ବାରିପଦା: ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲା ମୟୂରଭଞ୍ଜରେ ଏକକାଳୀନ ୨୪୦ ଜଣ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ଗୁରୁତର ରୋଗରେ ପୀଡ଼ିତ। କାହାର କିଡ୍ନି ଖରାପ ତ ଆଉ କାହାକୁ ଗ୍ରାସିଛି ମାରାତ୍ମକ ରୋଗ। ଏଣୁ ସେମାନଙ୍କୁ ନିଜ ଘର ପାଖ ସ୍କୁଲକୁ ବଦଳି କରାଯାଉ ବୋଲି ଶିକ୍ଷା ବିଭାଗ ପାଖକୁ ଆସିଛି ଶତାଧିକ ଆବେଦନପତ୍ର। ତେବେ ରୋଗକୁ ଆଳ କରି ନିଜ ଇଚ୍ଛା ମୁତାବକ ସ୍କୁଲକୁ ଯିବା ପାଇଁ ଏହି ଆବେଦନ କରାଯାଇଛି ନା ସତରେ ଏତେସଂଖ୍ୟକ ଶିକ୍ଷକ ଗୁରୁତର ରୋଗରେ ପୀଡ଼ିତ; ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ତେଣୁ ତାଲିକାକୁ ସ୍ବାସ୍ଥ୍ୟ ବିଭାଗ ପାଖକୁ ଯାଞ୍ଚ ପାଇଁ ପଠାଇଛି ଶିକ୍ଷା ବିଭାଗ।
ବିଶୋଇ ବ୍ଲକ୍ରୁ ସର୍ବାଧିକ ୨୨ ଜଣ ଶିକ୍ଷକ ଅସୁସ୍ଥତା କାରଣ ଦର୍ଶାଇ ବଦଳି ପାଇଁ ଆବେଦନ କରିଛନ୍ତି। ମୋରଡ଼ା ଓ ଖୁଣ୍ଟା ବ୍ଲକ୍ରେ ସର୍ବନିମ୍ନ ଜଣେ ଲେଖା ଶିକ୍ଷକ ଆବେଦନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଏହି ବଦଳି ଆବେଦନ ତାଲିକା ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ପଠାଇଛନ୍ତି। ସେପଟେ ଶିକ୍ଷକଙ୍କ ସ୍ବାସ୍ଥ୍ୟଗତ ରିପୋର୍ଟକୁ ଯାଞ୍ଚ ନିମନ୍ତେ ବାରିପଦା ପିଆରଏମ୍ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯାଇଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ। ତେବେ ଅସୁସ୍ଥତା ନା ନିର୍ବାଚନ ବେଳେ ଗାଁ ପାଖ ସ୍କୁଲକୁ ଯିବାକୁ ଏହା ଏକ ଆଳ ବୋଲି ଚର୍ଚ୍ଚା ହେଉଛି। ଏଥିରୁ କିଛି ଜଣ ଅସୁସ୍ଥ ଥାଇପାରନ୍ତି; ହେଲେ ଗୋଟିଏ ବର୍ଷରେ ଏକାଥରେ ୨୪୦ ଜଣ ଶିକ୍ଷକ ଅସୁସ୍ଥତା କାରଣ ଦର୍ଶାଇ ଜିଲ୍ଲାସ୍ତରରେ ବଦଳି ପାଇଁ ଆବେଦନ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ତେବେ ସ୍ବାସ୍ଥ୍ୟ ଯାଞ୍ଚ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସେଠୀ କହିଛନ୍ତି।