ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ବିଜାପୁର ଜିଲ୍ଲା ସୀମାରେ ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ସହିଦ୍‌ ହୋଇଥିବା ଆଜି ସ୍ପଷ୍ଟ ହୋଇଛି। ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୨ ଜଣ ଯବାନ ସହିଦ ହୋଇଛନ୍ତି। ବିଜାପୁର ଜିଲ୍ଲାର ଜୁନ୍ନାଗଡ ଏବଂ ଏକ୍କଲଗୁଡିମ ମଧ୍ୟ ଜଂଗଲରେ ନକ୍ସଲ ତିନୋଟି ସ୍ଥାନରେ ଘେରି ଯବାନଙ୍କୁ ମାରିଥିଲେ। ପାହାଡ ମଝିରେ ତିନି ଜଣ ଯବାନଙ୍କର ପାର୍ଥୀବ ଶରୀର ମିଳିଥିବା ବେଳେ ଜୁନ୍ନାଗଡ ଗାଁ ଭିତରେ ୧୪ ଜଣ ଯବାନଙ୍କ ମୃତଦେହ ଏବଂ ଦୁଇ କିଲୋମିଟର ଦୁରରେ ୫ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment

ସୂଚନା ଅନୁଯାୟୀ ନକ୍ସଲ ପ୍ରଥମେ ପୁଲିସକୁ ଗୁପ୍ତ ସୂଚନା ପଠାଯାଇଥିଲା ଯେ ଜଂଗଲରେ ହିଡମା କିଛି ମାଓବାଦୀଙ୍କୁ ନେଇ କ୍ୟାମ୍ପ କରି ରହିଛି।ଯବାନ ସୂଚନା ପାଇବା ମାତ୍ରେ ଜଂଗଲରେ ପଶିଥିଲେ। ଯବାନଙ୍କୁ ଜଂଗଲ ଭିତରେ ପଶିବାକୁ ନକ୍ସଲ ଦେଇଥିଲେ। ପରେ ଚାରିପଟୁ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ଦୌଡି ଜୁନ୍ନାଗଡ ଗାଁରେ ପଶିଥିଲେ। ସେଠାରେ ମଧ୍ୟ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଜୁନ୍ନାଗଡ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ମଧ୍ୟ ନକ୍ସଲ ଜଗି ରହିଥିଲେ। ଯବାନ ଦୌଡି ଯିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ମଧ୍ୟ ଆମ୍ବୁସ ଲଗାଇ ମାରିଥିଲେ।

ତେବେ ଯବାନଙ୍କ ଠାରୁ ମାଓବାଦୀଙ୍କ ସଂଖ୍ୟା ସବୁଠାରୁ ବେଶୀ ଥିଲା। ମାଓବାଦୀ ଅତ୍ୟାଧୁନୀକ ଅସ୍ତ୍ରଶସ୍ତ୍ର ଧରିଥିଲେ। ତେବେ ଏହି ଏନକାଉଣ୍ଟରରେ ୩୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ୨୩ ଜଣ ବିଜାପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୭ ଜଣ ରାୟପୁର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘଟଣାକୁ ନିନ୍ଦା କରିବା ସହ ନକ୍ସଲଙ୍କର ଏହି ଅମାନିବୀୟ କାଣ୍ଡର ଜବାବ ଦିଆଯିବ ବୋଲି କହିଛନ୍ତି। ତେବେ ଯବାନଙ୍କ ଲଢେଇ ବେକାର ଯିବ ନାହିଁ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା ପ୍ରକାଶ କରିଛନ୍ତି।