ରାଜ୍ୟର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଫେରିଛନ୍ତି ୨୪ ଜଣ

ଭୁବନେଶ୍ୱର: ରାଜ୍ୟର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ୨୪ ଜଣ ଫେରିଛନ୍ତି । ଏମାନଙ୍କୁ ପଞ୍ଚାୟତ ସ୍ତରରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, ପ୍ରତ୍ୟେକ ପଞ୍ଚାୟତରେ କରୋନା ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି । ବାହାରୁ ଫେରିଥିବା ଲୋକେ ୧୪ ଦିନ ସଙ୍ଗରୋଧରେ ରହିବେ । ସଙ୍ଗରୋଧ ସରିବା ପରେ ସରକାର ସେମାନଙ୍କୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ଦେବେ ।

ତେବେ ପଶ୍ଚିବବଙ୍ଗରୁ ଫେରିଥିବା ଲୋକେ ନିଜ ତରଫରୁ ନାମ ପଞ୍ଜୀକରଣ କରି କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଯଦି ଜଣେ ବ୍ୟକ୍ତି ୨୮ ଦିନ ଭିତରେ ପଶ୍ଚିମବଙ୍ଗରୁ ଫେରିଥାନ୍ତି ନିଜର ନାମ ପଞ୍ଜୀକରଣ କରନ୍ତୁ । ସଂପୃକ୍ତ ବ୍ୟକ୍ତିମାନେ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ତହସିଲଦାରମାନଙ୍କୁ ଜଣାଇପାରିବେ । ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ସରକାର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୩ ଜଣ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେଥିରୁ ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ୫ ଜଣ ଲେଖାଏଁ ହୋଇଥିବା ବେଳେ ବାଲେଶ୍ୱରରୁ ୨ ଜଣ ଓ ବିଶ୍ରାରୁ ଆଉ ଜଣେ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରୁ ୪୬ ଜଣ, ପୁରୀ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୭ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ୪୯ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର