ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଦୁଇ ପ୍ରମୁଖ ବିଜେପି ଜନପ୍ରତିନିଧିଙ୍କ ନିଷ୍କ୍ରିୟତାର ଫାଇଦା ଉଠାଇ ପାରୁନି ଶାସକ ଦଳ ବିଜେଡି। ସମ୍ବଲପୁରର ଗୋଟିଏ ପରେ ଗୋଟିଏ ଘଟଣା ସରକାର ଓ ଶାସକ ଦଳ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା ଆସନ ମଧ୍ୟରୁ ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର ରେଂଗାଲି ଏବଂ ସମ୍ବଲପୁର ସଦର ଆସନ ବିଜେପି ଅକ୍ତିଆରରେ ରହିଛି। ସମ୍ବଲପୁର‌ ଲୋକସଭା ଆସନ ବି ବିଜେପି ହାତରେ। ବିଜେପିର ରାଜ୍ୟ ଉପସଭାପତି ଥିବା ରେଂଗାଲି ବିଧାୟକ ନାଉରୀ ନାୟକଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇ ଜନ ପ୍ରତିନିଧିଙ୍କ ଅନୁପସ୍ଥିତି ଲୋକ ଅନୁଭବ କରୁଛନ୍ତି। ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ସମ୍ବଲପୁର ସାଂସଦ ନିତେଶ ଗଂଗଦେବଙ୍କୁ ଆରମ୍ଭରୁ ଦେଖିବାକୁ ପାଉନାହାନ୍ତି। ଅନ୍ୟ ପକ୍ଷରେ ସମ୍ବଲପୁର ବିଧାୟକ ତଥା ବି‌ରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନମଣ୍ଡଳୀର ଲୋକଙ୍କଠାରୁ ଦୂରରେ ରହୁଛନ୍ତି।

Advertisment

ଏହା ଲୋକଙ୍କ ନିକଟତର ହେବାକୁ ଶାସକ ଦଳ ବିଜେଡି ପାଇଁ ସୁହାଇବା କଥା। କିନ୍ତୁ, ବିଗତ ଦିନରେ ଘଟିଯାଇଥିବା କେତେକ ଘଟଣା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ହାଇକୋର୍ଟ ଆନ୍ଦୋଳନ ସମୟର ଅଭାବନୀୟ ଘଟଣା ଏତେ ବର୍ଷର ଆନ୍ଦୋଳନକୁ ଭିନ୍ନ ଦିଗକୁ ନେଇଗଲା। ତେବେ ସେହି ସମୟ‌ରେ ପୁଲିସର ମାତ୍ରାଧିକ କାର୍ଯ୍ୟକଳାପ ଜନସାଧାରଣଙ୍କ ମନରେ ଛନକା ପଶାଇବାରେ ଯଥେଷ୍ଟ ଥିଲା। ଅନ୍ୟ ପଟେ ପୁଲିସ ପ୍ରଶାସନର ଅବହେଳା ଯୋଗୁ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ହିଂସା ଭାଇଚାରାର ସହର ସମ୍ବଲପୁରରେ ସାଂପ୍ରଦାୟିକ ବିଦ୍ବେଷର ମଂଜି ବୁଣି ଦେଇଛି। ଘଟଣା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲୋକେ ଆଶା ରଖିଥିଲେ। ଏଭଳି ହୋଇଥିଲେ ସରକାର ଲୋକଙ୍କ ବିଶ୍ବାସଭାଜନ ହୋଇପାରିଥାନ୍ତେ। ଯଦିଓ, ଇତିମଧ୍ୟରେ ଜିଲ୍ଲା ପୁଲିସ ମୁଖିଆଙ୍କ ଠାରୁ ଆରମ୍ଭ କରି ବହୁ ବର୍ଷ ଧରି କାର୍ଯ୍ୟ କରୁଥିବା ଅନେକ ପୁଲିସ ଅଧିକାରୀଙ୍କ ବଦଳି ‌ହୋଇଛି। ତଥାପି, କେତେକ ବିବାଦୀୟ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ପରିବର୍ତ୍ତେ ଅନୁକମ୍ପା ପ୍ରଦର୍ଶନ କରାଯିବା ଘଟଣାକୁ ଲୋକେ ସହଜରେ ହଜମ କରିପାରୁନାହାନ୍ତି। ଏପଟେ ବହୁ ବର୍ଷ ଧରି ମନ୍ତ୍ରୀଶୂନ୍ୟ ରହିଥିବା ସମ୍ବଲପୁର ଜିଲ୍ଲାରୁ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି। ରୋହିତ ବିଦା ହେବା ପରେ ଜିଲ୍ଲାରୁ ଅନ୍ୟ ଜଣେ ବିଧାୟକଙ୍କୁ ପୁଣି ମନ୍ତ୍ରୀ କରାଯିବ ବୋଲି ଲୋକେ ଆଶା ରଖିଥିଲେ ହେଁ ନିକଟ ଭବିଷ୍ୟତରେ ସେଭଳି କିଛି ହେବାର ଆଶା କ୍ଷୀଣ।

ଏପ‌ଟେ କୌଣସି ବଡ଼ କିମ୍ବା ନୂଆ ପ୍ରକଳ୍ପ ହାତକୁ ନିଆଯାଉନାହିଁ। ବଳବନ୍ତ ସିଂହ ଏବଂ ସମର୍ଥ ବର୍ମା ଜିଲ୍ଲାପାଳ ଥିବା ସମୟରେ ସମ୍ବଲପୁରର ବିକାଶ ପାଇଁ ଅନେକ ନୂଆ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ସେତେବେଳେ ସବୁଜ ସଂକେତ ମିଳିଥିବା ସେହିସବୁ ଏବେ ଶୀତଳଭଣ୍ଡାରକୁ ଚାଲିଯାଇଛି। ରାଜ୍ୟର ସବୁ ଜିଲ୍ଲାର ମନ୍ଦିର ଓ ଦେବାଳୟର ବିକାଶ ପାଇଁ ରାଜ୍ୟ ସରକାର କାମ କରୁଥିବା ପରିପ୍ରେକ୍ଷୀରେ ‘ସମଲେଇ ପ୍ରକଳ୍ପ’ ହାତକୁ ନିଆଯାଇଥିବା ଜନସାଧାରଣରେ ଆଲୋଚନା ହେଉଛି। ଏପଟେ ସରକାରୀ ବାବୁମାନଙ୍କ ଅପରାଗତା ଓ ଅବହେଳା ଯୋଗୁ ସମ୍ବଲପୁର ମହାନଗର ନିଗମ ଅଂଚଳରେ ରାସ୍ତାଘାଟ, ପାନୀୟ ଜଳ ଯୋଗାଣ ଭଳି ଅନେକ କାମ ପାଇଁ ଟେଣ୍ଡର ଡକା ହେବାର ବହୁ ମାସ ପରେ ବି ଆରମ୍ଭ ହୋଇନପାରିବା ଜନ ଅସନ୍ତୋଷ ବଢ଼ାଉଛି।