୨୪ ବିଧାୟକଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ସମ୍ମାନ

ଭୁବନେଶ୍ୱର : ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ବିଧାନସଭା ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ କରିବ। ଏହି ମର୍ମରେ ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ। ଏ ନେଇ ଦିନ ଧାର୍ଯ୍ୟ ହୋଇନାହିଁ କିମ୍ବା ବିଧାନସଭା ସଚିବାଳୟ ବିଧିବଦ୍ଧ ତାଲିକା ପ୍ରକାଶ କରିନଥିଲେ ହେଁ, ମିଳିଥିବା ସୂଚନା ମୁତାବକ, ବିଷ୍ଣୁ ଚରଣ ଦାସ (୨୦୦୯), ଅରୁଣ କୁମାର ସାହୁ (୨୦୧୦), ପ୍ରଭାତ କୁମାର ବିଶ୍ୱାଳ (୨୦୧୧), ଡଃ ପ୍ରଫୁଲ୍ଲ ମାଝୀ (୨୦୧୨), ଅମରପ୍ରସାଦ ଶତପଥୀ (୨୦୧୩), ପ୍ରମିଳା ମଲ୍ଲିକ (୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (୨୦୧୫) ଓ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ (୨୦୧୬)ଙ୍କୁ ପଣ୍ଡିତ ନୀଳକଣ୍ଠ ସମ୍ମାନ ପ୍ରଦାନ କରାଯିବ।

ସେହିଭଳି ସୁରେନ୍ଦ୍ରନାଥ ନାୟକ (୨୦୦୯), ବିମ୍ବାଧର କୁଅଁର (୨୦୧୦), ନିତ୍ୟାନନ୍ଦ ପ୍ରଧାନ (୨୦୧୧), ଉମେଶଚନ୍ଦ୍ର ସ୍ୱାଇଁ (୨୦୧୨), ବିକ୍ରମକେଶରୀ ବର୍ମା (୨୦୧୩), ରାଜେନ୍ଦ୍ର ଢୋଲକିଆ (୨୦୧୪), ସୁରେନ୍ଦ୍ରନାଥ ପରମାଣିକ (୨୦୧୫) ଓ ଚକ୍ରଧର ପାଇକ (୨୦୧୬)ଙ୍କୁ ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ସମ୍ମାନିତ କରାଯିବ।

ଏହାବ୍ୟତୀତ ଉତ୍କଳମଣି ଗୋପବନ୍ଧୁ ସମ୍ମାନରେ ବି ୮ ଜଣ ବିଧାୟକଙ୍କୁ ପ୍ରଦାନ କରାଯିବ। ଏହି କ୍ରମରେ ଚୟନ କମିଟି ୨୦୦୯ ବର୍ଷ ପାଇଁ ସଞ୍ଜୟ ଦାସବର୍ମା, ୨୦୧୦ ପାଇଁ ପ୍ରୀତିରଞ୍ଜନ ଘଡ଼େଇ, ୨୦୧୧ ପାଇଁ ସମୀର ରଞ୍ଜନ ଦାଶଙ୍କ ନାମ ଚୂୂଡାନ୍ତ କରିଛନ୍ତି। ଏମାନଙ୍କ ବ୍ୟତୀତ ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩ରେ ବିଜୟ କୁମାର ମହାନ୍ତି, ୨୦୧୪ରେ ଡଃ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ପାଇଁ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ ଲାଗି ପ୍ରଦୀପ ପୁରୋହିତଙ୍କୁ ଏହି ସମ୍ମାନ ଦିଆଯିବ।

ସମ୍ବନ୍ଧିତ ଖବର