ହାତୀକୁ ମାରିଦେଲା ବନ ବିଭାଗ! ମହୁଲପୋଚ ଖାଇ ଶୋଇପଡ଼ିଲେ ୨୪ ହାତୀ

କେନ୍ଦୁଝର/ପାଟଣା: ମହୁଲପୋଚ ଖାଇ ମାତାଲ୍‌ ହୋଇଗଲେ ୨୪ ହାତୀ। ନିଶାରେ କେଉଁଆଡ଼େ ଯାଇନପାରି ରାତିରେ କାଜୁ ଜଙ୍ଗଲରେ ଶୋଇପଡ଼ିଲେ। ଏଭଳି ଖବର ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଶିଲିପଦା କାଜୁ ଜଙ୍ଗଲରେ। କିଛିଦିନ ହେଲା ୨୪ ଟିକିଆ ହାତୀପଲ ପାଟଣା ରେଞ୍ଜ୍‌ରେ ପଶି ଉପଦ୍ରବ ଚଳାଉଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଜି ସକାଳୁ ଏହି ହାତୀପଲ ପାଟଣା ରେଞ୍ଜ ଶିଲିପଦା ଗ୍ରାମ ଜଙ୍ଗଲରେ ଥିବା ଲୋକେ ଦେଖିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଙ୍ଗଲରେ ଲୋକେ ମଦ ପ୍ରସ୍ତୁତ କରିବା ପାଇଁ ମହୁଲପୋଚ ରଖିଥିଲେ। ହାତୀପଲ ଉକ୍ତ ମହୁଲ ପୋଚକୁ ଖାଇବା ପରେ ନିଶାରେ ମାତାଲ୍‌ ହୋଇ ଶୋଇପଡ଼ିଥିଲେ। ଆଜି ସକାଳେ ୬ଟାବେଳେ ଲୋକେ କାଜୁ ଜଙ୍ଗଲରେ ହାତୀଗୁଡ଼ିକ ଏଣେତେଣେ ଶୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ନିଶା ଭାଙ୍ଗି ନଥିଲା।
ପରେ ଲୋକମାନେ ଏକାଠି ହୋଇ ‌ହୋ’ହଲ୍ଲା କରିବାରୁ ହାତୀପଲ ସେଠାରୁ ଉଠି ଚାଲି ଯାଇଥିଲେ। ତେବେ, ଲୋକଙ୍କ ଏହି ଅଭିଯୋଗକୁ ରେଞ୍ଜର ଘାସିରାମ ପାତ୍ର ଅସ୍ବୀକାର କରିଛନ୍ତି। ହାତୀ ଗୁଡ଼ିକ ରାତିରେ ଜଙ୍ଗଲରେ ବିଶ୍ରାମ ନେଇଥିଲେ ବୋଲି କହିଛନ୍ତି। ‌ହାତୀ ମହୁଲପୋଚ ଖାଇବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।

ହାତୀକୁ ମାରିଦେଲା ବନ ବିଭାଗ! ଟ୍ରାକିଂରେ ଠାବ ହୋଇଥିଲା ଅସୁସ୍ଥ ମାଈ ହାତୀ
ଛୋଟୋଉଥିବା ଜାଣି ବି ଚିକିତ୍ସା କଲେନି

