୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ପ୍ରତିବର୍ଷ ୨୪ ଜଣଙ୍କୁ ବଛାଯାଇ “ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ଏହି କ୍ରମରେ  ୨୦୨୩-୨୪ ବ୍ୟାଚର ଚୟନ ହୋଇଥିବା ୨୪ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର ଦିନ ସିଙ୍ଗାପୁର ଯାଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ବିଦେଶ ଅନୁଭୂତି ପାଇବା ସହ ବଡ଼ ବଡ଼ କମ୍ପାନିରେ ନୂଆ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି କିପରି କାମ କରାଯାଏ ତାହା ଶିଖିବାର ସୁଯୋଗ ପାଇବେ। ଏଥିପାଇଁ ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବ୍ୟରାଜା ଏବଂ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଙ୍ଗାପୁର ଭଳି ସହରରେ ଅନ୍ତର୍ଜାତୀୟ ସ୍ତରର କମ୍ପାନିଗୁଡ଼ିକରେ କାମ କରିବା ଫଳରେ ଛାତ୍ରଛାତ୍ରୀଙ୍କ ଭିତରେ ନୂଆ ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ହେବ। ଏହା ସେମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ କହିଛନ୍ତି।

“ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ କିପରି କାମ କରାଯାଏ ତାହା ଜାଣିବା ପାଇଁ ମୋ ଭିତରେ ଆଗ୍ରହ ରହିଥିଲା। ଏବେ ମୁଁ ସିଙ୍ଗାପୁରର ଫୋର୍ ସିଜନ ହୋଟେଲ୍ସରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଚୟନ ହୋଇଛି। ସେଠାରେ ମୁଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ କିପରି କାମ କରାଯାଉଛି ତାହା ଶିଖିବି ଏବଂ ମୋ’ ବୃତ୍ତିଗତ ଜୀବନରେ ଏହାକୁ କାମରେ ଲଗାଇବି”, କହନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ବିଭାଗର ଛାତ୍ର ଲକ୍ଷ୍ମୀନାରାୟଣ ଦାଶ। “ସିଙ୍ଗାପୁରର ଗୁଡଉଡ୍ ପାର୍କ ହୋଟେଲରେ ୬ ମାସ ଧରି ପେଡ୍ ଇଣ୍ଟର୍ଣ୍ଣସିପ୍ କରିବା ଲାଗି ମୁଁ ଚୟନ ହୋଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧ ବର୍ଷ ଭିତରେ ମୁଁ ଯେଉଁ ଦକ୍ଷତା ବିକାଶ ତାଲିମ ପାଇଛି ତାହା ମୁଁ ଇଣ୍ଟର୍ଣ୍ଣସିପ୍ ବେଳେ କାମରେ ଲଗାଇବି। ଏହାସହ ସେଠାରେ ମୁଁ ଆହୁରି ନୂଆ କଥା ଶିଖିବାକୁ ଲକ୍ଷ୍ୟ ରଖିଛି”, କହନ୍ତି ଇଲେକ୍ଟ୍ରିକାଲ ଟେକ୍ନୋଲୋଜିର ଛାତ୍ରୀ ମଧୁସ୍ମିତା ମହାରଣା।

ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଲାଗି ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଗୁଡ୍ଉଡ୍ ପାର୍କ ହୋଟେଲ୍ସ, ଆର୍ସି ହୋଟେଲ୍ସ, ସେନଟୋସା ଲିଜର ପିଟିଇ ଲିମିଟେଡ୍, ପିକ୍ସେଲ ଅଟୋମେସନ, ପ୍ୟାନ୍ ପେସିଫିକ୍ ଅର୍ଚର୍ଡ୍, ୱାଇଟିଏଲ୍ ପାୱାର ସେରାୟା ଏବଂ ଅକୁରା ଫ୍ଲେକ୍ସିବଲ୍ ଅଟୋମେଟିକ୍ ଭଳି ପ୍ରମୁଖ କମ୍ପାନିରେ ପେଡ୍ ଇଣ୍ଟର୍ଣ୍ଣସିପ୍ କରିବା ଲାଗି ଚୟନ ହୋଇଛନ୍ତି। ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଦୁନିଆ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧିତ ଖବର