୨୪ଜଣଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ : ଲୋକଙ୍କୁ ଭଲ ପାଅ – ମୁଖ୍ୟମନ୍ତ୍ରୀ

ଯୁବପିଢ଼ି ଅଧିକ ସଂଖ୍ୟାରେ ରାଜନୀତିରେ ପ୍ରବେଶ ପାଇଁ ଆହ୍ଵାନ

ଭୁବନେଶ୍ୱର : ଲୋକଙ୍କୁ ଭଲ ପାଅ। ଏହାଦ୍ୱାରା କ୍ଷମତା, ସଂପତ୍ତି ଓ ପଦବିକୁ ନେଇ ଯେତେ ସବୁ ନକରାତ୍ମକ ଭାବନା ରହିଛି, ସେସବୁ ଶୂନ୍ୟରେ ମିଳାଇଯିବ। ଲୋକଙ୍କୁ ଭଲ ପାଇଲେ, ସେବା ପାଇଁ ପଦବି ଆଉ ଦରକାର ପଡିବ ନାହିଁ। କ୍ଷମତା ନିଶା ବାଚାଳ କରିବ ନାହିଁ।

ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ଶ୍ରେଷ୍ଠ ବିଧାୟକଙ୍କୁ ସମ୍ମାନିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ରାଜନେତା ପାଇଁ ଉପସ୍ଥିତ ଲୋକପ୍ରତିନିଧିଙ୍କ କାନରେ ଏମିତି ମନ୍ତ୍ର ଫୁଙ୍କିଥିଲେ। ବିଶିଷ୍ଟ ପ୍ରବକ୍ତା ମାର୍ଟିନ ଲୁଥର କିଙ୍ଗ୍‌ଙ୍କ ପ୍ରସିଦ୍ଧ ଉକ୍ତି ଉଦ୍ଧାର କରି କହିଥିଲେ, ‘‘ଯଦି ଲୋକଙ୍କୁ ତୁମେ ଭଲ ପାଇବନି, ତେବେ ସେମାନଙ୍କୁ ନେତୃତ୍ୱ ଦେଇପାରିବ ନାହିଁ।’’ ଅଧିକ ସଂଖ୍ୟାରେ ଯୁବ ପିଢି ରାଜନୀତିରେ ପ୍ରବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇ କହିଥିଲେ, ଏହାଦ୍ୱାରା ଆମେ ଯେମିତି ପରିବର୍ତ୍ତନ ଚାହୁଁଛୁ, ତାହା ହାସଲ କରାଯାଇପାରିବ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବିଧାନସଭାରେ ହେଉଥିବା ବିଭିନ୍ନ ବିତର୍କ ଓ ଆଲୋଚନା ସରକାରୀ କଳ ଓ ସରକାରଙ୍କ ଉପରେ ନିଶ୍ଚିତ ରୂପେ ପ୍ରଭାବ ପକାଇଥାଏ। ଏହି ପରିପ୍ରେକ୍ଷୀରେ ବିଧାନସଭାରେ ବିଧାୟକମାନଙ୍କ ଉପସ୍ଥାନ, କେତେସଂଖ୍ୟକ ପ୍ରଶ୍ନ ପଚାରୁଛନ୍ତି, ବିତର୍କ, ଆଲୋଚନାରେ ଗୁଣାତ୍ମକ ଅଂଶଗ୍ରହଣ, ନିଜ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ସମସ୍ୟା ଉପସ୍ଥାପନ ଆଦି ବିଚାରକୁ ନେଇ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବାର ଆବଶ୍ୟକତା ରହିଛି। ଯଦିଓ ଅଧିକ ଦିନ ବିଧାନସଭା ବୈଠକ ବସିବା ଆଶ୍ୱସ୍ତ ଆଣୁଛି, ବିଧାୟକଙ୍କ ଅନୁପସ୍ଥିତି କାରଣରୁ ଗୃହରେ କୋରମ୍‌ ନ ହେବା, ସେତିକି ଚିନ୍ତାରେ ପକାଉଛି। ବିଧାନସଭାରେ ବିଧାୟକମାନେ ଆଚରଣ ଓ ଉଚ୍ଚାରଣରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଯେଭଳି ସମ୍ମାନ ଦେଉଛନ୍ତିି ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ବାଚସ୍ପତି ପ୍ରଦୀପ କୁମାର ଅମାତ କହିଥିଲେ।

ଏହି ଅବସରରେ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୮ ବର୍ଷ ଧରି ବିଧାନସଭାରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ୨୪ଜଣ ବିଧାୟକଙ୍କୁ ୩ଟି ବର୍ଗରେ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ। ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ ଲାଭ କରିଥିଲେ ବିଷ୍ଣୁଚରଣ ଦାସ(୨୦୦୯), ଡ. ଅରୁଣ କୁମାର ସାହୁ(୨୦୧୦), ପ୍ରଭାତ ରଂଜନ ବିଶ୍ୱାଳ(୨୦୧୧), ଡା. ପ୍ରଫୁଲ୍ଲ ମାଝୀ(୨୦୧୨), ଅମର ପ୍ରସାଦ ଶତପଥୀ(୨୦୧୩), ପ୍ରମିଳା ମଲ୍ଲିକ(୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ(୨୦୧୫) ଓ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ(୨୦୧୬)। ଏମାନଙ୍କ ମଧ୍ୟରୁ ବିଧାୟକ ଶ୍ରୀ ବିଶ୍ୱାଳ ଅନୁପସ୍ଥିତ ଥିଲେ। ଏହି ବର୍ଗରେ ଉତ୍ତରୀୟ, ଉପଢ଼ୌକନ ସହିତ ୧ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକ(୨୦୦୯), ବିମ୍ବାଧର କୁଅଁର(୨୦୧୦), ନିତ୍ୟାନନ୍ଦ ପ୍ରଧାନ(୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ(୨୦୧୨), ବିକ୍ରମ କେଶରୀ ବର୍ମା(୨୦୧୩), ରାଜେନ୍ଦ୍ର ଢୋଲ୍‌କିଆ(୨୦୧୪), ସୁରେନ୍ଦ୍ର ପ୍ରସାଦ ପରମାଣିକ(୨୦୧୫) ଓ ଚକ୍ରଧର ପାଇକ(୨୦୧୬)ଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେମାନଙ୍କୁ ଉତ୍ତରୀୟ, ଉପଢ଼ୌକନ ସହିତ ୭୫ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନ ଲାଭ କରିଥିଲେ ବିଧାୟକ ସଂଜୟ କୁମାର ଦାସବର୍ମା(୨୦୦୯), ପ୍ରୀତିରଂଜନ ଘଡ଼େଇ(୨୦୧୦), ସମୀର ରଂଜନ ଦାଶ(୨୦୧୧), ପ୍ରଶାନ୍ତ କୁମାର ମୁଦୁଲି(୨୦୧୨), ବିଜୟ କୁମାର ମହାନ୍ତି(୨୦୧୩), ଡା. ରାସେଶ୍ୱରୀ ପାଣିଗ୍ରାହୀ(୨୦୧୪), କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର(୨୦୧୫) ଓ ପ୍ରଦୀପ ପୁରୋହିତ(୨୦୧୬)। ସେମାନଙ୍କୁ ଉତ୍ତରୀୟ, ଉପଢ଼ୌକନ ସହିତ ୫୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଶ୍ରେଷ୍ଠ ବିଧାୟକ ଚୟନକର୍ତା ଭାବେ ବାଚସ୍ପତି ଶ୍ରୀ ଅମାତ୍‌, ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ବରିଷ୍ଠ ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲା, ‘ପ୍ରମେୟ’ ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ମାନିତ କରିଥିଲେ। ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ପୁରସ୍କାର ଲବ୍ଧ ୧ ଲକ୍ଷ ଟଙ୍କା କେରଳ ବନ୍ୟା ଦୁର୍ଗତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ଘୋଷଣା କରିଥିଲେ। ଆରମ୍ଭରୁ ବିଧାନସଭା ସଚିବ ଅମିୟ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉପ ବାଚସ୍ପତି ଶ୍ରୀ ମାରାଣ୍ଡି ଉତ୍ସବର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର