‘ଫନି’ କ୍ଷତିର ପରିମାଣ ୨୪ ହଜାର କୋଟିରୁ ଅଧିକ

୧୦୦ ଜଣିଆ ବିଶେଷଜ୍ଞ ଦଳ ଦ୍ବାରା କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ, ରିପୋର୍ଟକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଫନି ଯୋଗୁଁ ଓଡ଼ିଶାର ୧୪ଟି ଜିଲ୍ଲାରେ କ୍ଷତି ହୋଇଛି ୨୪,୧୭୬ କୋଟି ଟଙ୍କା। ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦରକାର ଅଛି ୨୯,୩୧୫ କୋଟି ଟଙ୍କା। କେବଳ ଭିତ୍ତିଭୂମି ସଜାଡ଼ିବାରେ ଏହି ଅର୍ଥର ୪୨ ପ୍ରତିଶତ ଖର୍ଚ୍ଚ ହେବ। ସେହିପରି ଗୃହ ନିର୍ମାଣ ସମେତ ଅନ୍ୟ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ହେବ ୩୬ ପ୍ରତିଶତ ଅର୍ଥ। ବିଭିନ୍ନ କ୍ଷେତ୍ରରେ ୧୦୦ରୁ ଅଧିକ ବିଶେଷଜ୍ଞ ଦଳ ଏହି ଆକଳନ କରିଛନ୍ତି। ଏହି ଦଳରେ ବିଶ୍ବ ବ୍ୟାଙ୍କ, ଏସିଆନ୍ ଡେଭଲପ୍‌ମେଣ୍ଟ୍‌ ବ୍ୟାଙ୍କ, ମିଳିତ ଜାତିସଂଘର ବିଭିନ୍ନ ବିଭାଗର ବି‌େଶଷଜ୍ଞ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ତଥା ସ୍ଥାନୀୟ ବେସରକାରୀ ସଂଗଠନ ଓ ଅନ୍ୟାନ୍ୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ ସାମିଲ୍‌ ହୋଇଥିଲେ। ଏହି ଦଳ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଉପଲବ୍ଧ କ୍ଷୟକ୍ଷତି ସମ୍ବନ୍ଧୀୟ ତଥ୍ୟକୁ ବିଶ୍ଳେଷଣ କରିବା ସହ ପ୍ରମୁଖ କ୍ଷୟକ୍ଷତି ହୋଇଥିବା ଜିଲ୍ଲାଗୁଡ଼ିକର କ୍ଷେତ୍ର ପରିଦର୍ଶନ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିପୋର୍ଟକୁ ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଫନି ସମୟରେ ଆମେ ମାତ୍ର ୨୪ ଘଣ୍ଟାରେ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ଇତିହାସ ସୃଷ୍ଟି କରିଥିଲୁ। ଏହି କ୍ଷୟକ୍ଷତି ଆକଳନ ରିପୋର୍ଟ ନିଶ୍ଚିତ ଭାବେ ବାତ୍ୟାରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ ବାଟ ଦେଖାଇବ ଏବଂ ଭବିଷ୍ୟତରେ ବିପର୍ଯ୍ୟୟ ପ୍ରସ୍ତୁତି ରଣନୀତିକୁ ଅଧିକ ଶାଣିତ କରିପାରିବ। ଆନ୍ତର୍ଜାତିକ ସଂସ୍ଥା, ଜାତୀୟ ଏନ୍‌ଜିଓ, ଘରୋଇ ସଂସ୍ଥା ଓ ସମାଜର ପ୍ରତ୍ୟେକ ବ୍ୟକ୍ତି ଓଡ଼ିଶାର ପୁନଃନିର୍ମାଣ ଅଭିଯାନରେ ଯୋଗ ଦେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ରିପୋର୍ଟ ଉନ୍ମୋଚନ କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ଭାରତରେ ଅବସ୍ଥିତ ମୁଖ୍ୟ ସମନ୍ବୟକାରୀ ରୋନାଟା ଲୋକ୍-ଡେସାଲିଏନ୍, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର୍‌ ଅସିତ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ବିଶ୍ବ ବ୍ୟାଙ୍କ, ଏସିଆନ୍ ଡେଭଲପ୍‌ମେଣ୍ଟ୍‌ ବ୍ୟାଙ୍କ, ୟୁଏନ୍‌ଡିପି ଓ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାମାନଙ୍କର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ବତନ୍ତ୍ର ରିଲିଫ୍ କମିସନର୍‌ ବି‌ଷ୍ଣୁପଦ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର