର୍ଷିୟାନ ନେତା ସୋମନାଥ ପାତ୍ର ଲାଲ୍‌ ପତାକା ଉତ୍ତୋଳନ କରିଥିଲେ। ବରିଷ୍ଠ ନେତା ଦିବାକର ନାୟକଙ୍କ ଅଧ୍ୟକ୍ଷତାରେ ଖୋଲା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଭ୍ୟର୍ଥନା ସମିତି ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ସ୍ବାଗତ ଭାଷଣ ଦେଇଥି‌ବା ବେଳେ ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅଭୟ ସାହୁ, ପ୍ରଶାନ୍ତ ପାଟ୍ଟଯୋଶୀ, ମହେଶ୍ବର ରାଉତ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର