ସିଏମଏସ କର୍ମଚାରୀଙ୍କଠୁ ୨୪ ଲକ୍ଷ ଲୁଟ୍, ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ପୁଲିସର ତନାଘନା, ୪ ସନ୍ଦିଗ୍ଧ ଅଟକ

ରାୟଗଡ଼ା: ବିଭିନ୍ନ ସଂସ୍ଥା ଓ ବ୍ୟାଙ୍କକୁ ଟଙ୍କା ଦେଣନେଣ କରୁଥିବା ସିଏମଏସ୍‌ କଂପାନିର ଜଣେ କର୍ମଚାରୀଙ୍କଠୁ ୨୪ଲକ୍ଷ ଟଙ୍କା ଲୁଟ୍ ହୋଇଛି। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରି ସନ୍ଦେହରେ ୪ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛନ୍ତି।

ସୋମବାର ମଧ୍ୟାହ୍ନରେ ରାୟଗଡ଼ା ସିଏମଏସ୍ ଇନଫୋ ସିଷ୍ଟମ୍ ଲିମିଟେଡ୍ ରାୟଗଡ଼ା ଶାଖା କାର୍ଯ୍ୟାଳୟ କର୍ମଚାରୀ ଅନୀଲ କୁମାର ଗରଡ଼ିଆ ରିଲାଏନ୍‌ସ କାର୍ଯ୍ୟାଳୟରୁ ୨୩ଲକ୍ଷ ୯୯ହଜାର ୭୯୭ଟଙ୍କା ନେଇ ଆକ୍ସିସ୍ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଯାଉଥିଲେ। ଅନୀଲ ବାଇକରେ ବ୍ୟାଙ୍କକୁ ଯାଉଥିବା ବେଳେ ଏଫ୍‌ସିଆଇ ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଅନୀଲକୁ ଅଟକାଇଥିଲେ। ଅନୀଲ ବାଇକ୍ ରଖିବା ପରେ ଟଙ୍କା ବ୍ୟାଗକୁ ଦୁର୍ବୃତ୍ତମାନେ ଝାମ୍ପି ନେଇ ଚାଲି ଯାଇଥିଲେ। ଏ ସଂପର୍କରେ ଅନୀଲ୍ ସିଏମଏସ୍‌ ଅଫିସକୁ ସୂଚନା ଦେବା ପରେ କର୍ମଚାରୀ ଏଫ୍‌ସିଆଇ ଛକରେ ପହଞ୍ଚିଥିଲେ। ଟଙ୍କା ଲୁଟ୍ ନେଇ କଂପାନି କର୍ମଚାରୀ ଜେ. ଈଶ୍ବର ରାଓ ରାୟଗଡ଼ା ଥାନାରେ ଏତଲା ଦେବା ପରେ ପୁଲିସ୍ ତନାଘନା ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଛି। ଦୁର୍ବୃତ୍ତଙ୍କୁ ଖୁବ୍ ଶୀଘ୍ର ଧରିବା ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ରାମ ପ୍ରସାଦ ସାହୁ।

ସମ୍ବନ୍ଧିତ ଖବର