ଖୁବ୍‍ଶୀଘ୍ର ସହରାଞ୍ଚଳ ଲୋକଙ୍କୁ ଯୋଗାଇ ଦିଆଯିବ ଆକ୍ୱାଗାର୍ଡ ମାନର ଜଳ

ୱାଟ୍‍କୋ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ରାଜ୍ୟର ଚାରିଟି ମହାନଗର ନିଗମରେ ଖୁବ୍‍ଶୀଘ୍ର ଟ୍ୟାପ୍‍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ। ଲୋକେ ସିଧାସଳଖ ଟ୍ୟାପ୍‍ରୁ ଆକ୍ୱାଗାର୍ଡ ମାନର ପାଣି ପିଇପାରିବେ । ଭୁବନେଶ୍ୱର ମହାନଗର ନିଗମର କେତେକ ୱାର୍ଡରେ ପ୍ରଥମ ପର୍ଯ୍ୟାୟରେ ଏଭଳି ଜଳ ଯୋଗାଣ ଆରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର, ପୁରୀ ଓ କଟକରେ ମଧ୍ୟ ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ। ଏହି ତାଲିକାରେ ସମ୍ବଲପୁର ମହାନଗର ନିଗମକୁ ଖୁବ୍‌ଶୀଘ୍ର ଅର୍ନ୍ତଭୁକ୍ତ କରାଯିବ।

ଆଜି ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳରେ ୱାଟ୍‍କୋର ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ହୋଇଥିବା ସମୀକ୍ଷା ବୈଠକରୁ ଏହି ସୂଚନା ମିିଳିଛି। ସମୀକ୍ଷା ବୈଠକରେ ୱାଟ୍‍କୋର ପରିଚାଳନା ନିର୍ଦ୍ଦେଶକ ପି.କେ. ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। କଟକ ମହାନଗର ନିଗମରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଥିବା ବେଳେ ପୁରୀରେ ଲୋକେ ଖୁବ୍‍ ଶୀଘ୍ର ବିଶୁଦ୍ଧ ଜଳ ପାଇପାରିବେ ବୋଲି କୁହାଯାଇଥିଲା।

ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ଲୋକଙ୍କୁ ପାଇପ୍‍ ଯୋଗେ ‘ଆକ୍ୱାଗାର୍ଡ’ ମାନର ବିଶୁଦ୍ଧ ଜଳଯୋଗାଣ ଲାଗି ୱାଟ୍‍କୋ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏଥି ପାଇଁ ସ୍ୱତନ୍ତ୍ର ଭାବେ ପାଇପ୍‍ ବିଛାଯିବା ସହିତ ପ୍ରତ୍ୟେକ ଲୋକଙ୍କ ଘରକୁ ଉନ୍ନତ ମାନର କଳଙ୍କି ବିହୀନ ପାଇପ୍‍ ସଂଯୋଗ ହେଉଛି। ସେହିପରି ପାଣିର ମାନ ନିମୟିତ ଭାବେ ପରୀକ୍ଷା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଏଥି ପାଇଁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଜଳର ମାନ ପରୀକ୍ଷା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ଘରୁ ଜଳ ଯୋଗାଣ ସଂକ୍ରାନ୍ତୀୟ ବିଲ୍‍ ଆଦାୟ କରିବେ। ହିତାଧିକାରୀମାନେ କେତେ ଜଳ ବ୍ୟବହାର କରୁଛନ୍ତି ସେଥିପାଇଁ ଜଳମିଟର ଲାଗୁଥିବା ବେଳେ ତଦନୁଯାୟୀ ବିଲ୍‍ ଆଦାୟ ହେବ। ୱାଟ୍‍କୋ ଅଧୀନକୁ ‌େସ୍ୱରେଜ ବ୍ୟବସ୍ଥା ଆଣିବା ପାଇଁ ଅଧିକାରୀମାନେ ପ୍ରସ୍ତାବ ଦେଇଥିବା ବେଳେ ଏହା ଉପରେ ଅଧିକ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ତେବେ କରୋନା ମହାମାରୀ ଯୋଗୁଁ ଧିମେଇ ଯାଇଥିବା ୱାଟ୍‍କୋ ଜଳଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲା।

ସମ୍ବନ୍ଧିତ ଖବର