ସରକାରୀ ବ୍ୟବସ୍ଥାରେ ପ୍ରଥମ : ଏସ୍‌ସିବିରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ରୁମ୍‌

ବଲାଙ୍ଗୀରରୁ ଆସିଲା ପ୍ରଥମ ଫୋନ୍‌ କଲ୍‌; ଫୋନ୍ ଧରିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

କଟକ : ସରକାରୀ ବ୍ୟବସ୍ଥାରେ ପ୍ରଥମ ‌ମେଡିକାଲ କଲେଜ ଓ ଡାକ୍ତରଖାନା ଭାବେ ଆଜି ଲୋକାର୍ପିତ ହୋଇଛି ଏସସିବିରେ ୨୪ଘଣ୍ଟିଆ ଜରୁରୀକାଳୀନ ଲୋକସଂପର୍କ କାର୍ଯ୍ୟାଳୟ। ଏହାକୁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଲୋକାର୍ପିତ କରିଛନ୍ତି। ଏଥିରେ ସ୍ବତନ୍ତ୍ର କଂଟ୍ରୋଲ ରୁମ୍‌ ଓ ଟୋଲ ଫ୍ରି ନମ୍ବର ରହିଥିବା ବେଳେ ଆଜି ଏଥିରେ ପ୍ରଥମ କଲ୍‌ ଆସିଥିଲା ବଲାଙ୍ଗୀରରୁ। ଏହାକୁ ନିଜେ ରିସିଭ୍‌ କରି ସୂଚନା ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ। ପ୍ରଥମ ଅଧଘଣ୍ଟାରେ କେବଳ କେମିତି ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିବେ ସେ ସଂପର୍କରେ ସୂଚନା ପାଇବା ପାଇଁ ୧୦ରୁ ଅଧିକ ଫୋନ୍‌ କଲ ଆସିଥିବା ଜଣାପଡିଛି। ଏହାପରେ ମନ୍ତ୍ରୀ ଗୋଳନ୍ଥରା ବସ୍‌ ବିଦ୍ୟୁତ୍‌ ଆଘାତ ଘଟଣାରେ ଏସ୍‌ସିବିରେ ଭିର୍ତ୍ତି ହୋଇଥିବା ଗୁରୁତର ଆହତଙ୍କୁ ଭେଟିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ବିଶେଷଜ୍ଞ ଡାକ୍ତରୀଦଳ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଥି‌ଲେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟିକା ଉଷା ଦେବୀ, ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ପ୍ରମୁଖ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ରହିବା ସହିତ ଗୁରୁତର ଆହତଙ୍କୁ ଭେଟିଥିଲେ।

ଏସ୍‌ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋଲାଥିବା ଜରୁରୀକାଳୀନ ଲୋକସଂପର୍କ କାର୍ଯ୍ୟାଳୟରେ ଅତିରିକ୍ତ ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଓ ଅତିଥିମାନେ ଏହାର ଶୁଭାରମ୍ଭ କରିଥିଲେ। ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ ଏହି ସୂଚନା କେନ୍ଦ୍ରର କାର୍ଯ୍ୟଧାରା ସଂପର୍କରେ ସୂଚନା‌ ପ୍ରଦାନ କରିଥିଲେ। ତାଙ୍କ ସୂଚନା ଅନୁସାରେ ‘ମୋ ସରକାର ଓ ୫-ଟି ଯୋଜନା’ରେ ସ୍ବାସ୍ଥ୍ୟସେବାର ବିକାଶ ଯୋଜନାରେ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୯୫୯୫ ଓ ଲ୍ୟାଣ୍ଡ ଲାଇନ୍‌ ନମ୍ବର ୦୬୭୧-୨୪୧୧୪୭୭ ଜାରି କରାଯାଇଛି। ଯାହାକି ପ୍ରତିଲୋକଙ୍କୁ ସବୁ ସମୟରେ ସାହାଯ୍ୟ କରିବ ଓ ସହାୟତା ଦେବ। ବଡ଼ ଧରଣର ଦୁର୍ଘଟଣା ହେଲେ ଅଥବା କେହି ଗୁରୁତର ରୋଗୀ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିବାକୁ ଚାହୁଁଥିଲେ ଏହି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ। ଏହି ନମ୍ବରରେ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା ଯୋଗାଇ ଦିଆଯିବ। ସେଣ୍ଟ୍ରାଲ ସିକ୍ୟୁରିଟି କଂଟ୍ରୋଲ ରୁମ୍‌ ଟ୍ରୋଲ ଫ୍ରି ନମ୍ବରକୁ କଲ୍‌ ଆସିଲେ ତୁରନ୍ତ ଅପରେଟରମାନେ ସମସ୍ତ ବିଭାଗୀୟ ମୁଖ୍ୟ, କାଜୁଆଲିଟି ତଥା ସମସ୍ତ ବିଭାଗକୁ କଂଟ୍ରୋଲ ରୁମ୍‌ରୁ ସୂଚନା ଦେବେ। ଏପରିକି ଯଦି କୌଣସି ବଡ଼ଧରଣର ଦୁର୍ଘଟଣା ନେଇ ଖବର ଟୋଲ ଫ୍ରି ନମ୍ବରକୁ ଆସେ ତାହେଲେ ତୁରନ୍ତ କଂଟ୍ରୋଲ ରୁମ୍‌ରୁ ଏସ୍‌ସିବି କର୍ତ୍ତୃପକ୍ଷ, ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଳାପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଂଗଠନକୁ ଖବର ଦିଆଯିବ। ସରକାରୀ ସହବନ୍ଧନରେ ଥିବା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀ ଯଦି ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିବାକୁ ଚାହିଁବେ ତାହେଲେ ଏହି କଂଟ୍ରୋଲ ରୁମ୍‌ ମାଧ୍ୟମରେ ସେମାନେ ଯୋଗାଯୋଗ କରି କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇପାରିବେ। ଆମ୍ବୁଲାନ୍ସ, ଶବବାହାକ ଗାଡି ପାଇଁ ରୋଗୀ ମଧ୍ୟ ଏହି କେନ୍ଦ୍ରରୁ ସମସ୍ତ ସେବା ପାଇ ପାରିବେ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ, ଅତିରିକ୍ତ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ପଣ୍ଡା, ଏସସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ରଂଜନ କୁମାର ବିଶ୍ବାଳଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର