ଭୁବନେଶ୍ବର: ଉତ୍ତର ପଶ୍ଚିମ ବାଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ୱେଲ୍‌ ମାର୍କଡ ଲୋ ପ୍ରେସର’ରେ ପରିଣତ ହୋଇଛି। ପ୍ରଭାବରେ ଆଜି ଦିନତମାମ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଜଳବନ୍ଦୀ ପରି ସମସ୍ୟା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ନଦୀ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ନିୟନ୍ତ୍ରଣ ଭିତରେ ରହିଛି।

Advertisment

ଲଗାଣ ବର୍ଷାରେ ଲୋକେ ଜଳବନ୍ଦୀ, ବଢ଼ିଲା ନଦୀର ଜଳସ୍ତର

ଉପକୂଳ ଓ ପଶ୍ଚିମ ଓଡ଼ିଶା ଅପେକ୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣର ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବି ଏଭଳି ବର୍ଷା ଲାଗିରହିବ। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, କଟକ, ଖୋର୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଜୁଲାଇ ୨ ଓ ୩ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେବେ ୩ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପୂର୍ବାହ୍ନରେ ‘ୱେଲ୍‌ ମାର୍କଡ ଲୋ ପ୍ରେସର’ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ଓଡ଼ିଶା ଅତିକ୍ରମ କରିବ। ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ତେ‌ଣୁ ୨ ତାରିଖ ଲାଗି ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଜୁଲାଇ ୨ ତାରିଖ ଅପରାହ୍‌ଣ ବେଳକୁ ‘ୱେଲ୍‌ ମାର୍କଡ ଲୋ ପ୍ରେସର୍‌’ ଛଡ଼ିଶଗଡ଼ ଓ ବିଦର୍ଭ ଆଡ଼କୁ ଅଗ୍ରସର ହୋଇ ଭୀଷଣ ବର୍ଷା କରାଇବ। ‌ଛତିଶଗଡ଼ରେ ୩ ତାରିଖ ଓ ବିଦର୍ଭରେ ୪ ତାରିଖ ଯାଏ ଭାରି ବର୍ଷାର ଆଶଙ୍କା ଥିବାରୁ ସେଠା‌‌‌ରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏଥିସହ ୨ରୁ ୪ ତାରିଖ ଯାଏ ପୂର୍ବ ମଧ୍ୟପ୍ର‌ଦେଶ ଓ ୪ରୁ ୬ ତାରିଖ ଯାଏ ପଶ୍ଚିମ ମଧ୍ୟପ୍ରଦେଶରେ ବର୍ଷା ଲାଗି ରହିବ। ଜୁଲାଇ ୩ରୁ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମରାଠାୱାଡା, ଗୁଜୁରାଟ, ପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶରେ ବି ବର୍ଷା‌ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ରହିଥିବାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌. ଆର୍‌ ବିଶ୍ବାସ କହିଛନ୍ତି ଯେ ‘ୱେଲ୍‌ ମାର୍କଡ ଲୋ ପ୍ରେସର’ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେ ସ୍ଥାନେ ଭୀଷଣ ବର୍ଷା ହୋଇପା‌ରେ। ତାହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ ୮ଟି ଜିଲ୍ଲା ଯଥା ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବରଗଡ଼ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକରେ ୨୦୦ ମିମି ଅର୍ଥାତ୍‌ ୨୦ ସେମିରୁ ଅଧିକ ପରିମାଣର ବର୍ଷା ହୋଇପାରେ। ୧୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଥିବାରୁ ଅରେଞ୍ଜ ଆଲର୍ଟ ଏବଂ ୭ଟି ଜିଲ୍ଲା ଲାଗି ୟେଲୋ ଆଲର୍ଟ ଜାରି ହୋଇଛି। ଅପରାହ୍‌ଣଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ତେବେ ରେଡ୍‌ ଓ ଅରେଞ୍ଜ ଆଲର୍ଟକୁ କାଢ଼ି ନିଆଯାଇଛି। ‌ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ପାଇଁ କେବଳ ୟେଲୋ ଆଲର୍ଟ ଦିଆଯାଇଥିବା ସେ କହିଛନ୍ତି। ଦୁଇ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଆଜି ଚାନ୍ଦବାଲିରେ ସବୁଠାରୁ ଅଧିକ ୬୭ ମିମି ବର୍ଷା ହୋଇଛି। ବାଲେଶ୍ବରରେ ୪୫, ପାରାଦୀପରେ ୨୨, କଟକରେ ୨୧, ସୁନ୍ଦରଗଡ଼ ଓ ମାଲକାନଗିରିରେ ୧୪, କେନ୍ଦୁଝରରେ ୧୨, ଭୁବନେଶ୍ବରରେ ୧୦.୩, ଅନୁଗୁଳ ଓ ବାରିପଦାରେ ୧୦ ମିମି ଲେଖାଏଁ ବର୍ଷା ହୋଇଛି। ତେବେ ବ୍ଲକ ଅନୁଯାୟୀ ଦେଖିଲେ ନବରଙ୍ଗପୁର ଜିଲ୍ଲା ରାଇକିଆ ବ୍ଲକରେ ସର୍ବାଧିକ ୭୦ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳାରେ ୬୩, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୫୫.୬, ଜି.ଉଦୟଗିରିରେ ୫୩.୮, ଗଞ୍ଜାମ ଜିଲ୍ଲା ଆସ୍କାରେ ୫୨.୨ ଓ ଖୋ‌ର୍ଧା ଜିଲ୍ଲା ବାଲିଅନ୍ତାରେ ୫୨ ମିମି ବର୍ଷା ରେକର୍ଡ କରାଯାଇଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ ମୋଟ ବର୍ଷା ପରିମାଣ ୯.୯ ମିମି ରହିଥିଲା।