ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପଛୁଆ ଅଞ୍ଚଳ। ଦାଦନ ଅଛି, ଦାରିଦ୍ର୍ୟ ଅଛି। ଖୋଦ୍ ସରକାର ବି ସ୍ବୀକାର କରି ସାରିଛନ୍ତି ଅତୀତରେ। ଗଡଜାତ ସମୟରେ ହାଇକୋର୍ଟ ଥିଲା ବଲାଙ୍ଗୀରରେ। ପଶ୍ଚିମ ଓଡ଼ିଶା ଓ କେବିକେର ୧୩ରୁ ଅଧିକ ଜିଲ୍ଲାର କେନ୍ଦ୍ର ସ୍ଥଳ ବଲାଙ୍ଗୀର। ପଛୁଆ ଓ ଦାଦନ ପ୍ରବଣ ଅଞ୍ଚଳ ସହ ନ୍ୟାୟିକ ଭାବେ ବିଚାର କଲେ ବଲାଙ୍ଗୀରର ଗୁରୁତ୍ବ ରହିଛି। ସ୍ପଷ୍ଟ ଭାବେ ନକହିଲେ ବି ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ବଲାଙ୍ଗୀର ସପକ୍ଷରେ ମତ ଦେଇଛନ୍ତି। ଏଭଳିକି ଗଠିତ ହୋଇଥିବା କମିସନମାନେ ବି ବଲାଙ୍ଗୀର ସମର୍ଥନରେ ରିପୋର୍ଟ ଦେଇଛନ୍ତି। କିନ୍ତୁ ସରକାରୀ ଓ ବିଭିନ୍ନ ସମସ୍ୟା କାରଣରୁ ବଲାଙ୍ଗୀର ହାଇକୋର୍ଟ ବେଞ୍ଚ ପାଇବାରୁ ବଞ୍ଚିତ ହୋଇଛି। ତେଣୁ କେବଳ ରାଜନେତା ନୁହେଁ, ସାଧାରଣ ଲୋକେ ସିଧାସଳଖ ଭାବେ ଆନ୍ଦୋଳନ ସହ ଜଡିତ ହେଲେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଅଧିକ ମଜବୁତ ହେବ ବୋଲି ଆଜି ବଲାଙ୍ଗୀର ବନ୍ଦ ବେଳେ ଅନୁଷ୍ଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ମତପ୍ରକାଶ ପାଇଛି।
ଏଥିସହ ବଲାଙ୍ଗୀରରେ ହାଇକୋର୍ଟର ବେଞ୍ଚ ପୁନଃସ୍ଥାପନ ଦାବିରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଆଜି ସକାଳୁ ଶତାଧିକ କର୍ମକର୍ତ୍ତା ସହର ପରିକ୍ରମା କରି ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ଦୋକାନ ବଜାର ବନ୍ଦ ରହିଥିଲା। ଗାଡି ଚଳାଚଳ ବି ବନ୍ଦ ଥିଲା। କଚେରୀ ଛକରେ ଅନୁଷ୍ଠିତ ହୋଇଥିଲା ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବିରେ ସର୍ବଦଳୀୟ ସଭା। ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଲଳିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଦର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେଡି ଯୁବ ନେତା ଅର୍କେଶ ନାରାୟଣ ସିଂହଦେଓ, ବିଜେପି ପ୍ରବକ୍ତା ପ୍ରଭାସ ପାଣିଗ୍ରାହୀଙ୍କ ସହ ବିଜେଡି, କଂଗ୍ରେସ, ବିଜେପି ଓ ଅନ୍ୟାନ୍ୟ ଶତାଧିକ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ବିଜେଡି ଯୁବ ନେତା ଅର୍କେଶ ନାରାୟଣ କହିଥିଲେ ଯେ, ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ରାଜନୈତିକ ନକରି ଯେମିତି ରାଜ୍ୟସ୍ତରରେ ଆମର ସ୍ବର ଉଠି ପାରିବ ସେ ଦିଗରେ ଆମେ କାର୍ଯ୍ୟ କରିବା। ବିଧାୟକ ଶ୍ରୀ ମିଶ୍ର, ନିର୍ବାଚିତ ବିଧାୟକ, ବାପା ଅନଙ୍ଗ ଉଦୟ, ସାଂସଦ କଳିକେଶ ସମସ୍ତେ ମିଶି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ମତ ଦେଇଥିଲେ ଅର୍କେଶ। ବିଜେପି ପକ୍ଷରୁ ପ୍ରବକ୍ତା ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଇତିହାସ ସହ ବଲାଙ୍ଗୀର ରାଜନେତାମାନେ ସାଲିସ କରିଛନ୍ତି। ଇତିହାସ ବର୍ତ୍ତମାନ ବଦଳିବା ଦରକାର। ଦମ୍ ଅଛି ତ ଦେଖାଇ ଦେବା, ରାଜନୈତିକ ବିଦ୍ବେଷ ଭୁଲି ସମସ୍ତେ ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ ଶ୍ରୀ ପାଣିଗ୍ରାହୀ। ତେବେ ରାଜ୍ୟ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ନରସିଂହ ମିଶ୍ର ବକ୍ତବ୍ୟ ରଖିବା ବେଳେ ଗମ୍ଭୀର ହୋଇଥିଲା ପରିବେଶ। ପାଟଣା ଇତିହାସ ଓ ହାଇକୋର୍ଟ ସମୟର କଥା କହିଥିଲେ। ଏଥିସହ ସେ ଆଇନ ମନ୍ତ୍ରୀ ଥିବା ବେଳେ ହାଇକୋର୍ଟ ବେଞ୍ଚ କରାଇ ପାରିଲେ ନାହିଁ ବୋଲି ଉଠୁଥିବା ଅଭିଯୋଗ ଭୁଲ ବୋଲି କହିଥିଲେ। ସେ ସମ୍ବିଧାନ ଓ ହାଇକୋର୍ଟର ଊର୍ଦ୍ଧ୍ବରେ ନୁହନ୍ତି।
ସେ କହିଥିଲେ ୧୯୯୫ ମସିହା ଯାଏ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ଅନେକ ଜିଲ୍ଲା ସମର୍ଥନ କରୁଥିଲେ। ସେତେବେଳେ କେବଳ ସମ୍ବଲପୁରରୁ ବିରୋଧ ଥିଲା। ବର୍ତ୍ତମାନ ଆମେ ଏକଘରକିଆ ଭଳଳି ହେଲୁଣୁ। ପାଖ ଜିଲ୍ଲା ସୋନପୁର ବି ବିରୋଧ କରୁଛି ବଲାଙ୍ଗୀରକୁ। ତେଣୁ ବଲାଙ୍ଗୀର ଜିଲ୍ଲାର ନିର୍ବାଚିତ ଲୋକ ପ୍ରତିନିଧିମାନେ ମିଶି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଯୁକ୍ତିଯୁକ୍ତ ଦାବି ଉପସ୍ଥାପନ କଲେ ଓ ରାଜ୍ୟ ସରକାର ଆନ୍ତରିକତା ଦେଖାଇଲେ କେହି ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ଅଟକାଇ ପାରିବେ ନାହିଁ। ଅତୀତରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇଛନ୍ତି ବଲାଙ୍ଗୀର ପାଇଁ। କିନ୍ତୁ ବିଭିନ୍ନ କାରଣରୁ ଏହା ଅଟକି ରହିଯାଇଛି। ତେଣୁ ବଲାଙ୍ଗୀର ପାଇଁ ଲଢେଇ କରିବାର ସମୟ ଆସିଛି ବୋଲି କହିଥିଲେ ଶ୍ରୀ ମିଶ୍ର। ସୋମବାର ଅନୁଷ୍ଠିତ ଐତିହାସିକ ବନ୍ଦ ପାଳନରେ ରାଜନୈତିକ ବିଦ୍ବେଷ ଭୁଲି ବିଭିନ୍ନ ସଂଗଠନର ନେତା ତଥା କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ଅତୀତରେ ଏଭଳି ପରିବେଶ ଦେଖିବାକୁ ମିଳି ନଥିବା ବେଳେ ସୋମବାର ପ୍ରଥମ ଥର ପାଇ ସବୁ ଦଳ ଏକାଠି ହୋଇଥିଲେ। ସାମିଲ ହୋଇଥିଲେ ସଂଗଠନମାନେ। ଖୋଲା ମତ ରଖିଥିଲେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ। ଆଜି ଦିନତମାମ ବନ୍ଦ ପାଳନ କରାଯାଇଥିବା ବେଳେ କଚେରୀ ଛକ ଗର୍ଜି ଉଠିଥିଲା ଏହି ଐତିହାସିକ ସମାବେଶରେ।