ସୁନ୍ଦରଗଡ଼ ଜିଲ୍ଲାରେ ୨୪ ନକଲି ଶିକ୍ଷକ! ୫ମ ଥର ପାଇଁ ଯାଞ୍ଚ୍ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ୨୪ ଶିକ୍ଷକଙ୍କ ନାଁରେ ପିଟିସନ

ରାଉରକେଲା: ଜିଲ୍ଲାରେ ନକଲି ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସଂଖ୍ୟାକୁ ନେଇ ‘ସମ୍ବାଦ’ ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଥିଲା, ତାହା ସତ୍ୟତାରେ ପରିଣତ ହୋଇଛି। ଜିଲ୍ଲାରେ ଜାଲ୍‌ କଗଜତପତ୍ରରେ ଶିକ୍ଷକତା କରିବା ଓ ଏହି ରୢାକେଟ୍‌ ବିଷୟରେ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। କୁଆରମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷୟିତ୍ରୀ ନକଲି କାଗଜପତ୍ର ଦେଇ ଶିକ୍ଷକତା କରୁଥିବା ନେଇ ପ୍ରକାଶିତ ହେବାପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ଦୁଇ ଶିକ୍ଷୟିତ୍ରୀଙ୍କର ଗତ ଜୁଲାଇ ୨୧ ତାରିଖରୁ ଦରମା ବନ୍ଦ କରିଦିଆଯାଇଛି।

ଏତଦ୍‌ବ୍ୟତୀତ କୁତ୍ରା, ବଣାଇଁ ଓ ବଡ଼ଗାଁ ବ୍ଲକରେ ଜଣେ ଲେଖାଏଁ ଶିକ୍ଷକଙ୍କ ଦରମା ବନ୍ଦ ସହ ଥାନାରେ ଏତଲା ଦିଆଯାଇଛି। ତେବେ ଜିଲ୍ଲାର ନକଲି ଶିକ୍ଷକ ସଂଖ୍ୟା କେବଳ ଏହି ୫ ଜଣଙ୍କ ଭିତରେ ସୀମିତ ନୁହେଁ; ତାଲିକା ବେଶ୍‌ ଲମ୍ବା। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ପିଟିସନ୍‌ ଅନୁସାରେ, ଜିଲ୍ଲାରେ ୨୪ ଜଣ ନକଲି ଶିକ୍ଷକ, କର୍ମଚାରୀ ବିଭିନ୍ନ ସ୍କୁଲରେ କାର୍ଯ୍ୟରତ। ଏହି ନକଲି ଶିକ୍ଷକ/କର୍ମଚାରୀଙ୍କର ପୁନର୍ବାର ସାର୍ଟିଫିକେଟ୍‌ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ଯାଞ୍ଚ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୧ ତାରିଖରେ ଜାରି ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି, ନକଲି ଶିକ୍ଷକଙ୍କ ଉପରେ ବିସ୍ତୃତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ଏକାଧିକବାର (୨୯.୧୦.୨୦୨୦/ ୧.୧୨.୨୦୨୦/ ୨୧.୧.୨୦୨୧/ ୧୮.୧୦.୨୦୨୧) ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ସନ୍ଦିଗ୍ଧ ଶିକ୍ଷକଙ୍କର ସାର୍ଟିଫିକେଟ୍‌, ନିଯୁକ୍ତି ପାଇଁ ଯାଞ୍ଚ ସମୟରେ ଦାଖଲ ହୋଇଥିବା କ୍ୟାରିଅର୍‌ ଓ ଟ୍ରେନିଂର ମାର୍କସିଟ୍‌ ତଥା ବୋର୍ଡ, ବିଶ୍ବବିଦ୍ୟାଳୟ, ସିଏଚ୍‌ଏସଇ ପକ୍ଷରୁ ଦିଆଯାଇଥିବା ସାର୍ଟିଫିକେଟ୍‌ର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଥିଲା। ଯଦି ଜାଲ୍‌ କାଗଜପତ୍ର ପ୍ରଦାନକାରୀ ଶିକ୍ଷକ ଧରାପଡ଼ନ୍ତି, ତା’ହେଲେ ସେମାନଙ୍କୁ ଚାକିରିରୁ ବହିସ୍କାର କରିବାସହ ଥାନାରେ ଏତଲା ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା। ମାତ୍ର କେତେ ଜଣଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେନେଇ ବିସ୍ତୃତ ରିପୋର୍ଟ ମିଳିପାରିନାହିଁ। ଯଥାଶୀଘ୍ର ଏହି ରିପୋର୍ଟ ଦାଖଲ କରିବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାୟ ୨୪ ଜଣ ନକଲି ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟରତ ଥିବା ପିଟିସନ୍‌ରେ ଉଲ୍ଲେଖ ହୋଇଛି। ଏହି ପିଟିସନ ଅନୁସାରେ, ଲହୁଣୀପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ସର୍ମାଧିକ ୧୨ ଜଣ ନକଲି ଶିକ୍ଷକ ଥିବାବେଳେ ରାଜଗାଙ୍ଗପୁର ବ୍ଲକରେ ୭ ଜଣ, ବଣାଇଁରେ ୨ ଜଣ, କୁଆରମୁଣ୍ଡାରେ ୨ ଜଣ, ଟାଙ୍ଗରପାଲିରେ ୧ ଜଣ ଶିକ୍ଷକତା କରୁଛନ୍ତି। ନକଲି ଶିକ୍ଷକଙ୍କ କାଗଜପତ୍ର ଯାଞ୍ଚ ପାଇଁ ପୂର୍ବରୁ ୪ ଥର ବିଭାଗୀୟ ନିର୍ଦ୍ଦେଶ ହେବା ସତ୍ତ୍ବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବିହିତ ପଦକ୍ଷେପ ନିଆଯାଉନଥିଲା। ଅଧିକାରୀମାନେ କୌଣସି ଅଦୃଶ୍ୟ କାରଣରୁ ତଥାକଥିତ ଯାଞ୍ଚ କରି ସବୁ ଠିକ୍‌ ଥିବା ଦର୍ଶାଉଥିଲେ। ତେବେ ଏଥର କିନ୍ତୁ ତତ୍ପରତା ଦେଖାଇଛନ୍ତି ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ଶିକ୍ଷାଧିକାରୀ। ସେମାନଙ୍କ ଅଧିନରେ ଥିବା ସନ୍ଦିଗ୍ଧ ଶିକ୍ଷକଙ୍କ ପୁନର୍ବାର ସାର୍ଟିଫିକେଟ୍‌ ଯାଞ୍ଚ ଆରମ୍ଭ ହୋଇଯାଇଛି। ଆସନ୍ତା ୧୭ ତାରିଖରେ ଚୂଡ଼ାନ୍ତ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ ହେବବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର