ଖୋର୍ଦ୍ଧା: ବର୍ଷେ କି ଦୁଇ ବର୍ଷ ନୁହେଁ, ଗତ ୨୪ ବର୍ଷ ହେଲା ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିର ଶିଳ୍ପୀ ବୀରକିଶୋର ନାୟକ ମହାପ୍ରଭୁଙ୍କୁ ଦେଇ ଆସୁଛନ୍ତି ସେବା। ସୋଲ ନିର୍ମିତ ଆକର୍ଷଣୀୟ କେତକୀ ଓ କଦମ୍ବ ଫୁଲ ନେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନିରଥରେ ସଜାଇ ଦେଇ ଆସୁଛନ୍ତି। ସବୁବର୍ଷ ପରି ଏଥର ମଧ୍ୟ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ପୂର୍ବରୁ ଫୁଲ ତିଆରି କାମ ଶେଷ କରିବାକୁ ନବକିଶୋରଙ୍କ ପୂରା ପରିବାର ଲଗି ପଡ଼ିଛନ୍ତି।

Advertisment

ନବକିଶୋରଙ୍କ କହିବା ମୁତାବକ, ପୂର୍ବରୁ ସେ ପ୍ରତ୍ୟେକ ବର୍ଷ ଖୋର୍ଦ୍ଧାର ଧବଳେଶ୍ବରଙ୍କ ଦୋଳଯାତ୍ରା ପାଇଁ ଫୁଲ ପ୍ରସ୍ତୁତ କରି ଭେଟି ଦେଉଥିଲେ। ୨୪ ବର୍ଷ ତଳେ ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ କାଳିଆ ସାଆନ୍ତଙ୍କ ପହଣ୍ଡି ଦର୍ଶନରେ ଟାହିଆରେ ସୋଲ ଲାଗିଥିବା ଦେଖିବାକୁ ପାଇଥିଲେ। ସେବେଠୁ ତାଙ୍କ ମନରେ ଭକ୍ତି ଭାବ ଜାତ ହୋଇଥିଲା। ଧବଳେଶ୍ବରଙ୍କଠାରେ ଯେମିତି ପ୍ରତ୍ୟେକ ବର୍ଷ ଫୁଲ ଲାଗି ହେଉଛି, ଠିକ୍‌ ସେମିତି ମହାପ୍ରଭୁଙ୍କଠାରେ ଫୁଲ ଲାଗି କରିବାକୁ ମନରେ ଭାବନା ଜାଗ୍ରତ ହେଲା। କେଇଟା ଦିନ ମଧ୍ୟରେ ତାଙ୍କ ଭାବନାକୁ ବଳ ମଧ୍ୟ ମିଳିଲା। ସୋଲ ନିର୍ମିତ ଫୁଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ନ ହେଲେ ନାହିଁ, ତିନି ରଥରେ ସଜ୍ଜିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଲା। ସେବେଠାରୁ ରଥଯାତ୍ରା ଆସିଲେ, ଫୁଲ ତିଆରିରେ ଲାଗି ପଡ଼ନ୍ତି ବୀରକିଶୋର।

ଏହି ସୋଲ ଫୁଲ ପୂରା ପ୍ରାକୃତିକ ବୋଲି କହିଛନ୍ତି ବୀର‌କିଶୋର। ତାଙ୍କୁ କାର୍ତ୍ତିକ ମାସରୁ କାମରେ ଲାଗିବାକୁ ପଡ଼େ। ପୁରୀ ଜିଲ୍ଲାର କଣାସ, କାକଟପୁର, ନିମାପଡ଼ା, ଅସ୍ତରଙ୍ଗ ଆଦି ଅଞ୍ଚଳରୁ ସୋଲ ଗଛକୁ ସେ ଯୋଗାଡ଼ କରନ୍ତି। ସୋଲ ଗଛ ସଂଗ୍ରହ ହେଲା ପରେ ତାକୁ ଖରାରେ ଶୁଖାଇ ରଖନ୍ତି। ଠିକ୍‌ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କର ରଥକାମ ଆରମ୍ଭ ହେବା କ୍ଷଣି ଗଛ କାଟି ସେବତୀ ଓ କଦମ୍ବ ଆକୃତିର ଫୁଲ ତିଆରି କରିବାରେ ସେ ଓ ତାଙ୍କ ପରିବାର ଲାଗିପଡ଼ନ୍ତି। ତିନିରଥ ପାଇଁ ପ୍ରାୟ ଦୁଇ ଶହ ଫୁଲ ତିଆରି କରିବାକୁ ପଡ଼େ। ନବଯୌବନ ଦର୍ଶନ ବେଳକୁ ନିଜେ ଗାଡ଼ି କରି ରଥ ପରେ ଫୁଲକୁ ସେ ସୁସଜ୍ଜିତ କରି ଆସୁଛନ୍ତି ବୋଲି ବୀରକିଶୋର ‘ସମ୍ବାଦ’କୁ କହିଛନ୍ତି। ମହାପ୍ରଭୁଙ୍କ କରୁଣାରୁ ଗଲା ୨୩ବର୍ଷ ହେଲା ସେବା ଚାଲିଛି। ଏବର୍ଷ ପାଇଁ କାମ ଜୋରସୋର୍‌ ଚାଲିଛି। ଗତ ଫେବ୍ରୁଆରି ମାସରେ ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିର ପାଇଁ ମଧ୍ୟ ଖୋର୍ଦ୍ଧାରୁ ଫୁଲ ନେଇ ଭେଟି ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି।