ବାଲେଶ୍ବର/ଗାନ୍ଧିଛକ/ରୂପ୍‌ସା: ଲଗାଣ ବର୍ଷାରେ ବାଲେଶ୍ବର ଜିଲ୍ଲା ଅଧୀନ ହଳଦୀପଦା ଷ୍ଟେସନ୍‌ ନିକଟ ଅମରା ପୋଲ ନିକଟରେ ମାଟି ଧସିବା ଫଳରେ ଡାଉନ୍‌ ରେଳଲାଇନ୍‌ ଦବିଯାଇ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସେପଟେ ଡାଉନ ଲାଇନରେ ହାୱଡା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଜଣେ ବ୍ୟକ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଗୋଟିଏ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।

Advertisment

ଆଜି ସକାଳେ ଅମରା ପୋଲ ନିକଟରେ ମାଟି ଧସି ଡାଉନ୍‌ ଲାଇନ୍‌ଟି ଦବିଯାଇଥିଲା। ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ଖବର ପାଇ ରେଳ ବିଶେଷଜ୍ଞ ଦଳ, ଯନ୍ତ୍ରୀ ଓ ରେଳ କର୍ମଚାରୀ ପହଞ୍ଚି ରେଳଲାଇନ୍‌ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଯାହାଦ୍ବାରା ଡାଉନ୍‌ ଲାଇନ୍‌ରେ ଆସୁଥିବା ଟ୍ରେନ୍‌ଗୁଡ଼ିକ ଲାଇନ୍‌ ବଦଳାଇ ଯାତ୍ରା କରିଥିଲା। ଅନ୍ୟପଟେ ଡାଉନ୍‌ ଲାଇନ୍‌ରେ ଆସିଥିବା ଭଦ୍ରକ-ଖଡ଼ଗପୁର ମେମୁ ଲୋକାଲ୍‌ ସହ ଅନ୍ୟ କିଛି ଯାତ୍ରୀବାହୀ ଓ ମାଲ୍‌ବାହୀ ଟ୍ରେନ୍‌ ସେଠାରେ ଅଟକି ରହିଥିଲା। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥିତିକୁ ଦେଖି ଦିନ ୨ଟା ପର୍ଯ୍ୟନ୍ତ ଅପ୍‌ ଲାଇନ୍‌ରେ ୧୪ଟି , ଡାଉନ୍‌ ଲାଇନ୍‌ରେ ୧୦ଟି ଏବଂ କିଛି ଲୋକାଲ୍‌ ଟ୍ରେନ୍‌କୁ ବାତିଲ କରାଯାଇଥିଲା। ରେଳଲାଇନ୍‌ ମରାମତି କାମ ଜାରି ରହିଥିବା ବେଳେ ମାଲ୍‌ବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକୁ ଗୋଟିଏ ପରେ ଗୋଟିଏ କରି ଅପ୍‌ ଲାଇନ୍‌ରେ ଚଳାଚଳ କରୁଛି।