କେନ୍ଦୁଝର: ତେ‌ଲକୋଇ ରେଞ୍ଜର ବିମଳା ଏବଂ ତାଳପଦା ସେକ୍ସନ ଜଙ୍ଗଲ ପରସ୍ପରକୁ ଲାଗି ରହିଛି। ବନ ବିଭାଗର ଟ୍ରାକିଂ ରିପୋର୍ଟ କହୁଛି ଯେ ୨୬ ତାରିଖରୁ ତାଳପଦା ସେକ୍ସନରେ କୌଣସି ହାତୀପଲ ନଥିଲେ। ମାତ୍ର ନିକଟସ୍ଥ ବିମଳା ସେକ୍ସନରେ ୧୪ ଟିକିଆ ଏକ ହାତୀପଲ ବୁଲୁଥିଲେ। ଏହି ପଲରେ ଏକ ମାଈହାତୀ ଛୋଟେଇ ଛୋଟେଇ ଚାଲୁଥିଲା। ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ ବିଭାଗ ନିଜ ଟ୍ରାକିଂ ରିପୋର୍ଟରେ ଏହି ଆହତ ମାଈହାତୀ ସମ୍ପର୍କରେ ତଥ୍ୟ ଦେଇଆସୁଥିଲା। ଏକଥା ସତ ଯେ ଏହି ରିପୋର୍ଟ ନିଶ୍ଚିତ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଦେଖିଥିବେ, ଡିଏଫଓ ମଧ୍ୟ। ହେଲେ କେହି ବି ଜାଣିବାକୁ ଚାହିଁଲେ ନାହିଁ ଯେ ମାଈ ହାତୀଟି କାହିଁକି ଛୋଟେଇ ଛୋଟେଇ ଚାଲୁଛି। ୩୧ ତାରିଖରୁ ଛୋଟେଇ ଛୋଟେଇ ଚାଲୁଥିବା ହାତୀ ସଂପର୍କରେ ଆଉ ରିପୋର୍ଟରେ ଉଲ୍ଲେଖ ନଥିଲା। ଏହାସତ୍ତ୍ବେ ଡିଏଫ୍‌ଓ କିମ୍ବା ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଆଦୌ ଉତ୍କଣ୍ଠା ପ୍ରକାଶ ପାଇଲାନି ଯେ ଅସୁସ୍ଥ ହାତୀଟି କେଉଁଆଡ଼େ ଗଲା?

ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହି ଗୋଟିଏ ଘଟଣାକୁ ଉଦାହରଣ ଭାବେ ନେଲେ ସ୍ପଷ୍ଟ ହୋଇଯାଉଛି ଯେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କିଭଳି ଚାଲିଛି ହାତୀ ଟ୍ରାକିଂ ବ୍ୟବସ୍ଥା। ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି ଯେ ସେବେଠାରୁ ଅସୁସ୍ଥ ଥିବା ମାଈ ହାତୀଟି ଶେଷରେ ଛଟପଟ ହୋଇ ପ୍ରାଣ ହରାଇଛି। ବନ ବିଭାଗ ଯଦି ତାକୁ ଖୋଜିବା ଆରମ୍ଭ କରିଥାନ୍ତା, ତେବେ ହାତୀଟିର ଚିକିତ୍ସା କରାଯାଇପାରିଥାନ୍ତା। ତାର ଶିଶୁର ମଧ୍ୟ ଜୀବନ ରକ୍ଷା କରାଯାଇପାରିଥାନ୍ତା। ଏଣୁ ଏଭଳି ଦାୟିତ୍ବହୀନତା ପାଇଁ ହାତୀ ମୃତ୍ୟୁ ମାମଲାରେ ପୁଲିସ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବନି କାହିଁକି? କେନ୍ଦୁଝର ଜିଲ୍ଲାରେ ଗତକାଲି ଦୁଇଟି ହାତୀଙ୍କ ଗଳିତ ଶବ ଉଦ୍ଧାର କରାଯିବା ଓ ମାଈ ହାତୀଟି ତୀର ମାଡ଼ରେ ପ୍ରାଣ ହରାଇବା ଘଟଣାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ବନ ବିଭାଗ ଉଦାସୀନତା ଓ ଦାୟିତ୍ବହୀନତା ମଧ୍ୟ ସାମ୍ନାକୁ ଚାଲିଆସିଛି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଲା ଯେ ପଡ଼ାଙ୍ଗ ଜଙ୍ଗଲରୁ କୁଳିଆପାଳ ଜଙ୍ଗଲର ଦୂରତା ପ୍ରାୟ ୧୦ କିମି। ଛୋଟେଇ ଛୋଟେଇ ବୁଲୁଥିବା ମାଈହାତୀ କୁଳିଆପାଳ ଅଞ୍ଚଳକୁ ଆସି ଛୁଆ ଜନ୍ମ କରିବା ପରେ ପ୍ରାଣ ହରାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଗତ ୨୪ ତାରିଖରେ ସ୍ଥାନୀୟ ଅଞ୍ଚଳରେ ହାତୀପଲଙ୍କ ଚଳାଚଳ ଥିଲା। ୨୬ରେ ହାତୀପଲ ଅନ୍ୟ ଆଡ଼କୁ ଚାଲି ଯାଇଥିଲେ। ଗର୍ଭବତୀ ଥିବା ହାତୀଟି ଆହତ ଥିବାରୁ ପଲ ସହ ଯାଇପାରି ନଥିଲା। ତୀରମାଡ଼ କାରଣରୁ ଗର୍ଭରେ ଥିବା ଶିଶୁ ହାତୀର ମଧ୍ୟ ମୃତ୍ୟୁ ଘଟିଥିଲା ବୋଲି ପିସିସିଏଫ୍‌ କହିଛନ୍ତି। ପିସିସିଏଫ୍‌ଙ୍କ ବୟାନ ଓ ବନ ବିଭାଗର ଟ୍ରାକିଂ ରିପୋର୍ଟ ମଧ୍ୟରେ ମେଳ ଖାଉନଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ସେହିପରି ଯଦି ମାଈହାତୀ ଆହତ ଥିଲା ଏବଂ ବନ ବିଭାଗ ଟ୍ରାକିଂ ‌ବେଳେ ତାହା ଜଣାପଡ଼ିଥିଲା ତେବେ କାହିଁକି ହାତୀର ଚିକିତ୍ସା କରାଯାଇ ନଥିଲା ? ହାତୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବନ ବିଭାଗ ହାତୀ ମରିବାର ୭ଦିନ ପର୍ଯ୍ୟନ୍ତ କାହିଁକି ଜାଣିପାରି ନଥିଲା? ତେଣୁ ଟ୍ରାକିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ଏବଂ ତ୍ରୁଟିପୂର୍ଣ୍ଣ ଥିବା ବେଳେ କର୍ମଚାରୀମାନେ ଘରେ ବସି ରିପୋର୍ଟ ପ୍ରସ୍ତୁତ କରୁଥିବା ଅଭିଯୋଗକୁ କେମିତି ଅସତ୍ୟ ବୋଲି କୁହାଯିବ?

ଇତିମଧ୍ୟରେ କଳାପାଟ ସଂରକ୍ଷିତ ଜଙ୍ଗଲର କୁଳିଆପାଳ ନିକଟରୁ ମାଆ ଓ ଛୁଆ ହାତୀର ଶବ ମିଳିବା ପରେ ଆଜି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏସ୍‌.କେ. ପୋପ୍‌ଲି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ହାତୀକୁ ତୀର ମାରି ହତ୍ୟା କରାଯାଇଥିବା ଶ୍ରୀ ପୋପ୍‌ଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଗତ ୨୪ ତାରିଖରେ ସ୍ଥାନୀୟ ଅଞ୍ଚଳରେ ହାତୀପଲଙ୍କ ଚଳାଚଳ ରହିଥିଲା। ତେବେ ୨୬ ତାରିଖରେ ହାତୀପଲ ଅନ୍ୟଆଡ଼କୁ ଚାଲି ଯାଇଥିଲେ ଏବଂ ଗର୍ଭବତୀ ଥିବା ହାତୀଟି ଆହତ ଥିବାରୁ ପଲ ସହ ଯାଇପାରି ନଥିଲା। ତୀରମାଡ଼ କାରଣରୁ ଗର୍ଭରେ ଥିବା ଶିଶୁ ହାତୀର ମଧ୍ୟ ମୃତ୍ୟୁ ଘଟିଥିଲା। ହାତୀକୁ କିଏ କାହିଁକି ତୀର ମାରିଛି ସେ ନେଇ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଶ୍ରୀ ପୋପ୍‌ଲି କହିଛନ୍ତି। ଏହି ଘଟଣାରେ ଦୋଷୀ ବ୍ୟକ୍ତି ଓ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର